T 20 World Cup: ଆଜି ଭାରତ ବନାମ ବାଂଲାଦେଶ ଓ୍ବାର୍ମଅପ୍ ମ୍ୟାଚ
ଟି୨୦ କ୍ରିକେଟ ବିଶ୍ୱକପ୍ ଆସନ୍ତା ୨ ତାରିଖରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଆରମ୍ଭ ହେବାକୁ ଯାଉଛି। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ପୂର୍ବରୁ ଭାରତ ଏହାର ଓ୍ବାର୍ମଅପ୍ ମ୍ୟାଚ ଶନିବାର ବାଂଲାଦେଶ ବିପକ୍ଷରେ ଖେଳିବ ।
ଭାରତୀୟ ଦଳରେ ସ୍ଥାନ ପାଇଥିବା ସମସ୍ତ ଖେଳାଳି ଗତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ସେମାନଙ୍କ ଫ୍ରାଞ୍ଚାଇଜ୍ ପକ୍ଷରୁ ନିୟମିତ ଭାବେ ପ୍ଲେଇଂ ଏକାଦଶରେ ସାମିଲ ହୋଇଥିଲେ । ତେଣୁ ଏଠାରେ ଏକତ୍ରିତ ହୋଇ ଟିମ୍ ଯଦିଓ ଗେମ୍ ଟାଇମ୍ ପାଇଁ ପ୍ରସ୍ତୁତ ହୋଇନାହିଁ ତେବେ ଉପଯୁକ୍ତ ସନ୍ତୁଳନ ରକ୍ଷା ହିଁ ମୁଖ୍ୟ ଲକ୍ଷ୍ୟ ରହିବ।
ନ୍ୟୁୟର୍କ ଷ୍ଟାଡିୟମର ପିଚ୍ ଏବଂ ଦ୍ୱିତୀୟ ପେସ୍ ବୋଲିଂ ବିକଳ୍ପ ପରୀକ୍ଷା କରିବା ଲାଗି ଭାରତ ନିକଟରୁ ଭଲ ସୁଯୋଗ ରହିଛି । ଦ୍ୱିତୀୟ ପେସ୍ ବିକଳ୍ପ ଭାବେ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ।
ଅଧିନାୟକ ରୋହିତ ଶର୍ମା ଏବଂ ବିଦାୟ ନେବାକୁ ଯାଉଥିବା କୋଚ୍ ରାହୁଲ ଡ୍ରାଭିଡଙ୍କ ପାଇଁ ଅତି କମ୍ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ସେଥିରୁ ଗୋଟିଏ ହେଲା ଯଶସ୍ବୀ ଜୟସ୍ବାଲ ଓ ଶିବମ୍ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ବାଛିବା ।

୧୦ ବର୍ଷ ହେଲା ଭାରତ କୌଣସି ଆଇସିସି ଟ୍ରଫି ଜିତି ପାରିନାହିଁ। ଏଥର ସେହି ଶୂନ୍ୟତା ଭରିବା ଆଶାରେ ରହିବ ଟିମ୍ ଇଣ୍ଡିଆ । ବିଳମ୍ବରେ ପହଞ୍ଚି ଥିବାରୁ ବିରାଟ କୋହଲି ଓ୍ବାର୍ମଅପ୍ ଗେମ୍ ଖେଳିବା ସମ୍ଭାବନା ମଧ୍ୟ କମ୍ ରହିଛି । ତେବେ ଅନ୍ୟ ୧୪ ଖେଳାଳି ମ୍ୟାଚ ପାଇଁ ପ୍ରସ୍ତୁତ । ଏହି ମ୍ୟାଚକୁ ଅଫିସିଆଲ ଷ୍ଟାଟସ ଦିଆଯାଇନାହିଁ । ପ୍ରତି ଖେଳାଳିଙ୍କ ରିଦିମ୍ ପରୀକ୍ଷା କରିବାକୁ ମଧ୍ୟ ଏହି ମ୍ୟାଚ ଭଲ ସୁଯୋଗ ଦେବ ।
ଜୟସ୍ବାଲ ଭଲ ଫର୍ମରେ ଥିଲେ ହେଁ ତାଙ୍କୁ ସାମିଲ କରାଗଲେ ଦୁବେଙ୍କ ପରି ହାର୍ଡ ହିଟରଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାହାରେ ରଖିବାକୁ ପଡ଼ିବ। ଜୟସ୍ବାଲ ବାହାରେ ରହିଲେ ରୋହିତଙ୍କ ସହ ବିରାଟ କୋହଲି ଇନିଂସ ଓପନ କରିିବେ ଏବଂ ଦୁବେ ମିଡିଲ ଅର୍ଡରରେ ସାମିଲ ହୋଇପାରିବେ। ଏପରି କେତେକ ନିଷ୍ପତ୍ତିକୁ ଚୂଡ଼ାନ୍ତ ରୂପ ଦେବାକୁ ହେବ।
ବାଂଲାଦେଶକୁ ସାମ୍ନା କରିବା ଭାରତ ପାଇଁ ସହଜ ହେବନାହିଁ । ବିଶେଷ କରି ମିଡିଲ ଅର୍ଡରକୁ ଶକିବ-ଅଲ୍-ହାସନ ଓ ମହେଦି ହାସନଙ୍କୁ ମୁକାବିଲା କରିବା ଚ୍ୟାଲେଞ୍ଜପୂର୍ଣ୍ଣ ରହିବ । ଏହା ବ୍ୟତୀତ କଟର ମାଷ୍ଟର ମୁସ୍ତାଫିଜୁର ରହମନ ମଧ୍ୟ ପ୍ରଭାବୀ ରହିବେ।












Click it and Unblock the Notifications