Rahul Dravid: ସ୍ବପ୍ନ ସାକାର ସହ ବିଦାୟ ନେଲେ ଦ୍ରାବିଡ଼, ରୋହିତଙ୍କ ଆଖିରେ ବିଜୟ ଲୁହ
୨୦୦୭ ଦିନିକିଆ ପୁରୁଷ କ୍ରିକେଟ ବିଶ୍ୱକପର ବଦଲା ନେଲେ ପ୍ରଶିକ୍ଷକ 'ଦି ୱାଲ୍' ରାହୁଲ ଦ୍ରାବିଡ଼ । ୱେଷ୍ଟଇଣ୍ଡିଜ୍ରେ ଖେଳାଯାଇଥିବା ୨୦୦୭ ଦିନିକିଆ ବିଶ୍ବକପ୍ର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ ଦ୍ରାବିଡ଼ ଗଭୀର ଦୁଃଖରେ କାନ୍ଦି ପକାଇଥିଲେ। ଆଜି ସେହି ୱେଷ୍ଟଇଣ୍ଡିଜ୍ ମାଟିରେ ପୁଣି ୧୭ ବର୍ଷ ପରେ ସେହି ଦୁଃଖକୁ ଦୂର କରିଛନ୍ତି ଏହି ମହାନ ତାରକା। କାରଣ ଇଣ୍ଡିଜ୍ ମାଟିରେ ପ୍ରଶିକ୍ଷକ ଭାବେ ଭାରତକୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟୀ କରାଇଛନ୍ତି ।
ଦ୍ରାବିଡ଼ ବି ୨୦୦୩ ଏକଦିବସୀୟ ବିଶ୍ବକପ୍ ଫାଇନାଲ୍ ପରାଜୟର ହାତାଶବୋଧକୁ ଭୁଲିଛନ୍ତି । ସେହିଭଳି ଭାରତର ପ୍ରଶିକ୍ଷକ ଭାବେ ବିଶ୍ବକପ୍ ବିଜୟର ଅନନ୍ୟ ସଫଳତା ନିଜ କ୍ୟାରିୟର୍ରେ ଯୋଡ଼ିଛନ୍ତି । ବିଶ୍ବ ବିଜୟରେ ମଧ୍ୟ୍ୟ ପ୍ରଶିକ୍ଷକ କାର୍ଯ୍ୟକାଳ ଶେଷ କରିଛନ୍ତି।
ଭାରତ ବିଜୟ ପରେ ସେ ଏତେ ଖୁସି ହୋଇଯାଇଥିଲେ ଯେ ସର୍ବଦା ବରଫ ଭଳି ଥଣ୍ଡା ରହୁଥିବା ଦ୍ରାବିଡ଼ ଚିତ୍କାର କରି ଓ ହାତକୁ ଉପରକୁ ଉଠାଇ ବିଜୟ ଉତ୍ସବ ପାଳନ କରିଥିଲେ। କାରଣ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡ଼ିବେ ବୋଲି ପୂର୍ବରୁ ଦ୍ରାବିଡ଼ ଘୋଷଣା କରି ସାରିଛନ୍ତି।

ଭାଲସନ୍ଙ୍କ କ୍ଲବ୍ରେ ଚହଲ, ଜୟସ୍ବାଲ, ସାମ୍ସନ୍ ୧୯୮୩ ମସିହାରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ସୁନୀଲ ଭାଲସନ୍ ଗୋଟିଏ ହେଲେ ବି ମ୍ୟାଚ୍ ନଖେଳି ଏକଦିବସୀୟ ବିଶ୍ବକପ୍ ବିଜୟୀ ହୋଇଥିଲେ। ଦିନିକିଆ ବିଶ୍ବକପ୍ ଇତିହାସରେ ଏକମାତ୍ର ଖେଳାଳି ଭାବେ ଏ ପର୍ଯ୍ୟନ୍ତ ଏହି ରେକର୍ଡର ଅଧିକାରୀ ଅଛନ୍ତି। ଏବେ ଟ୍ବେଣ୍ଟି-୨୦ରେ ତିନି ଭାରତୀୟ କ୍ରିକେଟର୍ ୟୁଝବେନ୍ଦ୍ର ଚହଲ, ଯଶସ୍ବୀ ଜୟସ୍ବାଲ୍ ଓ ସଞ୍ଜୁ ସାମ୍ସନ୍ ଏଭଳି ନିଆରା କୀର୍ତ୍ତିମାନ କରିଛନ୍ତି। ଟି-୨୦ ବିଶ୍ବକପ୍-୨୦୨୪ର ଗୋଟିଏ ହେଲେ ବି ମ୍ୟାଚ୍ ଖେଳି ନଥିଲେ ମଧ୍ୟ ଉଭୟ ବିଶ୍ବବିଜୟୀ ହେବାର ଗୌରବ ଅର୍ଜନ କରିଛନ୍ତି ଏବଂ ଭାଲସନ୍ଙ୍କ କ୍ଲବ୍ରେ ସାମିଲ ହୋଇଛନ୍ତି ।
ରୋହିତଙ୍କ ଆଖିରେ ଲୁହ
ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଭାବବିହ୍ବଳ ହୋଇଯାଇଥିଲେ। ତାଙ୍କ ଆଖିରେ ଖୁସିର ଲୁହ ଭରି ଯାଇଥିଲା। ନିଜ ଭାବନାକୁ ବ୍ୟକ୍ତ କରିବାକୁ ଯାଇ ସେ କହିଥିଲେ ଯେ ଏବେ ୨୦୦୭, ୨୦୧୧ ବିଶ୍ବକପ୍ ସହ ୨୦୧୩ ଚାମ୍ପିଅନ୍ସ ଟ୍ରଫି ବିଜୟ ବି ମନେ ପଡ଼ିଯାଉଥିଲା। ମନରେ ଏଭଳି ଭାବନା ଆସୁଛି ଯେ ଏହାକୁ ବର୍ଣ୍ଣନା କରିବା ସହଜ ହେଉନି। ଦୁଇ ତିନି ଦିନ ପରେ ହୁଏତ ମୁଁ ମୋ ମନର ଭାବନାକୁ ଶବ୍ଦରେ ପ୍ରକାଶ କରିପାରିବି । ସେ ଦଳର ପ୍ରତ୍ୟେକ ଖେଳାଳି, ସପୋର୍ଟ ଷ୍ଟାଫ୍, ବିସିସିଆଇ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।












Click it and Unblock the Notifications