ପାରାଲିମ୍ପିକ୍ସ ୨୦୨୪: ପ୍ୟାରିସ୍ ଗଲେ ୧୬ ଭାରତୀୟ ଆଥ୍ଲେଟ୍
ପାରାଲିମ୍ପିକ୍ସ ୨୦୨୪ ପୂର୍ବରୁ ଭାରତୀୟ ଆଥଲେଟିକ୍ସ ଦଳ ବୁଧବାର ପ୍ୟାରିସ୍କୁ ଆଗୁଆ ଯାତ୍ରା କରିଛି । ଜାଭେଲିନ୍ ଥ୍ରୋୟର ସୁମିତ ଆଣ୍ଟିଲଙ୍କ ନେତୃତ୍ୱରେ ୧୬ ଜଣ ଭାରତୀୟ ଆଥଲେଟ ଯାତ୍ରା କରିଛନ୍ତି। ୧୬ ଜଣ ପାରା ଆଥଲେଟ ପ୍ରଥମ କିଛି ଦିନ ହୋଟେଲରେ ଅବସ୍ଥାନ କରିବେ। ଅଗଷ୍ଟ ୨୫ ତାରିଖରୁ ଗେମ୍ସ ଭିଲେଜ ଖୋଲିବା ପରେ ଖେଳାଳିମାନେ ସେଠାକୁ ଯାତ୍ରା କରିବେ।
ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ମଧ୍ୟରେ ପାରାଲିମ୍ପିକ୍ସ ଅନୁଷ୍ଠିତ ହେବ। ଆଥଲେଟିକ୍ସର ପ୍ରତିଯୋଗିତା ଅଗଷ୍ଟ ୩୦ରୁ ଆରମ୍ଭ ହୋଇ ଉଦ୍ଯାପନୀ ସମାରୋହ ପର୍ଯ୍ୟନ୍ତ ଚାଲିବ।

ଚଳିତ ବର୍ଷ ଭାରତ ଏହାର ଆଥଲେଟିକ୍ସ ଦଳ ନିକଟରୁ ୫ ସ୍ବର୍ଣ୍ଣ ସହ ୧୨ଟି ପଦକ ଆଶା କରୁଛି ବୋଲି ସତ୍ୟନାରାୟଣ କହିଛନ୍ତି ।
ଜାପାନର କୋବରେ ଅନୁଷ୍ଠିତ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ସମାନ ଖେଳାଳିମାନେ ୧୭ ପଦକ ହାସଲ କରିଥିଲେ। ଆଥଲେଟିକ୍ସରେ ୬ଟି ଲେଖାଏ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ସହିତ ୫ ରୌପ୍ୟ ପଦକ ଭାରତ ହାତକୁ ଆସିଥିଲା। ସୁମିତ ଆଣ୍ଟିଲ, ଦୀପ୍ତି ଜୀବନଜୀ, ସଚିନ୍ ଖିଲାରୀ, ଏକତା ଭ୍ୟାନ୍, ସିମରନ୍ ଶର୍ମା ଓ ମରିୟାପ୍ପାନ ଥଙ୍ଗାଭେଲୁ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଦଳ ୫ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୬ ବ୍ରୋଞ୍ଜ ସହିତ ମୋଟ ୧୯ ପଦକ ଜିତିଥିଲା। ଚଳିତ ବର୍ଷ ଭାରତ ଏହାର ପାରାଲିମ୍ପିକ୍ସ ଇତିହାସର ସର୍ବବୃହତ ୮୪ ଜଣିଆ ଦଳ ପ୍ରେରଣ କରିଛି । ଏହା ମଧ୍ୟରୁ ୩୮ ଜଣ ପାରା ଆଥଲେଟ ରହିଛନ୍ତି ।
ପୂର୍ବରୁ ପାରାଲିମ୍ପିକ୍ସ କମିଟି ସଭାପତି ଦେବେନ୍ଦ୍ର ଝାଝରିଆ ଭାରତ ସମୁଦାୟ ୨୫ ପଦକ ଜିତିବାର ସମ୍ଭାବନା ଥିବା ମତ ଦେଇଥିଲେ। ଚଳିତ ପ୍ୟାରିସ୍ ଅଲିମ୍ପିକ୍ସ ପରି ପାରାଲିମ୍ପିକ୍ସର ଉଦ୍ଘାଟନୀ ସମାରୋହ ମଧ୍ୟ ଷ୍ଟାଡିୟମ ବାହାରେ ଅନୁଷ୍ଠିତ ହେବ। ଚାମ୍ପ ଡି ଏଲିସ୍ରୁ ପ୍ଲେସ୍ ଡି ଲା କନକର୍ଡ ଯାଏ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। ଜାଭେଲିନ୍ ତାରକା ସୁମିତ ଆଣ୍ଟିଲ ଓ ଶଟ୍ପୁଟର ଭାଗ୍ୟଶ୍ରୀ ଯାଦବ ଭାରତର ପତାକା ବାହକ ରହିବେ।












Click it and Unblock the Notifications