କେମିତି ଅଛନ୍ତି ପନ୍ତ ? ସୂଚନା ଦେଲା ବିସିସିଆଇ
ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏବେ ବିପଦ ମୁକ୍ତ ରହିଛନ୍ତି । ତାଙ୍କୁ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ମାକ୍ସ ହସ୍ପିଟାଲରେ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।
ଡେରାଡୁନ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏବେ ବିପଦ ମୁକ୍ତ ରହିଛନ୍ତି । ତାଙ୍କୁ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ମାକ୍ସ ହସ୍ପିଟାଲରେ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।

ତେବେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଉପରେ ନଜର ରଖିଛନ୍ତି। ପନ୍ତଙ୍କ ଚିକିତ୍ସା ଖର୍ଚ୍ଚ ଉତ୍ତରାଖଣ୍ଡ ସରକାର ବହନ କରିବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘୋଷଣା କରିଛନ୍ତି । ବିସିସିଆଇର ସମ୍ପାଦକ ଜୟ ଶାହ ମଧ୍ୟ ଦୁର୍ଘଟଣା ପରେ ପନ୍ତଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି । ଏଥିସହ ସବୁଠୁ ଭଲ ଚିକିତ୍ସା ପାଇଁ ବିସିସିଆଇ ସମସ୍ତ ପ୍ରକାରର ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ମଧ୍ୟ ଶାହ ପ୍ରତିଶ୍ରୁତି ଦେଇଛନ୍ତି ।
କହିରଖୁ କି, ଦିଲ୍ଲୀରୁ ରୁଡକି ଯିବା ସମୟରେ ଋଷଭଙ୍କ କାର ଦୁର୍ଘଟଣା ହୋଇଥିଲା । ଡିଭାଇଡରରେ ପିଟି ହୋଇ ପନ୍ତଙ୍କ କାରଟି ଜଳିଯାଇଥିଲା । ପରେ ଲୋକେ ସେଠାରୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସରେ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲେ । ଦିଲ୍ଲୀରୁ ଘରକୁ ଯାଉଥିବା ବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣା ମାଙ୍ଗାଲୋର କୋଟୱାଲୀର ଏନ.ଏଚ ୫୮ରେ ଘଟିଛି ।
ପନ୍ତ ଠିକଣା ସମୟରେ କାର୍ର କାଚ ଭାଙ୍ଗି ବାହାରକୁ ଡେଇଁ ପଡ଼ିବାରୁ ଅଳ୍ପକେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ତେବେ ଏହି ଦୁର୍ଘଟଣା ଯୋଗୁ ତାଙ୍କ କପାଳରେ ଆଘାତ ଲାଗିଛି। ଲିଗାମେଣ୍ଟ ସମସ୍ୟାରେ ସେ ପଡ଼ିଥିବା ବେଳେ ପିଠି ଓ ହାତ କ୍ଷତିଗ୍ରସ୍ତ ହୋଇଥିବା ବିସିସିଆଇ କହିଛି।
ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଋଷଭ ପନ୍ତଙ୍କ କପାଳର ଦୁଇଟି ଷ୍ଟିଜ୍ ପଡ଼ିଛି। ତାଙ୍କ ଡାହାଣ ଆଣ୍ଠୁରେ ଗୋଟିଏ ଲିଗାମେଣ୍ଟ ଟିୟର ସୃଷ୍ଟି ହୋଇଛି। ଡାହାଣ ହାତର ରିଷ୍ଟ, ଗୋଇଠି ଓ ପିଠିରେ ବି ଆଘାତ ଲାଗିଛି। ତାଙ୍କ ପିଠିରେ ଅନେକ କ୍ଷତ ଚିହ୍ନ ରହିଛି। ଏବେ ତାଙ୍କ ଅବସ୍ଥା ସ୍ଥିର ଅଛି ଓ ଚେତା ହରାଇ ନାହାନ୍ତି। ମାକ୍ସ ହସ୍ପିଟାଲରେ ତାଙ୍କର ଏମଆରଆଇ ସ୍କାନ କରାଯାଇ ଆହତ ସମସ୍ୟା କେତେ ଗୁରୁତର, ତା'ର ଅନୁଧ୍ୟାନ କରାଯିବ ବୋଲି ବିସିସିଆଇ କହିଛି।












Click it and Unblock the Notifications