ଟି-୨୦ ବିଶ୍ୱକପ: ଆୟର୍ଲାଣ୍ଡକୁ 42 ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ
ଟି-୨୦ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି ଆୟୋଜକ ଅଷ୍ଟ୍ରେଲିଆ। ସୋମବାର ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ ମ୍ୟାଚରେ ଆୟର୍ଲାଣ୍ଡକୁ ୪୨ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ ।
ବ୍ରିସବେନ: ଟି-୨୦ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି ଆୟୋଜକ ଅଷ୍ଟ୍ରେଲିଆ । ସୋମବାର ଖେଳା ଯାଇଥିବା ଚଳିତ ଟି-୨୦ ବିଶ୍ବକପର ଏକ ମ୍ୟାଚରେ ଆୟର୍ଲାଣ୍ଡକୁ ୪୨ ରନରେ ପରାସ୍ତ କରିଛି କଙ୍ଗାରୁ ଦଳ । ଆଜିର ବିଜୟ ସହ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି ଏବଂ ସେମିଫାଇନାଲ ଦୌଡ଼ରେ ନିଜର ଦାବିଦାରିକୁ ଦୃଢ କରିଛି ଆୟୋଜକ ଦଳ ।

ଆଜି ମ୍ୟାଚରେ ଆୟର୍ଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୯ ରନ କରିଥିଲା । ଦଳ ପକ୍ଷରୁ ଆରନ ଫିଞ୍ଚ୍ ସର୍ବାଧିକ ୬୩ ରନ କରିଥିଲେ । ସେହିପରି ମିଚେଲ ମାର୍ସ ୨୮ ରନ ଓ ମାର୍କସ ଷ୍ଟୋଇନିସ ୩୫ ରନ କରିଥିଲେ । ଆୟର୍ଲାଣ୍ଡ ପକ୍ଷରୁ ବ୍ୟାରି ମାକକାର୍ଥି ୩ଟି ୱିକେଟ ନେଇଥିବା ବେଳେ ଜୋସୁଆ ଲିଟିଲ ୨ଟି ୱିକେଟ ନେଇଥିଲେ ।
୧୮୦ ରନର ଟାର୍ଗେଟ ପିଛା କରୁଥିବା ଆୟର୍ଲ୍ୟାଣ୍ଡ ପାଇଁ ଲୋରକାନ ଟକର ୪୮ ବଲରେ ଅପରାଜିତ ୭୧ ରନର ଇନିଂସ ଖେଳିଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟର ତାଙ୍କ ସାଥ ଦେଇ ନଥିଲେ । ସେ ଗୋଟିଏ ପଟେ ଶେଷ ଯାଏ ଅପରାଜିତ ରହିଥିଲେ। ଦଳର ଓପନର ପଲ ଷ୍ଟ୍ରିରଲିଙ୍ଗ ୧୧, ଅଧିନାୟକ ଆଣ୍ଡ୍ର୍ୟୁ ବାଲବିରିନ ୬, ହ୍ୟାରି ଟେକ୍ଟର ୬ ରନ କରିବାକୁ ସକ୍ଷମ ହୋଇଛନ୍ତି। କାମ୍ପେର ଓ ଜର୍ଜ ଡୋକରେଲ ଖାତା ଖୋଲିବା ପୂର୍ବରୁ ମିଚେଲ ଷ୍ଟାର୍କଙ୍କ ବଲରେ ପ୍ୟାଭିଲିନୟ ଫେରିଥିଲେ।
ଗାରେଥ ଡେଲାନୀ ୧୪, ମାର୍କ ଅଦର ୧୧, ଫିଓନ୍ନ ହ୍ୟାଣ୍ଡ ୬ ଓ ବ୍ୟାରୀ ମ୍ୟାକକ୍ରାଥୀ ୩ ବେଶୀ କିଛି କରିପାରି ନଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ଟକର ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଏଥିସହ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ୧୯ତମ ଓଭରର ପ୍ରଥମ ବଲରେ ଜୋଶ ଲିଟିଲ ରନ ଆଉଟ ହୋଇଯିବାରୁ ଆୟର୍ଲ୍ୟାଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାକ୍, ଗ୍ଲେନ ମାକ୍ସଓ୍ବେଲ, ଆଡାମ ଜାମ୍ପା ଓ ପାଟ୍ କମିନ୍ସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ସୂଚନାଥାଉ କି, ଅଷ୍ଟ୍ରେଲିଆ ଏଯାଏ ୪ଟି ମ୍ୟାଚ୍ ଖେଳିଥିବା ବେଳେ ୨ଟିରେ ଜିତିଛି ଓ ଗୋଟିଏରେ ହାରିଛି । ସେହିପରି ବର୍ଷା ଯୋଗୁ ଗୋଟିଏ ମ୍ୟାଚ୍ ବାତିଲ ହୋଇଛି । ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିବା ଅଷ୍ଟ୍ରେଲିଆ ଆଜି ଆୟର୍ଲ୍ୟାଣ୍ଡକୁ ୪୨ ରନରେ ହରାଇଛି। ପୂର୍ବରୁ ଦଳ ଶ୍ରୀଲଙ୍କାକୁ ହରାଇଥିଲା । ଦଳ ତା'ର ଶେଷ ମ୍ୟାଚ୍ରେ ଆଫଗାନିସ୍ତାନକୁ ଭେଟିବ। ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ ଓ ତୃତୀୟ ସ୍ଥାନରେ ଇଂଲଣ୍ଡ ରହିଛି । ଇଂଲଣ୍ଡ ପାଖରେ ୨ଟି ମ୍ୟାଚ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ୍ ଖେଳିବ । ତେଣୁ ଗ୍ରୁପ-୧ରୁ କେଉଁ ଦୁଇ ଦଳ ସେମି ଫାଇନାଲକୁ ଯାଉଛନ୍ତି, ତା'କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।












Click it and Unblock the Notifications