ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ୨ ପଦକ; ମୋଟ ପଦକ ସଂଖ୍ୟା ୭ କୁ ବୃଦ୍ଧି
ପ୍ୟାରିସ ପାରାଲିମ୍ପିକ୍ସରେ ରବିବାର ପଦକ ଜିତିଛନ୍ତି ସ୍ପ୍ରିଣ୍ଟର ପ୍ରୀତି ପାଲ୍ । ସେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୩୦.୦୧ ସେକେଣ୍ଡ ସହ ପ୍ୟାରିସ ପାରାଲିମ୍ପିକ୍ସ ୨୦୦ମିଟର ଟି-୩୫ କାଟେଗୋରୀରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ପ୍ରଥମ ଭାରତୀୟ ମହିଳା ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଆଥଲେଟ୍ ଭାବେ ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ସେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୧୪.୨୧ ସେକେଣ୍ଡ ସହ ମହିଳା ୧୦୦ମିଟର ଟି-୩୫ କାଟେଗୋରୀ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଲାଭ କରିଥିଲେ।
ଆଥଲେଟିକ୍ସରେ ଭାରତର ଏହା ପ୍ରଥମ ପଦକ ରହିଥିଲା। ରବିବାର ଅନୁଷ୍ଠିତ ଇଭେଣ୍ଟରେ ଚାଇନାର ଝୋ ଜିଆ (୨୮.୧୫) ପ୍ରଥମ ସ୍ଥାନ ଅଧିକାର ସହ ସ୍ବର୍ଣ୍ଣ ଜିତିଥିବା ବେଳେ ଗୁଓ ଜିଆନ କ୍ୱିଆନ (୨୯.୦୯) ରୌପ୍ୟ ପଦକ ଲାଭ କରିଥିଲେ। ୨୩ ବର୍ଷୀୟା ପ୍ରୀତି ଟାଇମିଂରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ଜିତିଥିଲେ।

ସେହିପରି ଟି ୪୭ ବର୍ଗରେ ଭାରତୀୟ ହାଇ ଜମ୍ପର ନିଶାଦ କୁମାର ରବିବାର ଏକ ରୌପ୍ୟ ପଦକ ଜିତିଛନ୍ତି। ଏହା ସହ ଚଳିତ ସଂସ୍କରଣରେ ଆଥଲେଟିକ୍ସରୁ ଭାରତ ତୃତୀୟ ପଦକ ବିଜୟୀ ହୋଇଛି। ଟୋକିଓ ପାରଲିମ୍ପିକ୍ସରେ ସମାନ ଇଭେଣ୍ଟରେ ନିଶାଦ ପୂର୍ବରୁ ରୌପ୍ୟ ପଦକ ଜିତିଥିଲେ। ରବିବାର ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ନିଶାଦ କୁମାର ୨.୦୪ ମିଟର ଉଚ୍ଚକୁ ଡେଇଁଥିଲେ। ପ୍ରଥମ ପ୍ରୟାସରେ ନିଶାଦ ୧.୯୫ ମିଟର ଉଚ୍ଚତା ଅତିକ୍ରମ କରିଥିଲେ। ପରବର୍ତ୍ତୀ ଚେଷ୍ଟାରେ ୧.୯୮ ମିଟର ଡେଇଁବାକୁ ପ୍ରୟାସ କରିଥିଲେ ମଧ୍ୟ ଏହା ଫାଉଲ ହୋଇଥିଲା। ତେବେ ତୃତୀୟ ପ୍ରୟାସରେ ସେ ୨ ମିଟର ଅତିକ୍ରମ କରିଥିଲେ। ତେବେ ଆମେରିକାର ରୋଡ୍ରିକ୍ ଟାଉନ୍ସେଣ୍ଡ ୨.୦୨ ମିଟର ଉଚ୍ଚତା ଡେଇଁ ପ୍ରଥମ ସ୍ଥାନରେ ପହଞ୍ଚିଥିଲେ। ପରେ ନିଶାଦ ୨.୦୪ ମିଟର ଉଚ୍ଚ ଡେଇଁବା ପରେ ଉଭୟଙ୍କ ମଧ୍ୟରେ ମୁକାବିଲା ବେଶ ରୋଚକ ହୋଇଥିଲା। ଟାଉନସେଣ୍ଡ ୨.୦୪ ମିଟର ଛୁଇଁବା ପରେ ନିଶାଦ ୨.୦୬ ମିଟର ପ୍ରୟାସରେ ବିଫଳ ହୋଇଥିଲେ। ପରବର୍ତ୍ତୀ ପ୍ରୟାସରେ ଟାଉନସେଣ୍ଡ ୨.୦୮ ମିଟର ଅତିକ୍ରମ କରିଥିଲେ। ନିଶାଦ ୨.୧୨ ମିଟର ଉଚ୍ଚତା ପାର କରିବାରେ ବିଫଳ ହୋଇଥିବା ବେଳେ ଅଲିମ୍ପିକ୍ସ ରେକର୍ଡ ସହିତ ଟାଉନସେଣ୍ଡ ୨.୧୨ ମିଟର ଉଚ୍ଚକୁ ଡେଇଁଥିଲେ। ନ୍ୟୁଟ୍ରାଲ ଆଥଲେଟ ଭାବରେ ଅଂଶଗ୍ରହଣ କରିଥିବା ଜର୍ଜି ମାର୍ଗେଭ୍ ୨.୦୦ ମିଟର ଉଚ୍ଚକୁ ଡେଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ରାମ ପାଲ ୧.୯୫ ମିଟର ଡେଇଁ ସପ୍ତମ ସ୍ଥାନରେ ରହିଥିଲେ। ଏହାକୁ ମିଶାଇ ଭାରତ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ ବ୍ରୋଞ୍ଜ ସହ ସମୁଦାୟ ୭ ପଦକ ହାସଲ କରିଛି।












Click it and Unblock the Notifications