ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଆଜିଠୁ ଅଭିଯାନ ଆରମ୍ଭ କରିବ ଭାରତ, ମଇଦାନକୁ ଓହ୍ଲାଇବ ତୀରନ୍ଦାଜି ଦଳ
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଆଜିଠୁ ଅଭିଯାନ ଆରମ୍ଭ କରିବ ଭାରତ । ଅଲିମ୍ପିକ୍ସ ମହାକୁମ୍ଭ ୨୬ ଜୁଲାଇରେ ଉଦଘାଟନ ହେବାକୁ ଥିବାବେଳେ ଭାରତୀୟ ଖେଳାଳିମାନେ କିନ୍ତୁ ୨୫ ଜୁଲାଇରୁ ଅଭିଯାନ ଆରମ୍ଭ କରିବେ । ଆର୍ଚେରୀ ଟିମ୍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ ।
ଭାରତୀୟ ସମୟ ଅପରାହ୍ନ ୧ଟାରେ ମହିଳା ଓ ୫ଟା ୪୫ରେ ପୁରୁଷଙ୍କ ପ୍ରତିଯୋଗିତା ହେବ । ଚଳିତ ଥର ଅଲିମ୍ପିକ୍ସରେ ଭାରତ ପକ୍ଷରୁ ମୋଟ ୧୧୭ଜଣ ଆଥଲେଟ ଅଂଶଗ୍ରହଣ କରିଛନ୍ତି । ଭାରତ ଅଭିଯାନର ପ୍ରଥମ ଦିନରେ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାଗ ନେବ । ଏପର୍ଯ୍ୟନ୍ତ ତୀରନ୍ଦାଜୀରେ ଭାରତକୁ କିଛି ବି ମେଡାଲ ମିଳିନାହିଁ । ଏଥିପାଇଁ ଖେଳାଳିଙ୍କ ନଜର ମେଡାଲ ଉପରେ ରହିଛି ।
ଲଣ୍ଡନ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ପୂର୍ଣ୍ଣ ୬ ଜଣିଆ ଦଳ ପ୍ୟାରିସ୍ ଆସିଛି। ଉଭୟ ପୁରୁଷ ଓ ମହିଳା ଦଳ ଅଲିମ୍ପିକ୍ସ ଆସିଥିବାରୁ ସମସ୍ତ ୫ ଇଭେଣ୍ଟରେ ଏମାନେ ପ୍ରତିଦ୍ବନ୍ଦ୍ବିତା କରିବେ। ଭେଟେରାନ୍ ତରୁଣଦୀପ ରାଏ ଓ ଦୀପିକା କୁମାରୀ ଚତୁର୍ଥ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିଲା ବେଳେ ନିଜନିଜ ବର୍ଗର ନେତୃତ୍ବ ନେବେ।

ତେବେ ଦଳର ମୁଖ୍ୟ ପ୍ରଶିକ୍ଷକ ବାଇକ୍ ୱଙ୍ଗ୍ କି'ଙ୍କୁ ସ୍ବୀକୃତି ନଦିଆଯିବାରୁ ସେ କ୍ରୀଡ଼ା ଗ୍ରାମରେ ପ୍ରବେଶ କରି ନପାରି ଭାରତ ଫେରିଯାଇଥିଲେ। ଏହି ଦକ୍ଷିଣକୋରିଆ ପ୍ରଶିକ୍ଷକଙ୍କୁ ବାର୍ଷିକ ୧ କୋଟି ଟଙ୍କା ଦିଆଯାଉଥିଲା ବେଳେ ଜଉକ୍ସରେ ୧୦ଦିନିଆ ଅଭ୍ୟାସ ଶିବିର ସେ ପ୍ରଶିକ୍ଷଣ ଦେଇଥିଲେ। ତାଙ୍କ ଅନୁପସ୍ଥିତିରେ ପୁରୁଷ ଦଳର ପ୍ରଶିକ୍ଷକ ଭାବେ ସୋନମ ସିଂହ ଭୂତିଆ ଓ ମହିଳା ଦଳର ପ୍ରଶିକ୍ଷକ ଭାବେ ପୂର୍ଣ୍ଣିମା ମହାତୋ ଭାରତୀୟ ଖେଳାଳିଙ୍କୁ ମାର୍ଗଦର୍ଶନ ଦେବେ।












Click it and Unblock the Notifications