ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୬: ସନ୍ଧ୍ୟାରେ ଅଷ୍ଟ୍ରେଲିଆ- ଶ୍ରୀଲଙ୍କା ଟକ୍କର
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ୩ଟି ମ୍ୟାଚ୍ ଖେଳାଯିବ । ପୂର୍ବାହ୍ନରେ ନୂଆଦିଲ୍ଲୀ ଠାରେ ଆଫଗାନିସ୍ତାନ ଓ ୟୁଏଇ (ଗ୍ରୁପ୍ -ଡି) ଏବଂ ଅପରାହ୍ଣରେ କୋଲକାତାରେ ଇଂଲଣ୍ଡ ଓ ଇଟାଲୀ (ଗ୍ରୁପ୍-ସି) ସାମ୍ନାସାମ୍ନି ହେବେ । ରାତ୍ରିରେ ସବୁଠୁ ବଡ଼ ମ୍ୟାଚ୍ ରହିଛି । ଏହି ମ୍ୟାଚ୍ରେ ଆୟୋଜକ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ପଲ୍ଲେକେଲେରେ ଏହି ମ୍ୟାଚ୍ ଖେଳାଯିବ । ଶ୍ରୀଲଙ୍କା ବିଜୟ ଜାରି ରଖି ସୁପର-୮ରେ ସ୍ଥାନ ପକ୍କା କରିବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ 'କର ବା ମର' ସଦୃଶ ରହିଛି । ସୁପର-୮ ଦୌଡ଼ରେ ରହିବାକୁ ହେଲେ ଏହି ମ୍ୟାଚ୍ ଜିତିବା ଜରୁରୀ । ଫଳରେ ଆଜି ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ ।

ଅଷ୍ଟ୍ରେଲିଆ ଗତ ୧୩ ତାରିଖରେ ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ ପରାଜିତ ହେବା ଚଳିତ ଟୁର୍ଣ୍ଣାମେଣ୍ଟର ସବୁଠୁ ବଡ଼ ବିପର୍ଯ୍ୟୟ ରହିଥିଲା । ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ୨ଟି ମ୍ୟାଚ୍ ଖେଳି ଦଳ ୨ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଆଜି ଶ୍ରୀଲଙ୍କା ଠାରୁ ପରାଜିତ ହେଲେ ସୁପର-୮ରୁ ବାଦ୍ ପଡ଼ିବା ଆଶଙ୍କା ରହିଛି । ତେଣୁ ଦଳ ପୂର୍ବ ତ୍ରୁଟି ସୁଧାରି ବିଜୟକୁ ଫେରିବା ପାଇଁ ବ୍ୟାକୁଳ । ଆଜି ନିୟମିତ ଅଧିନାୟକ ମିଚେଲ ମାର୍ଶ ଏକାଦଶକୁ ଫେରିବା ନିଶ୍ଚିତ । ତାଙ୍କ ଉପସ୍ଥିତି ଦଳର ଭାଗ୍ୟ ବଦଳାଇବ ବୋଲି ଆଶା କରାଯାଉଛି ।
ଶ୍ରୀଲଙ୍କା ଦଳ ଚମତ୍କାର ପ୍ରଦର୍ଶନ କରୁଛି । ଦଳ ପ୍ରଥମ ୨ଟି ମ୍ୟାଚ୍ରେ ଯଥାକ୍ରମେ ଆୟର୍ଲାଣ୍ଡ ଓ ଓମାନକୁ ପରାସ୍ତ କରିଥିଲା । ଏହି ବିଜୟ ଦଳର ମନୋବଳ ଦୃଢ଼ କରିଛି । ଘରୋଇ ଗ୍ରାଉଣ୍ଡ୍ ଓ ସମର୍ଥକଙ୍କ ଗହଣରୁ ଖେଳୁଥିବାରୁ ଶ୍ରୀଲଙ୍କାର ପଲା ଭାରି ରହିବ । ଆଜି କୁଶଲ ମେଣ୍ଡିସ୍, ପବନ ରତ୍ନାୟକେ ଓ ସ୍ପିନର ଦୁନିଥ୍ ୱେଲାଲଗେଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପଲ୍ଲେକେଲେ ଷ୍ଟାଡିୟମର ପିଚ୍ ବ୍ୟାଟରଙ୍କୁ ସହାୟତା କରୁଛି । ଶ୍ରୀଲଙ୍କା ଏହି ଗ୍ରାଉଣ୍ଡରେ ଓମାନ ବିପକ୍ଷରେ ୨୨୫ରନ୍ ସଂଗ୍ରହ କରିଥିଲା ।
ସମ୍ଭାବ୍ୟ ଏକାଦଶ
ଶ୍ରୀଲଙ୍କା : ପଥୁମ ନିଶଙ୍କା, କାମିଲ ମିଶରା, କୁଶଲ ମେଣ୍ଡିସ୍, ପବନ ରତ୍ନାୟକେ, ଡାସୁନ ଶଣକା (ଅଧିନାୟକ), କାମିଣ୍ଡୁ ମେଣ୍ଡିସ୍, ଦୁନିଥ୍ ୱେଲାଲଗେ, ଡି. ହେମନ୍ତ, ଦୁଷ୍ମନ୍ତ ଚାମୀରା, ମହେଶ ତୀକ୍ଷଣା, ମଥିଶା ପତିରଣା ।
ଅଷ୍ଟ୍ରେଲିଆ : ମିଚେଲ ମାର୍ଶ (ଅଧିନାୟକ), ଟ୍ରେଭିସ ହେଡ, ଜୋସ ଇଂଲିଶ, ଟିମ୍ ଡେଭିଡ୍, ମାଟ ରେନସ, ମାର୍କସ ଷ୍ଟଇନିସ୍, ଗ୍ଲେନ୍ ମ୍ୟାକ୍ସୱେଲ, ଜାଭିୟର ବାର୍ଟଲେଟ, ନାଥାନ ଏଲିସ୍, ଆଡାମ ଜାମ୍ପା, ମାଟ୍ କୁହ୍ନେମନ ।












Click it and Unblock the Notifications