T20 World Cup 2024: ଟି-୨୦ ବିଶ୍ୱକପ: ଆୟର୍ଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରି ବିଶ୍ଵକପ ଅଭିଯାନ ଆରମ୍ଭ କଲା ଭାରତ
T20 World Cup 2024: ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚ୍ରେ ଦଳ ଏକତରଫା ଭାବେ ଆୟର୍ଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି । ଆୟର୍ଲ୍ୟାଣ୍ଡ ଦେଇଥିବା ଛୋଟିଆ ୯୭ ରନର ଟାର୍ଗେଟକୁ ଦଳ ୧୨.୨ ଓଭରରେ ୨ଟି ୱିକେଟ ହରାଇ ହାସଲ କରିଛି ଭାରି ।
୯୭ ରନର ଟାର୍ଗେଟକୁ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ଅପରାଜିତ ୫୨ ରନ ବଳରେ ଅତି ସହଜରେ ହାସଲ କରି ନେଇଛି । ଦଳକୁ ୬୦ ବଲରେ ୨୧ ରନ ଜିତିବାକୁ ଥିବା ବେଳେ ରୋହିତ ରିଟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିଥିଲେ ।
ସୂର୍ଯ୍ୟ କୁମାର ଯାଦବ କେବଳ ୨ ରନ କରି ବେଞ୍ଜାମିନ ହ୍ୱାଇଟଙ୍କ ବଲରେ ଆଉଟ ହୋଇଥିଲେ। ହେଲେ ଋଷଭ ପନ୍ତ ଶେଷ ଯାଏ ଅପରାଜିତ ରହିଥିଲେ। ଏଥିସହ ସେ ଛକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ। ସେ ୨୬ ବଲରେ ଅପରାଜିତ ୩୬ ରନର ଇନିଂସ ଖେଳିଛନ୍ତି। ବିଜୟ ବେଳେ ତାଙ୍କ ସହ ଶିବମ ଦୁବେ କ୍ରିଜରେ ରହିଥିଲେ। ସେ ୨ଟି ବଲରେ ସାମ୍ନା କରିଥିଲେ ମଧ୍ୟ କୌଣସି ରନ କରି ନାହାନ୍ତି।

ଦଳ ଏକମାତ୍ର ୱିକେଟ ରୂପେ ବିରାଟ କୋହଲିଙ୍କୁ ହରାଇଥିଲା । ସେ ରୋହିତଙ୍କ ସହ ଇନିଂସ ଆରମ୍ଭ କରିବାକୁ ଆସିଥିଲେ ହେଁ କେବଳ ୧ ରନ କରି ପ୍ୟାଭିଲିୟନ ଫେରିଥିଲେ । ତାଙ୍କ ୱିକେଟ ମାର୍କ ଅଡୈର ନେଇଛନ୍ତି ।
ରୋହିତ ତାଙ୍କ ଇନିଂସରେ ୪ଟି ଚୌକା ଓ ୩ଟି ଛକା ମାରିଛନ୍ତି। ସେହିପରି ପନ୍ତ ୨୬ ବଲରେ ୩୬ ରନ ଇନିଂସରେ ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି। ତେବେ ୩ ଓଭରରେ ୬ ରନ ଦେଇ ୨ଟି ୱିକେଟ ନେଇଥିବା ଟିମ ଇଣ୍ଡିଆର ଯଶପ୍ରୀତ ବୁମ୍ରା ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଆୟର୍ଲ୍ୟାଣ୍ଡ ଟିମ ଇଣ୍ଡିଆର ଘାତକ ବୋଲିଂର ସାମ୍ନା କରିବାକୁ ସକ୍ଷମ ହୋଇ ନଥିଲା। ଗାରେଥ ଡେଲାନି(୨୬)ଙ୍କୁ ଛାଡ଼ି ଦେଲେ ଆଉ କେହି ବି ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନଥିଲେ।
ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବୋଲିଂ କରିବା ସହ ୪ ଓଭରରେ ୨୭ ରନ ଦେଇ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ସେହିପରି ବୁମ୍ରା ୩ ଓଭରରେ ୬ ରନ ଦେଇ ୨ଟି ଓ ଅର୍ଶଦୀପ ୪ ଓଭରରେ ୩୫ ରନ ଦେଇ ୨ଟି ସଫଳତା ପାଇଛନ୍ତି। ଅକ୍ଷର ପଟେଲଙ୍କ ଖାତାକୁ ଗୋଟିଏ ଓ ଡେଲାନିଙ୍କ ୱିକେଟ ଦଳକୁ ରନ ଆଉଟ ରୂପେ ମିଳିଥିଲା।
ଭାରତର ଆସନ୍ତା ୯ ତାରିଖରେ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ନ୍ୟୁୟର୍କ ପଡ଼ିଆରେ ଭେଟିବ। ଭାରତ ଚଳିତ ବିଶ୍ୱକପରେ ନୂଆ ଓପନିଂ କମ୍ବିଂନେସନ ସହ ପଡ଼ିଆକୁ ଓହ୍ଲାଇଛି।
ଯଶସ୍ୱୀ ଜୈସୱାଲ ସ୍କ୍ୱାଡରେ ଥିଲେ ମଧ୍ୟ ରୋହିତ ଶର୍ମା ଓ ବିରାଟ ଆୟର୍ଲ୍ୟାଣ୍ତ ବିପକ୍ଷରେ ଇନିଂସ ଆରମ୍ଭ କରିଥିଲେ। ସେହିପରି ପନ୍ତ ୩ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ସମାନ କମ୍ବିଂନେସନ ସହ ଦଳ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ମଧ୍ୟ ମୈଦନାନକୁ ଓହ୍ଲାଇବ ବୋଲି କୁହାଯାଉଛି।












Click it and Unblock the Notifications