କ୍ରୀଡା ପ୍ରତିଭା ଅନ୍ୱେଷଣ: 5 ଦିନରେ 2005 ଖେଳାଳି ଓ 826 କୋଚ କଲେଣି ନାମ ପଞ୍ଜିକରଣ
ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରତିବର୍ଷ ପରି ଚଳିତ 2022 ବର୍ଷ ଲାଗି ଆୟୋଜିତ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଲାଗି ଯୁବବର୍ଗଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି ।
ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରତିବର୍ଷ ପରି ଚଳିତ 2022 ବର୍ଷ ଲାଗି ଆୟୋଜିତ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଲାଗି ଯୁବବର୍ଗଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଗତ 29 ଡିସେମ୍ବର 2021ରୁ ଆରମ୍ଭ ହୋଇ 15 ଜାନୁଆରୀ 2022 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଲାଗି ବର୍ତ୍ତମାନ ସୁଦ୍ଧା 2005ଜଣ ବିଦ୍ୟାର୍ଥୀ ଏବଂ 826ଜଣ କୋଚ ନିଜର ନାମ ପଞ୍ଜିକରଣ କରିସାରିଲେଣି ।

କ୍ରୀଡ଼ା ପ୍ରତି ଯୁବ ବର୍ଗଙ୍କ ମଧ୍ୟରେ ରୁଚି ଓ ବଢୁଥିବା ଆଗ୍ରହକୁ ଦେଖି ଆସନ୍ତା 15 ତାରିଖ ସୁଦ୍ଧା ଏହା 10 ହାଜର ପାର କରିଯାଇଥିବ ବୋଲି ବିଭାଗ ଆଶା ରଖିଛି । କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହିତ କରିବା ଏବଂ ଭବିଷ୍ୟତରେ ରାଜ୍ୟରୁ ଅଧିକ ମାତ୍ରାରେ କ୍ରୀଡ଼ା ତାରକା ସୃଷ୍ଟି ଲକ୍ଷ୍ୟରେ ବିଭାଗ ପକ୍ଷରୁ 8 ରୁ 18 ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣ ଆରମ୍ଭ ହୋଇଛି । କ୍ରୀଡ଼ା ପ୍ରତି ରୁଚି ରଖିଥିବା ବିଦ୍ୟାର୍ଥୀ ଏବଂ କୋଚ www.department.sportsodisha.gov.in ମାଧ୍ୟମରେ ନିଜର ନାମ ପଞ୍ଜିକରଣ କରିପାରିବେ ।

କ୍ରୀଡ଼ା ଶିକ୍ଷକ/ ପ୍ରଶିକ୍ଷକ ମାନେ ନିଜ ନାମ ପଞ୍ଜିକରଣ କରାଇ ଓଡ଼ିଶା ପାଇଁ ଭବିଷ୍ୟତର କ୍ରୀଡ଼ା ତାରକା ଅନ୍ୱେଷଣ କରିବା କାର୍ଯ୍ୟରେ ସରକାରଙ୍କ ସହଭାଗୀ ହେବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ବିଭିନ୍ନ ପର୍ଯ୍ୟାୟରେ ଉପଯୁକ୍ତ ପରୀକ୍ଷଣ ମାଧ୍ୟମରେ କ୍ରୀଡ଼ା ପ୍ରତିଭା ଚୟନ କରାଯିବ । ଏହି ଚୟନ ପ୍ରକ୍ରିୟାରେ ଉତୀର୍ଣ୍ଣ ପ୍ରତିଭାମାନେ ରାଜ୍ୟସରକାରଙ୍କ କ୍ରୀଡ଼ା ଛାତ୍ରାବାସ କିମ୍ବା ଛାତ୍ରାବାସ ବାହାରେ ରହି ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ଶୃଙ୍ଖଳାରେ ପ୍ରଶିକ୍ଷଣ ଲାଭ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications