ଭିଡିଓ: ହଠାତ୍ ଟିମ୍ ଇଣ୍ଡିଆର ଅଭ୍ୟାସ ସେସନରେ ପହଞ୍ଚିଲେ ପନ୍ତ, ଆଉ ତାପରେ...
Rishab Pant: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଥିବା ଏସିଆ କପ୍ ପାଇଁ ପ୍ରସ୍ତୁତି ଜାରି ରଖିଛି ଭାରତୀୟ ଦଳ । ଏସିଆ କପ୍ 2023 ପାଇଁ ଶ୍ରୀଲଙ୍କା ଯିବା ପୂର୍ବରୁ ଟିମ୍ ଇଣ୍ଡିଆ ଏବେ ବେଙ୍ଗାଲୁରୁ ସ୍ଥିତ ଏନସିଏରେ ଏକ କ୍ୟାମ୍ପ ଚଳାଇଛି ।
ତେବେ ଦୁର୍ଘଟଣାରେ ଆହତ ହୋଇ ଠିକ୍ ହେବା ପରେ ଭାରତୀୟ କ୍ରିକେଟ୍ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ବର୍ତ୍ତମାନ ଫର୍ମ ଏବଂ ଫିଟନେସ୍ ଫେରି ପାଇବା ପାଇଁ ଗତ କିଛି ମାସ ଧରି ନ୍ୟାସନାଲ କ୍ରିକେଟ୍ ଏକାଡେମୀ ବା ଏନସିଏରେ କଠିନ ପରିଶ୍ରମ କରୁଛନ୍ତି । ଯେହେତୁ ଭାରତୀୟ ଦଳ ସେହିଠାରେ ହିଁ ନିଜର ଏସିଆ କପ୍ କ୍ୟାମ୍ପ ଚଳାଇଛି ।

ତେଣୁ ଦଳକୁ ଅତି ନିକଟରେ ପାଇଁ ଏହି ଶିବିରକୁ ଆସିବା ଏବଂ ନିଜର ସାଥି ଖେଳାଳିମାନଙ୍କୁ ଭେଟିବାରୁ ନିଜକୁ ଅଟକାଇ ପାରିଲା ନାହିଁ ପନ୍ତ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପନ୍ତ ଟିମ୍ ଇଣ୍ଡିଆର ଅଭ୍ୟାସ ଅଧିବେଶନରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି ।
ତେବେ ଏସିଆ କପ୍ ପାଇଁ ଟିମରେ ସାମିଲ ହୋଇ ନାହାନ୍ତି ପନ୍ତ । ସେ ଦଳର ସାଥୀ ଖେଳାଳିମାନଙ୍କ ସହ ସାକ୍ଷାତ କରିବା ପାଇଁ ଏଠାରେ ପହଞ୍ଚିଛନ୍ତି । ଏଠାରେ ପହଞ୍ଚି ରୋହିତ, ତିଲକ ଏବଂ ବୁମରାହଙ୍କ ସହିତ କୋଚଙ୍କୁ ମଧ୍ୟ ଭେଟ କରିଛନ୍ତି । ଋଷଭ ପନ୍ତଙ୍କୁ ଦଳରେ ଦେଖି ଭାରତୀୟ ଖେଳାଳିମାନେ ଖୁବ ଖୁସି ଥିବା ଦେଖିବାକୁ ମିଳିଛି । ତେବେ ଋଷଭ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ନାହାନ୍ତି ଏବଂ ଦଳକୁ ପେରିବା ପାଇଁ ତାଙ୍କୁ ଆହୁରି କିଛି ସମୟ ଲାଗିବ ବୋଲି ଜଣାଯାଇଛି । ଏପରିକି ସେ ଆଗାମୀ ଦିନିକିଆ ବିଶ୍ୱକପରେ ମଧ୍ୟ ଖେଳିପାରିବେ ନାହିଁ ।
— Cricket Khelo (@cricketkhelo11) August 28, 2023
ତେବେ ଗତବର୍ଷ ଡିସେମ୍ବର ମାସରୁ ଦୁର୍ଘଟଣାର ଶିକାର ହୋଇ ଦଳରୁ ବାଦ୍ ପଡ଼ିଛନ୍ତି ୱିକେଟ କିପର ଋଷଭ ପନ୍ତ । କିନ୍ତୁ କିଛି ଦିନ ତଳେ ସେ ବ୍ୟାଟିଂ କରୁଥିବାର ଏକ ଭିଡିଓ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ପନ୍ତ ଖୁବଶୀଘ୍ର ଦଳରେ କମବ୍ୟାକ କରିବା ନେଇ ଆଶା ବଢିଯାଇଛି ।
ସେହିପରି ଆଇପିଏଲ୍ 2023 ସମୟରେ ତାଙ୍କୁ ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସର ଏକ ମ୍ୟାଚରେ ଦେଖିବାକୁ ମିଳିଥିଲା ।
8 ମାସ ଧରି କ୍ରିକେଟଠୁ ବାହାରେ
ପ୍ରାୟ 8 ମାସ ଧରି ଋଷଭ ପନ୍ତ କ୍ରିକେଟଠୁ ବାହାରେ ଅଛନ୍ତି । 30 ଡିସେମ୍ବର 2022 ରେ, ସେ ନିଜ ସହର ପରିବାର ସହିତ ନୂଆ ବର୍ଷ ପାଳନ କରିବାକୁ ଦିଲ୍ଲୀରୁ ଉତ୍ତରପ୍ରଦେଶ ଯାଉଥିଲେ । ସକାଳ ପ୍ରାୟ 5 ଟାରେ ତାଙ୍କ କାରରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ମୃତ୍ୟୁ ମୂଖରୁ ବର୍ତ୍ତି ଯାଇଥିଲେ ସତ କିନ୍ତୁ, ତାଙ୍କ କାର ସମ୍ପୂର୍ଣ୍ଣ ଜଳି ଯାଇଥିଲା । ସେ ଗୁରୁତର ଆହତ ହୋଇଥିଲେ ।
ପ୍ରଥମେ ତାଙ୍କୁ ଦେହରାଡୁନରେ ଏବଂ ପରେ ମୁମ୍ବାଇରେ ଚିକିତ୍ସା କରାଯାଇଥିଲା । ଗତ 3-4 ମାସ ଧରି ସେ ଏନସିଏର ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ ତାଙ୍କ ଫର୍ମ ଏବଂ ଫିଟନେସ୍ ଉପରେ କାର୍ଯ୍ୟ କରିଛନ୍ତି । ତାଙ୍କ ପ୍ରତ୍ୟାବର୍ତ୍ତନ ଆସନ୍ତା ବର୍ଷ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ହୋଇପାରେ ।
ଏସିଆ କପ୍ 2023
ସୂଚନାଥାଉ କି, ଆସନ୍ତାକାଲି (ଅଗଷ୍ଟ 30 ତାରିଖ)ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍- 2023ର ବଡ଼ ଟୁର୍ଣ୍ଣାମେଣ୍ଟ । ତେବେ ସେପ୍ଟେମ୍ବର 2 ତାରିଖରେ ପାକିସ୍ତାନ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ ଖେଳାଯିବ । ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ହାଇବ୍ରିଡ୍ ମଡେଲରେ ଖେଳାଯାଉଛି । ଯେଉଁଥିରେ ପାକିସ୍ତାନରେ 4 ଟି ମ୍ୟାଚ୍ ଖେଳାଯିବ ଏବଂ ଫାଇନାଲ ସମେତ 9 ଟି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ 30 ଅଗଷ୍ଟରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ ଏବଂ ଫାଇନାଲ ମ୍ୟାଚ୍ 17 ସେପ୍ଟେମ୍ବରରେ ଖେଳାଯିବ ।
ଏଥର ଏସିଆ କପ୍ 50 ଓଭର ଫର୍ମାଟରେ ଖେଳାଯାଉଛି । ଶେଷ ଥର ପାଇଁ 2018ରେ ଦିନିକିଆ ଫର୍ମାଟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଟାଇଟଲ୍ ଜିତିଥିଲା । 2ଟି ଗ୍ରୁପରେ ବିଭକ୍ତ ହୋଇଥିବା ଏସିଆ କପ୍ 2023 ରେ ମୋଟ 6ଟି ଦଳ ଅଂଶଗ୍ରହଣ କରୁଛନ୍ତି । ଗ୍ରୁପ୍-ଏରେ ପାକିସ୍ତାନ, ନେପାଳ ଏବଂ ଭାରତ ଅଂଶ ଥିବାବେଳେ ଆଫଗାନିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶକୁ ଗ୍ରୁପ୍-ବିରେ ସ୍ଥାନିତ କରାଯାଇଛି ।
ଗ୍ରୁପ୍ ମ୍ୟାଚ୍ ସମାପ୍ତ ହେବା ପରେ, ଉଭୟ ଗୋଷ୍ଠୀର ଟପ୍-2 ଦଳ ସୁପର-4 ପର୍ଯ୍ୟାୟ ପାଇଁ ସେମାନଙ୍କର ସ୍ଥାନ ନିଶ୍ଚିତ କରିବେ । ଏହା ପରେ ସମସ୍ତ ଦଳ ମଧ୍ୟରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଖେଳାଯିବ ଏବଂ ଏହି ପର୍ଯ୍ୟାୟରେ ଟପ୍-2 ମାନ୍ୟତା ପ୍ରାପ୍ତ ଦଳ ମଧ୍ୟରେ ଏକ ଫାଇନାଲ୍ ମ୍ୟାଚ୍ ହେବ । ସେପ୍ଟେମ୍ବରରେ ଯେଉଁଠାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ମ୍ୟାଚ୍ ଖେଳାଯିବ, ସେଇଠାରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏହା ବ୍ୟତୀତ ସେପ୍ଟେମ୍ବର 10 ରେ ଦୁଇ ଦଳ ମଧ୍ୟରେ ସୁପର -4 ମ୍ୟାଚ୍ ଏବଂ ସେପ୍ଟେମ୍ବର 17 ରେ ଫାଇନାଲ ଅନୁଷ୍ଠିତ ହେବ ।












Click it and Unblock the Notifications