ପ୍ରମୋଦ ଭଗତ ପାଇବେ ‘ପଦ୍ମଶ୍ରୀ’ ପୁରସ୍କାର
ଭୁବନେଶ୍ୱର: ଘୋଷଣା ହୋଇଛି ସମ୍ମାନଜନକ ପଦ୍ମ ପୁରସ୍କାର । ସୁନା ପୁଅ ପ୍ରମୋଦ ଭଗତ ପାଇବେ ପଦ୍ମଶ୍ରୀ ପୁରସ୍କାର । ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଏହି ଓଡ଼ିଆ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ଗତ ପାରା ଅଲମ୍ପିକ୍ସରେ ବ୍ୟାଡମିଣ୍ଟନରେ ସୁନା ପଦକ ଜିତିଥିଲେ ।

ପୂର୍ବରୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର ପାଇଥିବା ପ୍ରମୋଦ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବ। ଆଉ ସେ ଦେଶର ପ୍ରଥମ ପାରା ବ୍ୟାଡମିଣ୍ଟନ୍ ଖେଳାଳି ଭାବେ ଏହି ପୁରସ୍କାର ପାଇବେ।
ଟୋକିଓ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରମୋଦଙ୍କୁ ମିଳିଥିଲା ଖେଳରତ୍ନ ପୁରସ୍କାର । ତେବେ ଖେଳରତ୍ନ ପୁରସ୍କାର ପାଇବାରେ ପ୍ରମୋଦ ଭଗତ ହେଉଛନ୍ତି ପ୍ରଥମ ଓଡିଆ । ପୂର୍ବରୁ ଓଡିଶାରୁ କେହି ଅଲମ୍ପିଆନ ଖେଳ ରତ୍ନ ପୁରସ୍କାର ପାଇନଥିଲେ ।
ବର୍ତ୍ତମାନ ସ୍ପେନରେ ଟ୍ରେନିଂରେ ବ୍ୟସ୍ତ ଥିବା ପ୍ରମୋଦ କହିଛନ୍ତି, ପଦ୍ମଶ୍ରୀ ପୁରସ୍କାର ମନୋନୀତ ହେବା ମୋ ପାଇଁ ଗର୍ବର କଥା। ଆଗକୁ ଏସିଆନ୍ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍ ଭଳି ବଡ଼ ଇଭେଣ୍ଟ ଅଛି। ଆଉ ଏହା ପୂର୍ବରୁ ଏହି ପୁରସ୍କାର ମୋତେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରୋତ୍ସାହିତ କରିବ।
ବିଶ୍ୱର ଏକ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଗତବର୍ଷ ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏଥିସହ ସେ ପ୍ରଥମ ଭାରତୀୟ ଭାବେ ଉଭୟ ପାରାଲିମ୍ପିକ୍ସ ଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କର ଏହି ଐତିହାସିକ ସଫଳତା ପାଇଁ ୨୦୨୧ ଅକ୍ଟୋବର ମାସରେ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏବେ ତାଙ୍କୁ ଆଉ ଏକ ବଡ଼ ସମ୍ମାନ ଭାବେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ।