Sachin's Birthday Special: ଯେବେ ଭାରତ ବିପକ୍ଷରେ ପାକିସ୍ତାନ ପାଇଁ ଖେଳିଥିଲେ ସଚିନ୍
ଆଜି ସଚିନଙ୍କ ଜନ୍ମଦିନ ଅବସରରେ ତାଙ୍କ ଜୀବନକୁ ନେଇ ଏକ ରୋମାଞ୍ଚକର କାହାଣୀ ଆମେ ଆଜି ଆପଣଙ୍କୁ କହିବୁ ଆମର ଏହି ରିପୋର୍ଟରେ...
ମୁମ୍ବାଇ: ଆଜି ହେଉଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ । ୪୯ ବର୍ଷରେ ପଦାର୍ପଣ କରିଛନ୍ତି ସଚିନ । କେବଳ ଭାରତୀୟ କ୍ରିକେଟକୁ ନୁହେଁ ବରଂ ସେ ସାରା ବିଶ୍ବ କ୍ରିକେଟରେ ବନିଛନ୍ତି ମହାନ ଖେଳାଳି । କ୍ରିକେଟର ଭଗବାନ ବୋଲି ତାଙ୍କୁ ବିବେଚନା ମଧ୍ୟ କରାଯାଏ । ତେବେ ଏହି ଭଗବାନଙ୍କ ଜୀବନକୁ ନେଇ ରହିଛି ଅନେକ କିଛି ଜଣା ଅଜଣା କାହାଣୀ । ଯାହା ଆପଣ ଅଳ୍ପ-ବହୁତେ ଶୁଣିଥିବେ ।
ତେବେ ଆଜି ସଚିନଙ୍କ ଜନ୍ମଦିନ ଅବସରରେ ତାଙ୍କ ଜୀବନକୁ ନେଇ ଏକ ରୋମାଞ୍ଚକର କାହାଣୀ ଆମେ ଆଜି ଆପଣଙ୍କୁ କହିବୁ ଆମର ଏହି ରିପୋର୍ଟ Sachin's Birthday Special ରେ....

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତୀୟ କ୍ରିକେଟର ଗର୍ବ ସଚିନ ତେନ୍ଦୁଲକର ପାକିସ୍ତାନ ପାଇଁ ମଧ୍ୟ ଖେଳିଛନ୍ତି । ତାହା ପୁଣି ଭାରତ ବିପକ୍ଷରେ । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିଥିଲେ ବି ସତ । ନିଜେ ସଚିନ ଏହା ତାଙ୍କ ଆତ୍ମକଥା 'ପ୍ଲେଇଂ ଇଟ୍ ମାଇଁ ଓ୍ବେ'ରେ ଉଲ୍ଲେଖ କରିଛନ୍ତି ।
ଘଟଣାଟି ହେଉଛି ୧୯୮୮ ମସିହାର। ମୁମ୍ବାଇର ବ୍ରାବୋନ୍ ଷ୍ଟାଡିୟମ୍ରେ ଭାରତ-ପାକିସ୍ତାନ ମଧ୍ୟରେ ଏକ ଅଭ୍ୟାସ୍ ମ୍ୟାଚ୍ ଚାଲିଥାଏ। ଖେଳ ଚାଲିଥିବା ସମୟରେ ଅଚାନକ୍ ଜଣେ ପାକିସ୍ତାନର ଖେଳାଳି ଆହତ ହୋଇଯାଇଥିଲେ। ସେତେବେଳେ ବଦଳ ଖେଳାଳି ଭାବେ ଜଣେ ଭାରତୀୟ ଖେଳାଳିଙ୍କୁ ପାକିସ୍ତାନ ପାଇଁ ଫିଲ୍ଡିଂ କରିବାକୁ ଆବଶ୍ୟକ ପଡ଼ିଲା। ଆଉ ସେଇ ବଦଳ ଖେଳାଳି ଭାବେ ସଚିନ୍ ହିଁ ମୈଦାନ୍କୁ ଓହ୍ଲାଇଥିଲେ। ଅର୍ଥାତ୍ ଭାରତ ବିପକ୍ଷ ପାକିସ୍ତାନ ମ୍ୟାଚ୍ରେ ପାକିସ୍ତାନ ପକ୍ଷରୁ ମ୍ୟାଚ୍ ଖେଳିଥିଲେ ସଚିନ୍ ତେନ୍ଦୁଲକର। ଅଧିନାୟକ ଇମ୍ରାନ ଖାନ୍ ତାଙ୍କୁ ଓ୍ବାଇଡ ଲଙ୍ଗ ଅନରେ ଫିଲ୍ଡ କରିବାକୁ କହିଥିଲେ ।

ସଚିନ ତାଙ୍କ ଆତ୍ମକଥାରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଏହି ମ୍ୟାଚରେ ସେ ଭାରତୀୟ କ୍ରିକେଟର କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ କ୍ୟାଚ ପ୍ରାୟତଃ ନେଇ ଯାଇଥିଲେ କହିଲେ ଚଳେ । ଫିଲ୍ଡିଂ ସମୟରେ କପିଲ ଦେବ ସଚିନଙ୍କ ଆଡକୁ ଏୟାରରେ ଏକ ସଟ୍ ଖେଳିଥିଲେ । ଯାହାକୁ ଧରିବାକୁ ସଚିନ ତାଙ୍କ ଛୋଟ ଛୋଟ ପାଦରେ ପ୍ରାୟ ୧୫ ମିଟର ପର୍ଯ୍ୟନ୍ତ ଦୌଡି ଥିଲେ । ସେଥିକି ନୁହେଁ, ସଚିନ ବଲ୍ ପାଖରେ ପ୍ରାୟତଃ ପହଞ୍ଚି ଯାଇଥିଲେ । ଦେଖଣାହାରି କୁହନ୍ତି ଯଦି କେହି ବୟସ୍କ ଖେଳାଳି ସେଠାରେ ଫିଲ୍ଡ କରୁଥାନ୍ତେ ହୁଏତ କପିଲଙ୍କୁ କ୍ରିଜ୍ ଛାଡିବାକୁ ପଡିଥାନ୍ତା ।

୧୯୮୯ ନଭେମ୍ବର ୨୪ରେ ସଚିନ ୧୬ ବର୍ଷ ବୟସରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୫ ମେ' ୨୪ ତାରିଖରେ ସଚିନ ଓ ଅଞ୍ଜଳିଙ୍କ ବିବାହ ହୋଇଥିଲା । ୨୦୧୦ ଫେବୃଆରୀ ୨୪ରେ ସଚିନ ସାଉଥ ଆଫ୍ରିକା ବିପକ୍ଷ ଦିନିକିଆରେ ଦ୍ବିଶତକ ମାରିଥିଲେ ।












Click it and Unblock the Notifications