T20 World Cup Final: ଟି-୨୦ ବିଶ୍ଵକପ ଫାଇନାଲରେ ଭାରତ ବନାମ ଦକ୍ଷିଣ ଆଫ୍ରିକା, ସମସ୍ତଙ୍କ ମୁହଁରେ ଇଣ୍ଡିଆ-ଇଣ୍ଡିଆ
ଏଥର ଇତିହାସ ରଚିବ ଭାରତ । ଆଉ ନିରାଶ ନୁହେଁ । କପ୍ ଉଠାଇବେ ରୋହିତ ଓ ବିରାଟ । ଆଉ ସାରା ଭାରତ ମାରିବ ତାଳି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଇଣ୍ଡିଆ - ଇଣ୍ଡିଆ । ୧୩ ବର୍ଷ ପରେ ବିଶ୍ବକପ୍ ଟ୍ରଫି, ୧୧ ବର୍ଷ ପରେ ଭାରତ ପାଇଁ ଏକ ଆଇସିସି ଟ୍ରଫି ଜିତିବାର ବଡ ସୁଯୋଗ ।
ଭାରତ ଶେଷଥର ପାଇଁ ୨୦୧୧ରେ ଦିନିକିଆ ବିଶ୍ବକପ୍ ଟ୍ରଫି ଏବଂ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ସେହିପରି ଟ୍ବେଣ୍ଟି-୨୦ ବିଶ୍ବକପ୍ ପ୍ରଥମ ସଂସ୍କରଣ (୨୦୦୭) ବିଜେତା ଭାରତ ୧୭ବର୍ଷ ପରେ ଏହି ଟ୍ରଫିକୁ ଦ୍ବିତୀୟଥର ଜିତିବାକୁ ସୁଯୋଗ ପାଇଛି । ଶନିବାର ଦକ୍ଷିଣ ଆଫ୍ରିକା ସହ ଫାଇନାଲ୍ ଖେଳିବ ଭାରତ।
ଦକ୍ଷିଣ ଆଫ୍ରିକା ବନାମ ଭାରତ ଫାଇନାଲ
ବର୍ତ୍ତମାନ ଜୁନ୍ ୨୯ ରେ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଏହି ମ୍ୟାଚ୍ କେନ୍ସିଙ୍ଗଟନ୍ ଓଭାଲ୍ ବାରବାଡୋସରେ ଖେଳାଯିବ । ପ୍ରଥମ ସେମିଫାଇନାଲ ମ୍ୟାଚରେ ଆଫଗାନିସ୍ତାନକୁ ୯ ୱିକେଟରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ସେହିପରି ୬୮ ରନରେ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଭାରତ। ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍ ଭାରତୀୟ ସମୟ ରାତି ୮ ଟାରୁ ଆରମ୍ଭ ହୋଇଥିବାବେଳେ ଟସ୍ ଅଧା ଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୭:୩୦ ରେ ହେବ ।

ଫାଇନଲ ପାଇଁ ରିଜର୍ଭ ଡେ
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି -20 ବିଶ୍ୱକପ୍ର ଏହି ଫାଇନାଲ ମ୍ୟାଚ୍ ପାଇଁ ଆଇସିସି ଏକ ରିଜର୍ଭ ଦିନ ରଖିଛି । ତାହା ହେଉଛି, ଯଦି ବର୍ଷା ହେତୁ ଜୁନ୍ 29 ରେ ଏହି ମ୍ୟାଚ୍ ହୋଇପାରିବ ନାହିଁ, ତେବେ ଏହା ପରଦିନ ଅର୍ଥାତ୍ ଜୁନ୍ 30 ରେ ହେବ । ଦ୍ୱିତୀୟ ଥର ପାଇଁ ଟି -20 ବିଶ୍ୱକପ ଟ୍ରଫି ଜିତିବାର ସୁଯୋଗ ଥିବାବେଳେ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି ।












Click it and Unblock the Notifications