ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ବୃଦ୍ଧି କଲେ ସରକାର, Y ବଦଳରେ ମିଳିଲା Z କାଟାଗୋରୀ ସୁରକ୍ଷା
କୋଲକାତା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିଛି ପଶ୍ଚିମବଙ୍ଗ ସରକାର । ପୂର୍ବରୁ ଗାଙ୍ଗୁଲିଙ୍କୁ ମିଳୁଥିବା ୱାଇ କ୍ୟାଟେଗୋରୀ ସୁରକ୍ଷାକୁ ବଦଳାଇ ମଙ୍ଗଳବାର ଜେଡ୍ ବର୍ଗ ପ୍ରଦାନ କରାଯାଇଛି ।
ତେବେ ହଠାତ୍ ସୌରଭଙ୍କ ସୁରକ୍ଷା ବଢାଯାଇଥିବାରୁ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଗାଙ୍ଗୁଲିଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ତାଙ୍କୁ ଯେଉଁ ପ୍ରକାର ସୁରକ୍ଷା ମିଳୁଥିଲା ତାହାର ଅବଧି ଶେଷ ହୋଇଥିଲା । ନିୟମ ଅନୁସାରେ, ପୁଣି ଥରେ ତାଙ୍କ ସୁରକ୍ଷାର ସମୀକ୍ଷା କରାଯାଇଥିଲା । ପରେ ସୁରକ୍ଷା ବଢାଇବାକୁ ନିଷ୍ପତ୍ତି ହୋଇଛି ।

ନୂଆ ନିଷ୍ପତ୍ତି ଅନୁସାରେ, ଗାଙ୍ଗୁଲିଙ୍କ ସୁରକ୍ଷାରେ ୮ରୁ ୧୦ ଜଣ ପୋଲିସ ରହିବେ । ୱାଇ ବର୍ଗରେ ତାଙ୍କ କର୍ଡନ ପାଇଁ ସ୍ପେସାଲ ବ୍ରାଞ୍ଚର ୩ ଜଣ ପୁଲିସ ରହୁଥିଲେ । ଏଥିସହ ତାଙ୍କ ବେହାଲା ବାସଭବନ ନିକଟରେ ମଧ୍ୟ ସମାନ ପରିମାଣର ସୁରକ୍ଷା କର୍ମଚାରୀ ମୁତୟନ କରାଯାଉଥିଲା ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ସେ କଲକିତା ଫେରିବେ । ଆଉ ଏହାପରେ ତାଙ୍କୁ ନୂଆ ସୁରକ୍ଷା ବ୍ୟବସ୍ଥା ଅନୁସାରେ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ । ସଂପ୍ରତି ଗାଙ୍ଗୁଲି ଆଇପିଏଲ୍ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସହ ରହିଛନ୍ତି।
ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସୌରଭ ଗାଙ୍ଗୁଲି ବିଜେପିରେ ଯୋଗଦେବା ଚର୍ଚ୍ଚା ହୋଇଥିଲା । ଅବଶ୍ୟ ବିଜେପି କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦେବା ନେଇ ଗାଙ୍ଗୁଲିଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବୟାନ ଦିଆଯାଇ ନାହିଁ । ପରେ ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ କେନ୍ଦ୍ର ସରକାର ଓ ବିଜେପି ନେତାଙ୍କ ସହ ତାଙ୍କ ସମ୍ପର୍କ ଖରାପ ହୋଇଛି । ସୌରଭଙ୍କୁ ବିସିସିଆଇ ସଭାପତି ପଦରୁ ହଟିବାକୁ ମଧ୍ୟ ପଡ଼ିଛି ।












Click it and Unblock the Notifications