ଟି-୨୦ ବିଶ୍ବକପ: ନ୍ୟୁଜିଲାଣ୍ଡକୁ ହରାଇଲା ଇଂଲଣ୍ଡ, ସେମି ଲଢେଇ ପାଇଁ ବଢ଼ିଲା ରୋମାଞ୍ଚ
ଗାବାଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨୦ ରନରେ ପରାସ୍ତ କରିଛି ଇଂଲଣ୍ଡ । ଏହି ବିଜୟ ଫଳରେ ସେମିଫାଇନାଲ ଖେଳିବା ଆଶା ଉଜ୍ଜଳ କରିଛି ଦଳ ।
ବ୍ରିସବେନ: ଗାବାଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨୦ ରନରେ ପରାସ୍ତ କରିଛି ଇଂଲଣ୍ଡ । ଏହି ବିଜୟ ଫଳରେ ସେମିଫାଇନାଲ ଖେଳିବା ଆଶା ଉଜ୍ଜଳ କରିଛି ଦଳ । ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସମାନ ୫ ପଏଣ୍ଟ ଲେଖାଏଁ ପାଇଛନ୍ତି । ଏବେ ଏହି ୩ ଦଳ ପାଖରେ ଗୋଟିଏ ଲେଖାଏ ମ୍ୟାଚ୍ ବାକି ରହିଛି ।

ନ୍ୟୁଜିଲ୍ୟାଣ୍ଡ ଶେଷ ମ୍ୟାଚରେ ଆୟର୍ଲ୍ୟାଣ୍ଡକୁ ଭେଟିବାକୁ ଥିବା ବେଳେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆଫଗାନିସ୍ତାନକୁ ଭେଟିବ। ସେହିପରି ଇଂଲଣ୍ଡ ଶେଷ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ। ଶ୍ରୀଲଙ୍କା ମଧ୍ୟ ୪ ମ୍ୟାଚରୁ ୪ ପଏଣ୍ଟ ସହ ସେମି ଖେଳିବା ଆଶାରେ ରହିଛି । ରନ ରେଟ ଦୃଷ୍ଟିକୋଣରୁ ନ୍ୟୁଜିଲ୍ୟାଣ୍ଡ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ଦ୍ୱିତୀୟରେ ଓ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛନ୍ତି। ତେଣୁ ଏହି ୩ ଦଳଙ୍କ ମଧ୍ୟରୁ ୨ଟି ଦଳ ସେମି ଫାଇନାଲ ଯିବେ । ନିଜ ନିଜର ଶେଷ ମ୍ୟାଚ୍ ବି ଯଦି ଏହି ୩ ଦଳ ଜିତୁଛନ୍ତି, ତା'ହେଲେ ବି ରନ ରେଟ୍ ଆଧାରରେ ୨ଟି ଦଳକୁ ସେମି ଫାଇନାଲ ଖେଳିବାର ସୁଯୋଗ ମିଳିବ।
ଆଜିର ମ୍ୟାଚରେ ଦଳ ପକ୍ଷରୁ ଜସ ବଟଲର ଅଧିନାୟକ ଇନିଂସ ଖେଳି ମାତ୍ର ୪୭ ବଲରେ ସର୍ବାଧିକ ୭୩ ରନ କରିଥିଲେ । ବଟଲରଙ୍କ ଓପନିଂ ଯୋଡ଼ି ଆଲେକ୍ସ ହେଲ୍ସ ମଧ୍ୟ ଭଲ ବ୍ୟାଟିଂ କରି ୫୨ରନ କରିଥିଲେ । ତେବେ ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ବିଶେଷ ସ୍କୋର କରିପାରିନଥିଲେ । କେବଳ ଲିଆମ୍ ଲିଭିଙ୍ଗଷ୍ଟୋନ ୨୦ ରନ କରିଥିଲେ ।
୧୮୦ ରନର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ଇନଫର୍ମ ଡେଭୋନ କନୱେ(୩)ଙ୍କୁ ହରାଇଥିଲା। ସେହିପରି ଫିନ ଆଲେନ ୧୬ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ କେନ ଓ୍ବିଲିୟମସନ ୪୦ ରନ ଓ ଗ୍ଲେନ ଫିଲିପ୍ସ ୬୨ ରନ କରି ଇଂଲଣ୍ଡ ବିପକ୍ଷରେ ଲଢେଇ କରିଥିଲେ । ମାତ୍ର ଏହା ଯଥେଷ୍ଟ ହୋଇନଥିଲା । ଫଳରେ ଦଳ ୨୦ ଓଭରରେ ୬ ୱିକେଟ ହରାଇ ୧୫୯ ରନ ହିଁ କରିପାରିଥିଲା ।
ଇଂଲଣ୍ଡ ପକ୍ଷରୁ କ୍ରିସ ୱିକ୍ସ ଓ ସାମ କୁରାନ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ମାର୍କ ଉଡ ଓ ବେନ ଷ୍ଟୋକ୍ସ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ତେବେ ୪୭ ବଲରେ ୭୩ ରନ କରିଥିବା ବଟଲରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି।












Click it and Unblock the Notifications