ଫେଲ୍ ମାରିଲେ ରାଜସ୍ଥାନର ବ୍ୟାଟର; ୩୬ ରନରେ ରାଜସ୍ଥାନକୁ ପରାସ୍ତ କରି କ୍ୱାଲିଫାୟର୍ସ-୨ରେ ସନ୍ରାଇଜର୍ସ ହାଇଦ୍ରାବାଦ
ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ସତ୍ତ୍ୱେ ବ୍ୟାଟରଙ୍କ ବିଫଳତା ହେତୁ ପ୍ଲେ-ଅଫ୍ରୁ ବିଦାୟ ନେଇଛି ରାଜସ୍ଥାନ ରୟାଲ୍ସ । ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ କ୍ୱାଲିଫାୟର୍ସ-୨ରେ ସନ୍ରାଇଜର୍ସ ହାଇଦ୍ରାବାଦ ୩୬ ରନରେ ରାଜସ୍ଥାନକୁ ପରାସ୍ତ କରିଛି ।
ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇ ରାଜସ୍ଥାନର ଟ୍ରେଣ୍ଟ ବୋଲ୍ଟ ଓ ଆଭେସ ଖାଁ ଚମତ୍କାର ବୋଲିଂ କରି ସନ୍ରାଇଜର୍ସ ଇନିଂସକୁ ୨୦ ଓଭରରେ ୯ ଉଇକେଟରେ ୧୭୫ ମଧ୍ୟରେ ସୀମିତ ରଖିଥିଲେ । ତେବେ ମାତ୍ର ୧୭୬ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ରାଜସ୍ଥାନ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇ ୨୦ ଓଭରରେ ୭ ଉଇକେଟ ହରାଇ ୧୩୯ ରନ କରିବାକୁ ସକ୍ଷମ ହୋଇଥିଲା। ଆଉ ସନ୍ରାଇଜର୍ସ ଫାଇନାଲରେ ପହଞ୍ଚିଥିଲା ।
ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ। ଘାତକ ବୋଲିଂ କରିଥିଲେ ଟ୍ରେଣ୍ଟ ବୋଲ୍ଟ। ସେ ପ୍ରଥମ ଓଭରରେ ବିପଜ୍ଜନକ ବ୍ୟାଟର ଅଭିଷେକ ଶର୍ମା (୧୨)ଙ୍କୁ ଆଉଟ କରି ବିପକ୍ଷ ଦଳକୁ ପ୍ରଥମ ଝଟ୍କା ଦେଇଥିଲେ । ଟ୍ରାଭିସ ହେଡ୍ ଓ ରାହୁଲ ତ୍ରିପାଠୀ ଇନିଂସ ସମ୍ଭାଳିଥିଲେ । ତେବେ ବିସ୍ଫୋରକ ବ୍ୟାଟିଂ କରି ରନ୍ ହାର ବଢ଼ାଇ ଆସୁଥିବା ରାହୁଲ ତ୍ରିପାଠୀଙ୍କୁ ଆଉଟ କରି ବୋଲ୍ଟ ଦ୍ୱିତୀୟ ସଫଳତା ପାଇଥିଲେ। କେବଳ ସେତିକି ନୁହେଁ ସେହି ଓଭରରେ ସେ ଏଡେନ ମାରକ୍ରମଙ୍କୁ ଆଉଟ କରିଥିଲେ । ୧୫ଟି ବଲ୍ ଖେଳିଥିବା ରାହୁଲ ୫ ଚୌକା ଓ ୨ ଛକା ସହାୟତାରେ ୩୭ ରନ କରିଥିଲେ ।

ଟ୍ରାଭିସ ହେଡ୍ ସ୍ବାଭାବିକ ବ୍ୟାଟିଂ କରିପାରି ନ ଥିଲେ ମଧ୍ୟ ୨୮ ବଲ୍ରୁ ୩୪ (୩ ଚୌକା, ୧ ଛକା) ରନ କରିବାରୁ ହାଇଦ୍ରାବାଦ ସ୍କୋର ୧୦ ଓଭର ବେଳକୁ ୯୯ ହୋଇ ଯାଇଥିଲା । ଫଳରେ ଦଳର ସ୍କୋର ୨୦୦ ଛୁଇଁବା ଆଶା କରାଯାଉଥିଲା । ମାତ୍ର ଠିକ୍ ସମୟରେ ଉଇକେଟ ନେଇ ରାଜସ୍ଥାନ ବୋଲରମାନେ ତାହା ହେବାକୁ ଦେଇ ନ ଥିଲେ।
ହେନରିଚ୍ କ୍ଲାସେନ ଯଦିଓ ଅର୍ଦ୍ଧଶତକ (୫୦ ରନ) ହାସଲ କରିଥିଲେ ତେବେ ଏଥିପାଇଁ ୩୪ଟି ବଲ୍ର ସହାୟତା ନେଇଥିଲେ। ନୀତୀଶ ରେଡ୍ଡୀ ୫, ଅବଦୁଲ ସମଦ ଡକ୍(୦)ରେ ଆଉଟ ହେବା ସନ୍ରାଇଜର୍ସକୁ ବ୍ୟାକ୍ଫୁଟରେ ରଖିଥିଲା। ଇମ୍ପାକ୍ଟ ଖେଳାଳି ଶାହାବାଜ ଅହମଦ ୧୮ଟି ବଲ୍ ଖେଳି ୧୮ ରନ କରିଥିଲେ। ସନ୍ଦିମ ଶର୍ମା ୨ଟି ଉଇକେଟ ନେଇଥିଲେ।
ଏହାର ଜବାବରେ ଜୟସୱାଲ ଭଲ ଆରମ୍ଭ କରିଥିଲେ ହେଁ ସହାୟତା ପାଇ ନ ଥିଲେ । ଟମ୍ କୋଲେର କାଡମୋରେ ୧୦, ଅଧିନାୟକ ସଞ୍ଜୁ ସାମସନ ୧୦ ଓ ରିୟାନ ପରାଗ ୬ ରନରେ ଆଉଟ ହେବାରୁ ରାଜସ୍ଥାନର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ରବିଚନ୍ଦ୍ରନ ଅଶ୍ୱିନ ଡକ୍(୦), ଇମ୍ପାକ୍ଟ ପ୍ଲେୟର ଶିମରନ ହେଟମେର ୪ ଓ ରୋଭମାନ ପାଓ୍ବେଲ ୬ ରନରେ ଆଉଟ ହେବା ସହ ରାଜସ୍ଥାନ ସମ୍ଭାବନା ଶେଷ ହୋଇ ଯାଇଥିଲା। ମିଡିଲ ଅର୍ଡରରେ ଧ୍ରୁବ ଜୁରେଲ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ତାହା ଦଳର ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ସେ ୩୫ ବଲ୍ରୁ ୫୬ (୭ ଚୌକା, ୨ ଛକା) ରନକରି ଅପରାଜିତ ରହିଥିଲେ। ହାଇଦ୍ରାବାଦ ବୋଲରଙ୍କ ମଧ୍ୟରେ ଶାହାବାଜ ଅହମଦ ୩ଟି, ଅଭିଷେକ ଶର୍ମା ୨ଟି ଏବଂ ପ୍ୟାଟ୍ କୁମିନ୍ସ ଓ ଟି. ନଟରାଜନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ରବିବାର ଫାଇନାଲ ଖେଳାଯିବ। ରାଜସ୍ଥାନ ଏହା ପୂର୍ବରୁ ୨୦୦୮ରେ ଚାମ୍ପିୟନ ଏବଂ ୨୦୨୨ରେ ରନରଅପ୍ ହୋଇଥିଲା। ଏଠାରେ କ୍ୱାଲିଫାୟର ଜିତି ଦଳ ପାଇଁ ଫାଇନାଲ ଖେଳିବା ସୁଯୋଗ ରହିଥିଲେ ହେଁ ତାହା ଅଧୁରା ରହିଛି। ଅନ୍ୟପକ୍ଷରେ ୨୦୧୬ରେ ଚାମ୍ପିୟନ ଓ ୨୦୧୮ରେ ରନରଅପ୍ ହୋଇଥିବା ସନ୍ରାଇଜର୍ସ ତୃତୀୟ ଥରପାଇଁ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି ।












Click it and Unblock the Notifications