T20 World Cup Final: କିଏ ପଡ଼ିବ ଭାରୀ ? ବ୍ୟାଟ୍ସମ୍ୟାନ୍ ନା ବୋଲର୍... କାହାକୁ ସୁହାଇବ ପିଚ୍
T20 World Cup Final: ଟି୨୦ ବିଶ୍ୱକପ୍ ର ଟାଇଟଲ ମ୍ୟାଚ୍ ଜୁନ୍ ୨୯ ରେ ଖେଳାଯିବ । ୱେଷ୍ଟଇଣ୍ଡିଜର ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲରେ ମୁହାଂମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ।
ଫାଇନାଲରେ ପହଞ୍ଚିବା ପାଇଁ ଭାରତ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରିଥିବାବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନକୁ ନଅ ୱିକେଟରେ ପରାସ୍ତ କରିଛି । ତେବେ ଏହି ଟାଇଟଲ୍ ମ୍ୟାଚ୍ ରେ ବ୍ୟାଟ୍ସମ୍ୟାନ୍ ନା ବୋଲର, କିଏ ଭାରୀ ପଡ଼ିବେ ତା ଉପରେ ରହିଛି ସମସ୍ତଙ୍କ ନଜର । ପିଚ୍ ଓ ପାଣିପାଗ ରିପୋର୍ଟ କଣ କହୁଛି...

କେଉଁଠି ଦେଖିବେ ଫାଇନାଲ ମ୍ୟାଚ୍ ?
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ବିଶ୍ୱକପ ୨୦୨୪ ର ଫାଇନାଲ ଜୁନ୍ ୨୯ ରେ ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲରେ ଖେଳାଯିବ । ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କରେ ମୁଖ୍ୟ ଇଭେଣ୍ଟ ଲାଇଭ୍ ଦେଖିପାରିବେ । ଏହାସହ ଡିଜ୍ନି + ହଟଷ୍ଟାର ଆପ୍ ରେ ଲାଇଭ୍ ଷ୍ଟ୍ରିମ୍ ମାଗଣାରେ ଉପଲବ୍ଧ ହେବ ।
କଣ କହୁଛି ପାଣିପାଗ
ସେମିଫାଇନାଲ ପରି ଟି୨୦ ବିଶ୍ୱକପ ଫାଇନାଲରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । Accuweather ଅନୁଯାୟୀ, ଜୁନ୍ ୨୯ ରେ ୭୮% ବର୍ଷା ଏବଂ ବଜ୍ରପାତ ହେବାର ୪୭% ସମ୍ଭାବନା ଅଛି । ଏହା ସହ ଆର୍ଦ୍ରତା ପ୍ରାୟ ୮୧% ହେବ ବୋଲି ଆଶା କରାଯାଉଛି ।
ଫାଇନାଲ ମ୍ୟାଚ୍ ବାତିଲ ହେଲେ...
ଜୁନ୍ ୨୯ ରେ ଖେଳ ଶେଷ କରିବାକୁ ଆଇସିସି ୧୯୦ ମିନିଟ୍ ଅତିରିକ୍ତ ସମୟ ରଖିଛି । ଯଦି ଜୁନ ୨୯ ରେ ଫାଇନାଲ ମ୍ୟାଚ୍ ସମାପ୍ତ ନହୁଏ ତେବେ ବିଶ୍ୱ କ୍ରିକେଟ୍ ସଂଗଠନ ରିଜର୍ଭ ଦିନ ପାଇଁ ଏକ ବ୍ୟବସ୍ଥା କରିଛି ।
କାହାକୁ ସୁହାଇବ ପିଚ୍
କେନ୍ସିଙ୍ଗଟନ୍ ଓଭାଲରେ ପ୍ରଥମେ ବ୍ୟାଟିଂ କଲେ ହାରାହାରି ସ୍କୋର ୧୫୩ ରହିଛି । ଏହି ପିଚରେ ୱେଷ୍ଟଇଣ୍ଡିଜ୍ ସର୍ବାଧିକ ସ୍କୋର ୨୨୪ ରନ୍ କରିଛି । ଏହି ପିଚ୍ ରେ ମୋଟ୍ ୩୨ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି ଯେଉଁଥିରେ ଦଳ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୯ ଟି ମ୍ୟାଚ ଜିତିଥିବା ବେଳେ ଦ୍ୱିତୀୟ ବ୍ୟାଟିଂ କରିଥିବା ଦଳ ୧୧ ଟି ମ୍ୟାଚ ଜିତିଛନ୍ତି । ତେବେ ପିଚ୍ ରିପୋର୍ଟ କିପରି ରହିବ, ତାହା ପାଣିପାଗ ଉପରେ ନିର୍ଭର କରୁଛି । ତଥାପି ଭଲ ସ୍କୋର ହେବା ନେଇ ଆଶା କରାଯାଉଛି ।












Click it and Unblock the Notifications