PRIYANSH ARYA: ଦ୍ରୁତତମ ସେଞ୍ଚୁରୀ କ୍ଲବରେ ପ୍ରିୟାଂଶ ଆର୍ଯ୍ୟ, ଭାରତୀୟଙ୍କ ଦ୍ୱାରା ଦ୍ୱିତୀୟ ଦ୍ରୁତତମ ଶତକ
ପ୍ରିୟାଂଶ ଆର୍ଯ୍ୟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଇତିହାସରେ ଜଣେ ଭାରତୀୟ ଭାବେ ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିଛନ୍ତି।
ମଙ୍ଗଳବାର, 8 ଏପ୍ରିଲରେ ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ୍ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛନ୍ତି।
ପ୍ରିୟାଂଶ କେବଳ 39 ବଲ୍ରେ ତାଙ୍କର ଶତକ ପୂରଣ କରିଥିଲେ। ସେ କୌଣସି ବୋଲରଙ୍କୁ ଛାଡ଼ି ନଥିଲେ। ପଞ୍ଜାବ କିଙ୍ଗସ୍ ର ଗୋଟିଏ ପାର୍ଶ୍ୱରୁ ୱିକେଟ୍ ପତନ ଚାଲିତିବା ବେଳେ ପ୍ରିୟାଂଶ କିନ୍ତୁ ତାଙ୍କ ଧୂଆଁଧାର ଇନିଂସ ଜାରି ରଖିଥିଲେ। ସେ ମାତ୍ର 19 ବଲ୍ରେ ତାଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ପାୱାରପ୍ଲେ ଶେଷ ହେବା ପୂର୍ବରୁ ଏହାକୁ ପୂରଣ କରିଥିଲେ। ସେ 53 ରନ୍ ସଂଗ୍ରହ କରି ପାୱାରପ୍ଲେ ଭିତରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋର କରିବାରେ ଅନକ୍ୟାପଡ୍ ଭାରତୀୟ ହୋଇଥିଲେ।
ତା'ପରେ ସେ ଏହାକୁ ଶତକରେ ପରିଣତ କରିବା ପାଇଁ କେବଳ 20ଟି ବଲ ନେଇଥିଲେ। ତାଙ୍କ ଇନିଂସରେ 7ଟି ଚୌକା ଏବଂ 9ଟି ଛକା ସାମିଲ ଥିଲା। ସେ ମାଥିଶା ପାଥିରାନାଙ୍କ ବଲ୍ ରେ ଲଗାତାର ତିନିଟି ଛକା ଏବଂ ଗୋଟିଏ ଚୌକା ମାରି ଶତକ ହାସଲ କରିଥିଲେ।
ବାମହାତୀ ବ୍ୟାଟ୍ସମ୍ୟାନ୍ ପ୍ରିୟାଂଶ, ଛକ୍କା ମାରିବା ପାଇଁ ତାଙ୍କର ଖ୍ୟାତି ରହିଛି। ଯିଏକି ଦିଲ୍ଲୀ ପ୍ରିମିୟର ଲିଗ୍ (DPL)ରେ ଗୋଟିଏ ଓଭରରେ 6ଟି ଛକା ମାରିଥିଲେ।

IPLରେ ଦ୍ରୁତତମ ଶତକ (ବଲ୍ ସାମ୍ନା କରି)
30 - କ୍ରିସ୍ ଗେଲ୍ (RCB) ବନାମ PWI, ବେଙ୍ଗାଲୁରୁ, 2013
37 - ୟୁସୁଫ୍ ପଠାନ୍ (RR) ବନାମ MI, ମୁମ୍ବାଇ ବିଏସ୍, 2010
38 - ଡେଭିଡ ମିଲର (KXIP) ବନାମ RCB, ମୋହାଲି, 2013
39 - ଟ୍ରାଭିସ୍ ହେଡ୍ (SRH) ବନାମ RCB, ବେଙ୍ଗାଲୁରୁ, 2024
39 - ପ୍ରିୟାଂଶ ଆର୍ଯ୍ୟ (PBKS) ବନାମ CSK, ମୁଲାପୁର, 2025
ୟୁସୁଫ ପଠାନଙ୍କ ନାମରେ ଜଣେ ଭାରତୀୟଙ୍କ ଦ୍ୱାରା IPLରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ଅଛି। ସେ 2010 ମସିହାରେ ମୁମ୍ବାଇରେ ମାତ୍ର 37 ବଲ୍ରେ ଏହି ଶତକ ହାସଲ କରିଥିଲେ। IPLରେ ଜଣେ ଖେଳାଳିଙ୍କ ଦ୍ୱାରା ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ରହିଛି କ୍ରିସ୍ ଗେଲ୍ ଙ୍କ ନାଁରେ। ଯିଏ 2013 ମସିହାରେ ପୁନେ ୱାରିୟର୍ସ ବିପକ୍ଷରେ ମାତ୍ର 30 ବଲ୍ରେ ଏହି ଶତକ ହାସଲ କରିଥିଲେ। ଏହା IPL ଇତିହାସରେ ଚମତ୍କାର ଓପନର ଟ୍ରାଭିସ୍ ହେଡ୍ ସହିତ ମିଳିତ ଚତୁର୍ଥ ଦ୍ରୁତତମ ଶତକ।












Click it and Unblock the Notifications