T20 World Cup: ଆମେରିକାକୁ ହରାଇ ସୁପର-୮ରେ ଟିମ୍ ଇଣ୍ଡିଆ
ସୁପର-୮ରେ ଟିମ୍ ଇଣ୍ଡିଆ । ଆୟୋଜକ ଆମେରିକାକୁ ୭ ୱିକେଟ୍ରେ ହରାଇ ଭାରତ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ତା' ସହିତ ସୁପର-୮ରେ ସ୍ଥାନ ସୁରକ୍ଷିତ କରି ନେଇଛି ।
ଗ୍ରୁପ୍-ଏରେ ସଂପ୍ରତି ଭାରତ ତିନିଟି ମ୍ୟାଚ୍ରୁ ତୃତୀୟ ବିଜୟ ପାଇ ପୂରା ୬ ପଏଣ୍ଟ୍ ସହ ଶୀର୍ଷ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆମେରିକା ପ୍ରଥମ ପରାଜୟ ବରଣ କରିଛି । ନ୍ୟୁୟର୍କର କଠିନ ପିଚ୍ରେ ଆମେରିକା ବୁଧବାର ଭାରତକୁ ୧୧୧ ରନ୍ର ଲକ୍ଷ୍ୟ ଦେଇଥିଲା । ଯାହାକୁ ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ଝଟ୍କା ସତ୍ତ୍ବେ ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା ।
ଭାରତୀୟ ବଂଶୋଦ୍ଭବ ବୋଲର ସୌରଭ ନେତ୍ରଭଲକର ହିଁ ଭାରତକୁ ୧୪ ବଲ୍ ଭିତରେ ଡବଲ ଝଟ୍କା ଦେଇଥିଲେ । ତୃତୀୟ ବଲ୍ରେ ବିରାଟ କୋହଲିଙ୍କୁ ଆଉଟ୍ କରି ଅବିସ୍ମରଣୀୟ ସଫଳତା ପାଇଥିଲେ। କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଭାରତ ସହ ଆମେରିକୀୟ ପ୍ରଶଂସକଙ୍କୁ ବି ସ୍ତବ୍ଧ କରି ଦେଇଥିଲା। ଅନ୍ୟତମ ମହାନ ତାରକା ରୋହିତ ଶର୍ମାଙ୍କୁ ବି ଶିକାର କରିଥଲେ ।

କୋହଲି-ରୋହିତ ୧୦ ରନ୍ ଭିତରେ ପ୍ୟାଭିଲିୟନ ଫେରିବା ପରେ ଋଷଭ ପନ୍ତ ଲଢ଼ୁଆ ୨୦ ରନ୍ କରି ଭାରତ ପାଳିକୁ ଆଗେଇ ନେଇଥିଲେ। ଏହା ପରେ ସୂର୍ଯ୍ୟକୁମାର ୟାଦବ (୫୦*) ଓ ଶିବମ ଦୁବେ (୩୧*) ବ୍ୟାଟିଂ କରି ଭାରତକୁ ଲଗାତାର ତୃତୀୟ ବିଜୟ ଉପହାର ଦେଇଥିଲେ।
ଭାରତ ଟସ୍ ଜିତି ଆମେରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଘରୋଇ ଦଳ କିନ୍ତୁ ପ୍ରଥମ ବଲ୍ରେ ୱିକେଟ୍ ହରାଇଥିଲା। ଅର୍ଶଦୀପ ସିଂହ ପ୍ରଥମ ଓଭରର ପ୍ରଥମ ଓ ଶେଷ ବଲ୍ରେ ୱିକେଟ୍ ଝାଡ଼ିବାରୁ ଭାରତ ଚମତ୍କାର ଢଙ୍ଗରେ ଖେଳ ଆରମ୍ଭ କରିଥିଲା। ମଝିରେ ମଝିରେ ବ୍ୟାଟର୍ କିଛି କିଛି ଛକା, ଚୌକା ମାରି ନିଜ ପ୍ରଶଂସକଙ୍କୁ ଖୁସି ହେବାର ମୌକା ଦେଇଥିଲେ। ତେବେ ଭାରତୀୟ ବୋଲର ସେମାନଙ୍କ କାନ୍ଧରୁ ଚାପ ହଟିବାକୁ ଦେଇ ନଥିଲେ। ନିୟମିତ ଅବଧି ଓ ବ୍ୟବଧାନରେ ୱିକେଟ୍ କରାୟତ୍ତ କରି ଆମେରିକାକୁ ବଡ଼ ସ୍କୋର୍ କରିବାର କୌଣସି ସୁଯୋଗ ଦେଇ ନଥିଲେ।
ନୀତୀଶ କୁମାର ଅବଶ୍ୟ ୨୭ ରନ୍ର ଛୋଟିଆ ହେଲେ ପ୍ରଭାବୀ ପାଳି ଖେଳିଥିଲେ। ଶେଷରେ ଆମେରିକା ୮ ୱିକେଟ୍ ବିନିମୟରେ ୧୧୦ ରନ୍ରେ ଅଟକି ଯାଇଥିଲା। ସେପଟେ ଆର. ଅଶ୍ବିନଙ୍କ ରେକର୍ଡ ଭାଙ୍ଗି ଅର୍ଶଦୀପ (୪/୯) ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ପକ୍ଷରୁ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିଲେ।












Click it and Unblock the Notifications