ହକି ବିଶ୍ୱକପ ପ୍ରସ୍ତୁତି ପାଇଁ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ୟୁରୋପ ଗସ୍ତ
ଆଗାମୀ ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ସଫଳ କରିବା ଲକ୍ଷ୍ୟରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ସହ ୟୁରୋପ ଗସ୍ତରେ ଯାଉଛନ୍ତି ।
ଭୁବନେଶ୍ୱର: ଆସନ୍ତା ୨୦୨୩ରେ ଓଡ଼ିଶା ପୁଣିଥରେ ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି । ଏହା ସମଗ୍ର ଓଡ଼ିଆବାସୀଙ୍କ ଲାଗି ଗର୍ବର ବିଷୟ । ରାଜ୍ୟରେ ଅନୁଷ୍ଠିତ ଯେକୌଣସି ଇଭେଣ୍ଟ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପ୍ରତ୍ୟେକ ବର୍ଗର ଲୋକେ ଯେପରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ସେଥିନେଇ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି ।

ଏହି ଦୃଷ୍ଟିରୁ ଆଗାମୀ ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍କୁ ସଫଳ କରିବା ବିଭାଗ ପ୍ରଥମ ଲକ୍ଷ୍ୟ । ଏଥିପାଇଁ ପୂର୍ବ ପ୍ରସ୍ତୁତି ସ୍ୱରୂପ ଖୋଦ୍ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ସହ ୟୁରୋପ ଗସ୍ତରେ ଯାଉଛନ୍ତି । ଏଥିରେ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, କ୍ରୀଡ଼ା ବିଭାଗର ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ, ଶୈଳେନ୍ଦ୍ର କୁମାର ଜେନା, ରଞ୍ଜିତ ପରିଡା, ଯୁଗ୍ମ ଶାସନ ସଚିବ ତଥା ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୈଳାଶ ଚନ୍ଦ୍ର ଦାସ, ବିଭାଗର ବରିଷ୍ଠ ଅଧିକାରୀଗଣ ତଥା ବିଭିନ୍ନ ଡିସିପ୍ଲିନରେ କାର୍ଯ୍ୟରତ ବିଶେଷଜ୍ଞମାନେ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ଅଛନ୍ତି । ବର୍ତ୍ତମାନ ୟୁରୋପର ନେଦରଲ୍ୟାଣ୍ଡ ଏବଂ ସ୍ପେନରେ ମହିଳା ବିଶ୍ୱକପ୍ ଆୟୋଜିତ ହେଉଛି ।
ଆୟୋଜକ ଏଫ୍ଆଇଏଚ୍ର ନିମନ୍ତ୍ରଣରେ କ୍ରୀଡ଼ା ଓ ଯୁବସେବା ବିଭାଗର ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀବେହେରାଙ୍କ ନେତୃତ୍ୱରେ ଆଜି ଗସ୍ତ କରିଛନ୍ତି । ଏଥିଲାଗି ଏହି ପ୍ରତିନିଧି ମଣ୍ଡଳୀ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରୁ ନୂଆଦିଲ୍ଲୀ ଓ ପରେ Amsterdam ଗସ୍ତ କରିବେ । ସେଠାରେ ପହଞ୍ଚିବା ପରେ ଭାରତ ମ୍ୟାଚ ଦେଖିବାର କାର୍ଯ୍ୟକ୍ରମ ଅଛି । ଏହି ପ୍ରତିନିଧି ମଣ୍ଡଳୀ ସେଠାରେ ପୂରା ୧୦ ଦିନ ରହି ବିଭିନ୍ନ ମ୍ୟାଚ ପରିଦର୍ଶନ କରିବା ସହ ମେଗା ଇଭେଣ୍ଟର ଆୟୋଜନ, ଆତିଥ୍ୟ ଶୈଳୀ, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସୁପରିଚାଳନା, ଖେଳର ପ୍ରଚାରପ୍ରସାର, ଖେଳାଳୀମାନଙ୍କ ରହଣି, ଯିବାଆସିବା ଏବଂ ସୁରକ୍ଷା ବ୍ୟବସ୍ଥା ଆଦି ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବେ ।
ଏହି ପ୍ରତିନିଧି ମଣ୍ଡଳୀ ସେଠାକାର ଖେଳ ପରିଚାଳନାର ବିଭିନ୍ନ ଭଲ ଦିଗକୁ ଅନୁଧ୍ୟାନ କରି ଏହାକୁ କିପରି ୨୦୨୩ରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍ରେ ପ୍ରତିଫଳିତ କରାଯାଇପାରିବ ସେଥିପ୍ରତି ଗୁରୁତ୍ୱ ଦେବେ । ବିଧାନସଭା ଯୋଗୁଁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ 12 ତାରିଖରେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟ ସଦସ୍ୟମାନେ ପୂରା ୧୦ ଦିନ ସେଠାରେ ରହି ସେଠାକାର ବିଶ୍ୱକପ ହକି ପରିଚାଳନା ଅନୁଧ୍ୟାନ କରିବେ ।
ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ସବୁବେଳେ କ୍ରୀଡ଼ା ଭ୍ରାତୃତ୍ୱଭାବକୁ ଗୁରୁତ୍ୱ ଦେଇ ଆସିଥିବାବେଳେ ଆଗକୁ ଏହି ଧାରା ବଜାୟ ରହିବ । ସର୍ବଶେଷରେ ରାଉରକେଲା ଓ ଭୁବନେଶ୍ୱରରେ ହେବାକୁଥିବା ୨୦୨୩ ହକି ବିଶ୍ୱକପ୍କୁ କିପରି ଅଧିକ ସରସସୁନ୍ଦର କରି ହେବ ଏବଂ ଯେଉଁ ମହତ ଉଦ୍ଦେଶ୍ୟ ନେଇ ଓଡିଶା ଦଳ ବିଦେଶ ଗସ୍ତରେ ଯାଉଛନ୍ତି ତାହା କିପରି ସଫଳ ହେବ ସେଥିନେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବୋଲି ଏହି ଗସ୍ତ ଅବସରରେ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାର କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ ସହ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରି ସମଗ୍ର ବିଶ୍ୱରେ ପ୍ରଶଂସା ସାଉଣ୍ଟି ପାରିଛନ୍ତି । ଗତ କିଛି ବର୍ଷ ଧରି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କ୍ରୀଡ଼ା କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ହାତକୁ ନେବା ଯୋଗୁଁ ବର୍ତ୍ତମାନ ଓଡ଼ିଶା, ସାରା ଦେଶ ତଥା ବିଶ୍ୱରେ ଏକ କ୍ରୀଡ଼ା ହବର ମାନ୍ୟତା ହାସଲ କରିପାରିଛି ।
ଚମ୍ପିଅନ୍ ଟ୍ରଫି ହକିଠାରୁ ଆରମ୍ଭ କରି ପୁରୁଷ ହକି ବିଶ୍ୱକପ୍, ପ୍ରୋ-ଲିଗ୍ ହକି, ଜୁନିଅର ପୁରୁଷ ହକି ବିଶ୍ୱକପ୍, ଏସିଆନ୍ ଆଥ୍ଲେଟିକ୍ସ ମିଟ୍, ଓଡ଼ିଶା ଓପନ୍ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ, ରାଜ୍ୟଗୋଷ୍ଠୀ ଟିଟି ଚମ୍ପିଅନ୍ସିପ୍, ଜାତୀୟ ପାରା ଆଥ୍ଲେଟିକ୍ସ, ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ ଆଦି ଆହୁରି ଅନେକ କ୍ରୀଡ଼ା ଇଭେଣ୍ଟକୁ କ୍ରୀଡ଼ା ଓ ଯୁବସେବା ବିଭାଗ ସଫଳତାର ସହ ଆୟୋଜନ କରି ସମଗ୍ର ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।
ନିକଟରେ ସମସ୍ତ ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ନେଇ ଗୁଜୁରାଟରେ ଜାତୀୟ ସ୍ତରର କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା ପକ୍ଷରୁ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଯେଉଁ ପାରଦର୍ଶିତା ଅର୍ଜନ କରିଛି ସେଥିପାଇଁ ଏହି କର୍ମଶାଳାରେ ଓଡ଼ିଶାକୁ ଢେର ପ୍ରଶଂସା ମିଳିଥିଲା ।












Click it and Unblock the Notifications