ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ ବିଶ୍ବପଟଳରେ ପୁଣି ଥରେ ଚମକିଲା ଭାରତୀୟ କ୍ରିକେଟରଙ୍କ ପ୍ରତିଭା
ବିଶ୍ବକପ ଚାମ୍ପିୟନ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ୧୯ ବର୍ଷରୁ କମ କ୍ରିକେଟ ଦଳକୁ ଏକ୍ସରେ ବଧାଇ ଜଣାଇଲେ ମୋଦି। ବିଶ୍ବପଟଳରେ ପୁଣି ଥରେ ଭାରତୀୟ କ୍ରିକେଟ ପ୍ରତିଭା ଚମକିଲେ ବୋଲି କହିଛନ୍ତି ମୋଦି।
ଅଦ୍ଭୂତପୂର୍ବ କ୍ରୀଡ଼ାନୈପୁଣ୍ୟ ଦେଖାଇ ଟ୍ରଫି ଜିତିଥିବାରୁ ମୁଁ ଗର୍ବିତ । ଭବିଷ୍ୟତ ପାଇଁ ସମସ୍ତ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି ।

ସୂଚନା ଯୋଗ୍ୟ ଯେ ଆଜି ଅଣ୍ଡର-୧୯ ବିଶ୍ୱକପ୍ ୨୦୨୬ର ଟାଇଟଲ୍ ହାସଲ କରିଛି ଭାରତ। ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି। ଏହାକୁ ମିଶାଇ ଭାରତ ଷଷ୍ଠ ଥର ପାଇଁ ଅଣ୍ଡର-୧୯ ସ୍ତରରେ ବିଶ୍ୱ ବିଜେତା ହୋଇଛି । ବୈଭବ ସୂର୍ଯ୍ୟବଂଶୀଙ୍କ ୧୭୫ ରନର ବିସ୍ଫୋରକ ପାଳି ଏବଂ ବୋଲରଙ୍କ ଦମଦାର ପ୍ରଦର୍ଶନ ଭାରତକୁ ଏହି ଐତିହାସିକ ବିଜୟ ଦେଇଛି । ଇଂଲଣ୍ଡ ପାଖରେ ୨୮ ବର୍ଷର ଟ୍ରଫି ଅପେକ୍ଷାର ଅନ୍ତ ଘଟାଇବାର ସୁଯୋଗ ଥିଲା, କିନ୍ତୁ ଦଳ ଭାରତୀୟ ଚ୍ୟାଲେଞ୍ଜକୁ ଭେଦ କରିବାରେ ବିଫଳ ହୋଇଛି ।
ଜିମ୍ବାୱେର ରାଜଧାନୀ ହରାରେରେ ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୧୧ ରନର ବିଶାଳ ସ୍କୋର ଠିଆ କରିଥିଲା । ଅଣ୍ଡର-୧୯ ବିଶ୍ୱକପ୍ ଫାଇନାଲ ଇତିହାସରେ କୌଣସି ଦଳ ଦ୍ୱାରା କରାଯାଇଥିବା ଏହା ସର୍ବାଧିକ ସ୍କୋର । ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮୦ ବଲରୁ ୧୭୫ ରନର ଇନିଂସ ଖେଳିଥିଲେ, ଯେଉଁଥିରେ ୧୫ଟି ଚୌକା ଓ ୧୫ଟି ଛକା ସାମିଲ ଥିଲା । ଏହାର ଜବାବରେ ଇଂଲଣ୍ଡ ଦଳ ୩୧୧ ରନ କରିବାକୁ ହିଁ ସକ୍ଷମ ହୋଇଥିଲା । ଇଂଲଣ୍ଡ ୧୭୭ ରନରେ ୭ଟି ୱିକେଟ୍ ହରାଇ ସାରିଥିଲା, କିନ୍ତୁ କେଲେବ୍ ଫଲ୍କନର୍ ଏକ ସଂଘର୍ଷପୂର୍ଣ୍ଣ ଶତକୀୟ ପାଳି ଖେଳି ଦଳକୁ ବିଜୟ ଦ୍ୱାରଦେଶକୁ ନେବାକୁ ଚେଷ୍ଟା କରିଥିଲେ । ସେ ୬୭ ବଲରେ ୧୧୫ ରନର ଚମତ୍କାର ପାଳି ଖେଳିଥିଲେ ସୁଦ୍ଧା ଇଂଲଣ୍ଡର ଟ୍ରଫି ମରୁଡ଼ିକୁ ଶେଷ କରିପାରିନଥିଲେ ।












Click it and Unblock the Notifications