'ଇଂଲଣ୍ଡର ପରିସ୍ଥିତି ସହ ମୁଁ ପରିଚିତ, ଏହା ଦଳର କାମରେ ଆସିବ'
ଓଡିଶାରୁ 3ୟ କ୍ରିକେଟର ଭାବେ ଜାତୀୟ ଦଳରେ ସାମିଲ ହୋଇଥିବା ପୂର୍ବତନ ଟେଷ୍ଟ ଓପନର୍ ଶିବ ସୁନ୍ଦର ଦାସଙ୍କୁ ଭାରତୀୟ ମହିଳା ଦଳର ବ୍ୟାଟିଂ କୋଚ ଭାବେ ନିଯୁକ୍ତ କରାଯାଇଛି । ଏନେଇ ଗତକାଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ବର: ଓଡିଶା କ୍ରିକେଟ ପାଇଁ ଆଉ ଏକ ଖୁସି ଖବର ତଥା ଗର୍ବର ବିଷୟ । ଓଡିଶାରୁ 3ୟ କ୍ରିକେଟର ଭାବେ ଜାତୀୟ ଦଳରେ ସାମିଲ ହୋଇଥିବା ପୂର୍ବତନ ଟେଷ୍ଟ ଓପନର୍ ଶିବ ସୁନ୍ଦର ଦାସଙ୍କୁ ଭାରତୀୟ ମହିଳା ଦଳର ବ୍ୟାଟିଂ କୋଚ ଭାବେ ନିଯୁକ୍ତ କରାଯାଇଛି । ଏନେଇ ଗତକାଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଖବର ପ୍ରଘଟ ହେବା ପରେ ଖୁସି ଜାହିର କରିଛନ୍ତି ଶ୍ରୀ ଦାସ ।

ଇଂଲଣ୍ଡର ପରିସ୍ଥିତି ସହିତ ପରିଚିତ:
ଶିବ ସୁନ୍ଦର ଦାସ କହିଛନ୍ତି ଯେ ମୁଁ ପ୍ରକୃତରେ ଏହି ସୁଯୋଗକୁ ଅପେକ୍ଷା କରିଥିଲି । ଏହା ମୋ ପାଇଁ ଏକ ଭଲ ଚ୍ୟାଲେଞ୍ଜ ହେବ । କାରଣ ମୁଁ ଜଣେ ଖେଳାଳି ଭାବରେ ଇଂଲଣ୍ଡ ଗସ୍ତ କରି ବହୁତ କ୍ରିକେଟ୍ ଖେଳିଛି । ପରିସ୍ଥିତି ସହିତ ମୁଁ ଟିକିଏ ପରିଚିତ । ଏହା ଦଳକୁ ସାହାଯ୍ୟ କରିବ । ମୋର ଧ୍ୟାନ କେବଳ ଇଂଲଣ୍ଡ ଗସ୍ତ ପାଇଁ, କାରଣ ମୁଁ ଇଂଲଣ୍ଡ ଗସ୍ତ ପାଇଁ ଆସିଛି ।
ସୂଚନାଯୋଗ୍ୟ ଯେ, ଦଳ ଆଗାମୀ ମାସରେ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଖେଳାଳିଙ୍କୁ ମେ 19 ରେ ମୁମ୍ବାଇରେ ପହଞ୍ଚିବାକୁ ପଡିବ। ଏହି ଗସ୍ତରେ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ, ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ।

ସେହିପରି ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ କରାଯାଇଛି। ଏହାପୂର୍ବରୁ ରମେଶ ପାୱାର ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ। କୋଚ ପାଇଁ ମୋଟ 35ଟି ଆବେଦନ ଗ୍ରହଣ କରାଯାଇଥିଲା । ଚଳିତ ମାସ 8 ତାରିଖରେ ଏକ ସାକ୍ଷାତକାର ନିଆଯାଇଥିଲା । ପୱାରଙ୍କୁ ପୁନର୍ବାର କୋଚର ଦାୟିତ୍ବା ଦିଆଯାଇଛି । ଶିବ ସୁନ୍ଦରଙ୍କୁ ବ୍ୟାଟିଂ କୋଚ୍ ଦାୟିତ୍ଵ ଦିଆଯାଇଛି।

ସେହିପରି ରାଜକୁମାରଦେବୀ ଗାଇକୱାଡଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ମ୍ୟାନେଜର କରାଯାଇଛି। ସେ ବର୍ତ୍ତମାନ ବରୋଦା ମହିଳା ଚୟନ କମିଟିର ମୁଖ୍ୟ ଅଛନ୍ତି। ଶିବ ସୁନ୍ଦର ଦାସ ପୂର୍ବରୁ 2020 ରେ ଭାରତୀୟ ମହିଳା ଏ ଦଳ ସହିତ କାମ କରିଥିଲେ।
ଶିବ ସୁନ୍ଦରଙ୍କ କ୍ରିକେଟ କ୍ୟାରିଅର:
43 ବର୍ଷୀୟ ଶିବ ସୁନ୍ଦର ଦାସ ପ୍ରଥମ ଶ୍ରେଣୀ କ୍ରିକେଟରେ 10,000 ରୁ ଅଧିକ ରନ୍ କରିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ହାରାହାରି 39 ଟି ମ୍ୟାଚରେ 10908 ରନ୍ ସ୍କୋର କରିଛନ୍ତି। ତାଙ୍କର ଖାତାରେ 24ଟି ଶକତ ଓ 52 ଅର୍ଦ୍ଧଶତକ ସାମିଲ ଅଛି । ତାଙ୍କର ଅପରାଜିତ 300 ରନ୍ ହେଉଛି ତାଙ୍କର ସର୍ବାଧିକ ସ୍କୋର । ଟେଷ୍ଟ କ୍ରିକେଟ କଥା କହିଲେ, ଶ୍ରୀ ଦାସ ହାରାହାରି 35 ରେ 23 ଟି ମ୍ୟାଚରୁ 1326 ରନ୍ ସଂଗ୍ରହ କରିଛନ୍ତି। ଏଥିରେ ଦୁଇ ଶତକ ଏବଂ 9 ଅର୍ଦ୍ଧଶତକ ସାମିଲ ଅଛି । ସେ 4 ଟି ଦିନିକିଆ ମଧ୍ୟ ଖେଳିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ଓଡିଶାର ତୃତୀୟ ଖେଳାଳି।

ଏହା ପୂର୍ବରୁ ଶିବସୁନ୍ଦର ଦାସ ୨୦୧୭ରେ ଓ୍ଵେଷ୍ଟଇଣ୍ଡିଜ କ୍ରିକେଟ୍ ଆସୋସିଏସନ ଦ୍ଵାରା ବାର୍ବାଡୋସ୍ କ୍ରିକେଟ୍ ଟିମର କୋଚ୍ ରହି ସାରିଛନ୍ତି। ୨୦୧୮ରେ ସେ ମଣିପୁର କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ମଧ୍ୟ ରହିଛନ୍ତି। ସେ ୨୦୧୬ରୁ ୧୬ ବର୍ଷରୁ କମ ଏବଂ ୧୯ ବର୍ଷରୁ କମ କ୍ରିକେଟ୍ରଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। କୋଚିଂରେ ଦାସଙ୍କ ଢେର ଅଭିଜ୍ଞତା ରହିଛି। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଜାତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟିଂ ଭାବେ ନିଯୁକ୍ତ କରିଛି।












Click it and Unblock the Notifications