ବାଂଲାଦେଶୀ କ୍ରିକେଟର ସାକିବ ଅଲ ହାସନଙ୍କ ନାଁରେ ହତ୍ୟା ମାମଲା ରୁଜୁ
ବାଂଲାଦେଶ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନଙ୍କ ଅଡ଼ୁଆ ବଢ଼ିଛି।କ୍ରିକେଟ ପଡ଼ିଆରେ ନିଜର ଉଗ୍ର ଆଚରଣ ଓ ସାମ୍ବାଦିକ ସମ୍ମିଳନୀରେ ବିବାଦୀୟ ବୟାନ ନେଇ ପୂର୍ବରୁ ଚର୍ଚ୍ଚାରେ ରହିଛନ୍ତି ଏହି କ୍ରିକେଟର । ମାତ୍ର ଏବେ ତାଙ୍କ ନାଁରେ ଆସିଛି ସଙ୍ଗୀନ ହତ୍ୟା ଅଭିଯୋଗ । ବର୍ତ୍ତମାନ ପାକିସ୍ତାନ ବିପକ୍ଷରେ ବାଂଲାଦେଶ ପାଇଁ ଟେଷ୍ଟ ମ୍ୟାଚ୍ ଖେଳୁଥିବା ସାକିବଙ୍କ ନାଁରେ ରୁଜୁ ହୋଇଛି ହତ୍ୟା ମାମଲା।
ଅଗଷ୍ଟ ୭ରେ ବାଂଲାଦେଶରେ ଦେଖା ଦେଇଥିବା ହିଂସାରେ ରୁବେଲ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ବାପା ରଫିକୁଲ ଇସଲାମ ଏନେଇ ସାକିବଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍ ସାକିବଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଥିବା ଢାକା ଟ୍ରିବ୍ୟୁନରେ ଖବର ପ୍ରକାଶ ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ଅଦାବୋରରେ ଥିବା ରିଙ୍ଗ ରୋଡରେ ଆୟୋଜିତ ରାଲିରେ ରୁବେଲ ସାମିଲ ହୋଇଥିଲେ। ଏହି ସମୟରେ ରୁବେଲଙ୍କ ଛାତି ଓ ତଳି ପେଟରେ ଗୁଳି ମାଡ଼ ହେବାରୁ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପଛରେ ସାକିବ ଥିବା ରୁବେଲଙ୍କ ବାପା ଅଭିଯୋଗ କରିଥିଲେ।
ଏନେଇ ସେ ଢାକା ପୁଲିସ୍ ଷ୍ଟେସନରେ ସାକିବଙ୍କ ସମେତ ଅନେକ ଲୋକଙ୍କ ନାଁରେ ଏଫଆଇଆର ଦେଇଥିଲେ। ପୁଲିସ୍ ରୁଜୁ କରିଥିବା ମାମଲରେ ସାକିବ ହେଉଛନ୍ତି ୨୮ମ ଅଭିଯୁକ୍ତ। ସେହିପରି ବାଂଲାଦେଶ ଅଭିନେତା ଫେରଡସ ଅହମଦଙ୍କୁ ୫୫ତମ ଅଭିଯୁକ୍ତ ଭାବେ ଦର୍ଶା ଯାଇଛି। ଉଭୟ ଶେଖ ହସିନାଙ୍କ ଆବାମୀ ଲିଗର ସାଂସଦ ରହିଥିଲେ। ପୁଲିସ ମୋଟ ୧୫୫ ଜଣଙ୍କ ନାଁରେ ମାମଲା କରିଛି। ଏଥିରେ ସାକିବଙ୍କ ସମେତ ଶେଖ ହସିନାଙ୍କ ନାଁ ମଧ୍ୟ ରହିଛି। ଘଟଣାରେ ୪୦୦ରୁ ୫୦୦ ଅଚିହ୍ନା ଲୋକଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
ଅନ୍ୟପକ୍ଷରେ ବାଂଲାଦେଶ କ୍ରିକେଟ ବୋର୍ଡ ଦଳର ପୂର୍ବତନ ଅଧିନାୟକ ଫାରୁକି ଅହମଦଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି। ପୂର୍ବରୁ ବିସିବି ସଭାପତି ଭାବେ କାର୍ଯ୍ୟ କରୁଥିବା ନଜମୁଲ ହାସନ ଇସ୍ତଫା ଦେବାରୁ ଅହମଦଙ୍କୁ ଦାୟିତ୍ୱ ଦିଆଯାଇଛି।












Click it and Unblock the Notifications