ରୋହିତ୍, ଶୁଭମନ, ବିରାଟ୍... 5 ବ୍ୟାଟର୍, 3 ବୋଲର, 3 ଅଲରାଉଣ୍ଡର: ଏମିତି ହେବ ଟିମ୍ ଇଣ୍ଡିଆର ବିଶ୍ୱକପ୍ କମ୍ବିନେସନ!
India Squad for World Cup 2023: ଆଜି ଦିନିକିଆ ବିଶ୍ୱକପ ପାଇଁ ଘୋଷଣା ହୋଇଛି 15 ଜଣିଆ ଭାରତୀୟ ଦଳ । ଆସନ୍ତା ଅକ୍ଟୋବର 5ରୁ ଭାରତରେ ଖେଳାଯିବାକୁ ଥିବା ଏହି ବିଶ୍ୱକପ ପାଇଁ ଭାରତୀୟ ଦଳରେ ସମସ୍ତ ଅଭିଜ୍ଞ ଖେଳାଳିଙ୍କୁ ସ୍ଥାନ ମିଳିଛି ।
ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦଳ ଘୋଷଣା କରିଛନ୍ତି । ଦଳରେ 5-ବ୍ୟାଟ୍ସମ୍ୟାନ୍, 3-ଅଲରାଉଣ୍ଡର, 2-ୱିକେଟକିପର, 4 ଦ୍ରୁତ ବୋଲର ଏବଂ 1 ସ୍ପିନର ଚୟନ ରଖାଯାଇଛି ।

ତେବେ ଘୋଷଣା ହୋଇଥିବା 15 ଜଣିଆ ଦଳରେ ପ୍ରାୟତଃ ଏସିଆ କପ୍ ଖେଳୁଥିବା ସମସ୍ତଙ୍କୁ ସ୍ଥାନ ମିଳିଛି । ତେବେ ବହୁ ଆଲୋଚିତ ଦୁଇ ଖେଳାଳି କେଏଲ ରାହୁଲ ଓ ଇଶାନ କିଷାନଙ୍କୁ ମଧ୍ୟ ମିଳିତ ଭାବେ ଦଳରେ ସ୍ଥାନ ମିଳିଛି । ଅନ୍ୟପଟେ ଦଳର ଅଭିଜ୍ଞ ସ୍ପିନର୍ ଆର୍ ଅଶ୍ୱୀନ, ୟୁଜୁବେନ୍ଦ୍ର ଚହଲ ଓ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ବିଶ୍ୱକପ ସ୍ୱାର୍ଡରେ ସ୍ଥାନ ମିଳିନାହିଁ ।
ଦଳର ମୁଖ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କ୍ୟାପଟେନ ରୋହିତ ଶର୍ମା ନିଜେ ପ୍ରଥମ ସ୍ଥାନରେ ରହିଛନ୍ତି । ଏହା ପରେ ବିରାଟ କୋହଲି ଜଣେ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଭାବରେ ଦଳରେ ଉପସ୍ଥିତ ଅଛନ୍ତି । ତା'ପରେ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ ରହିଛନ୍ତି। ଏହା ପରେ ଶ୍ରେୟସ୍ ଆୟରଙ୍କୁ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବରେ ମନୋନୀତ କରାଯାଇଛି । ଏଥି ସହିତ ସୂର୍ଯ୍ୟକୁମାର ଯାଦବ ପଞ୍ଚମ ବ୍ୟାଟ୍ସମ୍ୟାନ୍ ଭାବରେ ଦଳରେ ରହିଛନ୍ତି ।
- ପାଞ୍ଚ ଜଣ ବ୍ୟାଟ୍ସମ୍ୟାନ୍: ରୋହିତ ଶର୍ମା, ବିରାଟ କୋହଲି, ଶୁବମାନ ଗିଲ, ଶ୍ରେୟାସ ଆୟର ଏବଂ ସୂର୍ଯ୍ୟକୁମାର ଯାଦବ ।
ସେହିପରି ୱିକେଟ୍ କିପିଂ ବିଭାଗରେ କେଏଲ ରାହୁଲ ଏବଂ ଇଶାନ କିଷାନଙ୍କୁ ସୁଯୋଗ ଦିଆଯାଇଛି । ୱିକେଟକିପର ଭାବରେ ରାହୁଲ ଦଳର ପ୍ରଥମ ପସନ୍ଦ ହେବେ । ଇଶାନଙ୍କୁ ବ୍ୟାକଅପ୍ କିପର ଭାବରେ ରଖାଯାଇଛି ।
- ୱିକେଟକିପର: କେ.ଏଲ୍ ରାହୁଲ ଏବଂ ଇଶାନ୍ କିଶାନ୍ ।
ତେବେ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଲରାଉଣ୍ଡର ଭାବେ ସାମିଲ କରାଯାଇଛି । ଏହା ବ୍ୟତୀତ ଅଭିଜ୍ଞ ସ୍ପିନ୍ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଦଳର ଏକ ଅଂଶ । ଅକ୍ସର ପଟେଲଙ୍କୁ ମଧ୍ୟ ଦଳରେ ରଖାଯାଇଛି ।
- ଅଲରାଉଣ୍ଡର: ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ ଅକ୍ସର ପଟେଲ ।
ଅନ୍ୟପଟେ ଦଳରେ କେବଳ ଜଣେ ମୁଖ୍ୟ ସ୍ପିନର କୁଲଦୀପ ଯାଦବଙ୍କୁ ସୁଯୋଗ ଦିଆଯାଇଛି । କାରଣ ରବିନ୍ଦ୍ର ଜାଡେଜା ଏବଂ ଅକ୍ସର ପଟେଲ ତାଙ୍କୁ ସ୍ପିନ୍ ବିଭାଗରେ ସମର୍ଥନ କରୁଥିବା ଦେଖିବାକୁ ମିଳିବେ ।
- ସ୍ପିନର: କୁଲଦୀପ ଯାଦବ
ସେହିପରି ବିଶ୍ୱକପ ପାଇଁ ଚାରିଜଣ ଦୃତ ବୋଲରଙ୍କୁ ଦଳରେ ସାମିଲ କରାଯାଇଛି । ଯେଉଁଥିରେ ଅନ୍ତର୍ଭୁକ୍ତ- ଜସପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଲ ଠାକୁର । ଶାର୍ଦୁଲ ଏପରି ଜଣେ ବୋଲର ଯିଏ ଶେଷରେ ଆସି ଭଲ ବ୍ୟାଟିଂ କରିବାର କ୍ଷମତା ରଖିଛନ୍ତି ।
- ଦ୍ରୁତ ବୋଲର: ଜସପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଲ ଠାକୁର ।
ବିଶ୍ୱକପ୍ 2023 ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି, ଅକ୍ସର ପଟେଲ ସୂର୍ଯ୍ୟକୁମାର ଯାଦବ ।
ତେଣୁ ଏପରି ସ୍ଥଳେ ବିଶ୍ୱକପ ମ୍ୟାଚରେ କଣ ହେବ ଭାରତୀୟ ଦଳର ଚୁଡାନ୍ତ ଏକାଦଶ । ତାକୁ ନେଇ ଏବେ ବେଶ୍ କଳ୍ପନା ଜଳ୍ପନା ଲାଗି ରହିଛି । ଅନେକ କ୍ରିକେଟ୍ ସମୀକ୍ଷକ ମତ ପ୍ରକାଶ କରୁଛନ୍ତି । ଚଳିତ ଏସିଆ କପ ଭଳି ଟିମ୍ କମ୍ବିନେଶନ ସହ ବିଶ୍ୱକପରେ ମଧ୍ୟ ପଡ଼ିଆକୁ ଓହ୍ଲାଇବ ଭାରତ । ତେବେ ଏପରି ହେଲେ କ୍ୟାପଟେନ ରୋହିତ ଶର୍ମାଙ୍କୁ କେବଳ ଇଶାନ କିଷାନ ଏବଂ ଲୋକେଶ ରାହୁଲଙ୍କ ମଧ୍ୟରେ ନିଷ୍ପତ୍ତି ନେବାକୁ ପଡିବ ।
କାରଣ ଗତ କିଛି ଦିନିକିଆରେ ଇଶାନ କିଷାନ ବ୍ୟାଟ୍ସମ୍ୟାନଙ୍କ ଭଳି ପ୍ରଦର୍ଶନ କରିବା ପରେ ତାଙ୍କୁ ଅଣଦେଖା କରିବା ସହଜ କାମ ହେବ ନାହିଁ । ଅନ୍ୟପଟେ ଆହାତ କାରଣରୁ ଗତ 7 ମାସ ହେଲା ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ରହିଥିବା କେଏଲ ରାହୁଲ ଏସିଆ କପ୍ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଥିଲା । ମାତ୍ର ସେ ଏପର୍ଯ୍ୟନ୍ତ ଅନଫିଟ୍ ଥିବାରୁ, ଏସିଆ କପରେ ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡିଥିଲେ । ଏବେ ସୁପର-4 ପର୍ଯ୍ୟାୟରେ ଭାରତର ସମସ୍ତ ମ୍ୟାଚ ପାଇଁ ରାହୁଲ ଉପଲବ୍ଧ ରହିବେ ବୋଲି ଦଳ ପକ୍ଷରୁ ଘୋଷଣା ହୋଇସାରିଛି । ତେଣୁ ଏପରି ସ୍ଥିତିରେ ଏସିଆ କପରେ ଆଗାମୀ କିଛି ମ୍ୟାଚ୍ ହିଁ ରାହୁଲଙ୍କ ବିଶ୍ୱକପରେ ଭାରତୀୟ ଦଳର ଚୁଡାନ୍ତ ଏକାଦଶରେ ସ୍ଥାନ ନିର୍ଦ୍ଧାରଣ କରିବ ।
- ବିଶ୍ୱକପ ପାଇଁ ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, ଲୋକେଶ ରାହୁଲ/ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଜସପ୍ରୀତ ବୁମରା ।












Click it and Unblock the Notifications