ଟି୨୦ ବିଶ୍ବକପ୍: ପାକିସ୍ତାନକୁ ହରାଇ ସେମି ଫାଇନାଲରେ ଇଂଲଣ୍ଡ
ଟି-୨୦ ବିଶ୍ଵକପ ୨୦୨୬ର ସୁପର-୮ରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୨ଟି ଓ୍ଵିକେଟରେ ହରାଇଛି। ଏହି ବିଜୟ ସହ ଇଂଲଣ୍ଡ ପ୍ରଥମ ଦଳ ଭାବେ ଚଳିତ ବିଶ୍ଵକପର ସେମି ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ବିଜୟରେ ହିରୋ ସାଜିଛନ୍ତି ଅଧିନାୟକ ହ୍ୟାରି ବ୍ରୁକ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ସାହିବଜାଦା ଫରହାନଙ୍କ ୬୩ ରନ ବଳରେ ୧୬୪ ରନ କରିଥିଲା। ଜବାବରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକଙ୍କ ବିସ୍ଫୋରକ ଶତକୀୟ ଇନିଂସ ବଳରେ ମ୍ୟାଚକୁ ୨ ଓ୍ଵିକେଟରେ ଜିତି ନେଇଛି। ଅନ୍ୟପଟେ ପରାଜୟ ସହ ପାକିସ୍ତାନର ସେମି ଫାଇନାଲ୍ ମାର୍ଗ ମୁସ୍କିଲ ହୋଇ ଯାଇଛି।

୧୬୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳ ୫୮ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା। ଏହି ସମୟରେ ଓପନର ଫିଲ୍ ସଲ୍ଟ ଇନିଂସର ପ୍ରଥମ ବଲରେ ହିଁ ଆଉଟ୍ ହୋଇଥିଲେ। ପୁଣି ଖରାପ ଫର୍ମ ଦେଇ ଗତି କରୁଥିବା ଜୋସ ବଟଲର(୨) ନିରାଶ କରିଥିଲେ। ଜାକବ ବେଥେଲ ୮ ରନ ଓ ଟମ ବାଣ୍ଟନ ୨ ରନ କରି ଆଉଟ୍ ହୋଇଥିଲେ। ଏଥିରୁ ୩ ଓ୍ଵିକେଟ୍ ନେଇ ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲିଥିଲେ ଶାହିନ ଶାହ ଆଫ୍ରିଦି।
କିନ୍ତୁ ଅନ୍ୟପଟେ ପାଚେରୀ ପରି ଛିଡ଼ା ହୋଇଥିଲେ ଅଧିନାୟକ ହ୍ୟାରି ବ୍ରୁକ। ଦଳର ଓ୍ଵିକେଟ୍ ପତନ ପରେ ବି ସେ ଚାପଗ୍ରସ୍ତ ନ ହୋଇ ପାକିସ୍ତାନ ବୋଲରଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ସେ ସାମ କରନଙ୍କ ସହ ପଞ୍ଚମ ଓ୍ଵିକେଟ୍ ପାଇଁ ୪୫ ରନ ଯୋଡ଼ି ଦଳର ସ୍ଥିତିକୁ ମଜବୁତ କରିଥିଲେ। ସାମ କରନ ୧୬ ରନ କରି ବିଦାୟ ନେଇଥିଲେ। ଏହା ପରେ ବ୍ରୁକ ଓ ଓ୍ଵିଲ ଜ୍ୟାକ୍ସଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା। ବ୍ରୁକ ବିସ୍ଫୋରକ ବ୍ୟାଟିଂ କରି ଦମଦାର ଶତକ ହାସଲ କରିଥିଲେ। ସେ ମାତ୍ର ୫୧ ବଲରୁ ୧୦ ଚୌକା ଓ ୪ ଛକା ସହ ୧୦୦ ରନ କରି ପାଭିଲିୟନ ଫେରିଥିଲେ। ହେଲେ ଆଉଟ୍ ହେବା ବେଳକୁ ସେ ଇଂଲଣ୍ଡକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇ ଦେଇଥିଲେ।
ତେବେ ଖେଳ ଶେଷ ଆଡ଼କୁ ଇଂଲଣ୍ଡ ପୁଣି ଶୀଘ୍ର ୨ଟି ଓ୍ଵିକେଟ୍ ହରାଇବାରୁ ମ୍ୟାଚ୍ କିଛି ସମୟ ରୋଚକ ମୋଡ଼ ନେଇଥିଲା। ଓ୍ଵିଲ ଜ୍ୟାକ୍ସ ୨୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଜେମି ଓଭରଟନ ଖାତା ଖୋଲି ପାରି ନ ଥିଲେ। ତେବେ ଶେଷ ଓଭରର ପଥମ ବଲରେ ବିଜୟ ସୂଚକ ଚୌକା ମାରିଥିଲେ ଜୋଫ୍ରା ଆର୍ଚର। ଆଉ ରୋମାଞ୍ଚକର ମ୍ୟାଚକୁ ୨ ଓ୍ଵିକେଟରେ ଜିତି ନେଇଛି ଇଂଲଣ୍ଡ। ପାକିସ୍ତାନ ପକ୍ଷରୁ ବୋଲିଂରେ ଶାହୀନ ଶାହ ଆଫ୍ରିଦି ଶାଣିତ ବୋଲିଂ କରି ୩୦ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ଉସ୍ମାନ ତାରିକ ୩୧ ରନ ଦେଇ ଦୁଇଟି ସଫଳତା ହାସଲ କରିଥିଲେ।
ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୯ ଓ୍ଵିକେଟ୍ ହରାଇ ୧୬୪ ରନ କରିଥିଲା। ଦଳ ପକ୍ଷରୁ ଓପନର ସାହିବ ଜାଦା ଫରହାନ ୬୩ ରନ କରିଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା। କାରଣ ସେ ୧୬ ଓଭର ପର୍ଯ୍ୟନ୍ତ ରହି ୪୫ ବଲ୍ ଖେଳି ବି ଦଳର ରନ ଗତିକୁ ଯେମିତି ଦ୍ରୁତ କରିବାର ଥିଲା ତାହା କରି ପାରି ନ ଥିଲେ। ମଧ୍ୟକ୍ରମରେ ବାବର ଆଜମ ୨୫ ରନ, ଫଖର ଜମାନ ୨୫ ରନ ଓ ଶାଦାବ ଖାନ ୨୩ ରନ କରିଥିଲେ। ବୋଲିଂରେ ଇଂଲଣ୍ଡ ପକ୍ଷରୁ ଲିୟାମ ଡାଓ୍ଵସନ ୨୪ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ଜେମି ଓଭରଟନ ୨୬ ରନ ଦେଇ ୨ଟି ଓ ଜୋଫ୍ରା ଆର୍ଚର ୩୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।












Click it and Unblock the Notifications