Paris Olympics 2024: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ସୁଟିଂ; ରମିତା, ଅର୍ଜୁନ ଫାଇନାଲ୍ରେ
ମନୁ ଭାକରଙ୍କ ପରେ ଦୁଇ ଭାରତୀୟ ସୁଟର ରମିତା ଜିନ୍ଦଲ ଓ ଅର୍ଜୁନ ବାବୁତା ନିଜ ନିଜ ଇଭେଣ୍ଟ୍ର ଫାଇନାଲ୍ରେ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ ରଖିଛନ୍ତି । ମହିଳା ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟ୍ କ୍ବାଲିଫିକେସନ୍ ରାଉଣ୍ଡରେ ପଞ୍ଚମ ସ୍ଥାନରେ ରହି ରମିତା ଏହି ଆଶା ସଞ୍ଚାର କରିଛନ୍ତି । ତେବେ ଏହି ଇଭେଣ୍ଟ୍ରେ ଅଂଶଗ୍ରହଣ କରିଥିବା ଆଉ ଜଣେ ଭାରତୀୟ ଇଲାଭେନିଲ ଭାଲାରିଭାନ ଦଶମ ସ୍ଥାନରେ ରହି ନିରାଶ କରିଛନ୍ତି ।
ରମିତା ୬୩୧.୫ ପଏଣ୍ଟ୍ ଅର୍ଜନ କରିଥିଲା ବେଳେ ଇଲାଭାନି ୬୩୦.୭ ପଏଣ୍ଟ୍ ପାଇଥିଲେ। ଦକ୍ଷିଣ କୋରିଆର ବାନ୍ ୟୋଜିନ୍ (୬୩୪.୫) କ୍ବାଲିଫିକେସନ୍ ଅଲିମ୍ପିକ୍ ରେକର୍ଡ ସହ ଶୀର୍ଷରେ ରହିଥିଲେ। ଟୋକିଓ ଅଲିମ୍ପିକ୍ରେ କୀର୍ତ୍ତିମାନ କରିଥିବା ନରୱେର ଜିନେଟ୍ଗ୍ (୬୩୨.୯)ଙ୍କୁ ସେ ଟପିଥିଲେ।

ପୁରୁଷ ୧୦ ମିଟର ଏୟାର ରାଇଫଲ୍ ଇଭେଣ୍ଟ୍ କ୍ବାଲିଫିକେସନ୍ ରାଉଣ୍ଡରେ ଅର୍ଜୁନ ୬୩୦.୧ ପଏଣ୍ଟ୍ ସହ ସପ୍ତମ ସ୍ଥାନରେ ରହି ଫାଇନାଲ୍ରେ ପହଞ୍ଚିଛନ୍ତି। ତେବେ ସନ୍ଦୀପ ସିଂହ (୬୨୯.୩ ପଏଣ୍ଟ୍) ଦ୍ବାଦଶ ସ୍ଥାନରେ ରହି ଫାଇନାଲ୍ରୁ ବଞ୍ଚିତ ହୋଇଛନ୍ତି। ପଦକ ରାଉଣ୍ଡ ସୋମବାର ଖେଳାଯିବ। ଚୀନ୍ର ଲିହାଓ ସେଙ୍ଗ (୬୩୧ ପଏଣ୍ଟ୍) ଶୀର୍ଷରେ ରହିଥିଲା ବେଳେ ତାଙ୍କ ସହ ଆର୍ଜେଣ୍ଟିନାର ଜୁଲିଆନ୍ ଗୁଟିଏରେଜ ଓ ଇଟାଲିର ଡାନିଲୋ ଡେନିସ ସୋଲାଜୋ ସମାନ ପଏଣ୍ଟ ପାଇଥିଲେ ମଧ୍ୟ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହି ଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲେ।
ମୁଷ୍ଟିଯୁଦ୍ଧ ପ୍ରିକ୍ବାର୍ଟରରେ ନିଖତ
ଦୁଇ ଥର ବିଶ୍ବ ବିଜୟିନୀ ଭାରତୀୟ ମହିଳା ବକ୍ସର ନିଖତ ଜରିନ ନିଜର ଅଲିମ୍ପିକ୍ସ ପଦାର୍ପଣ ଚମତ୍କାର ଢଙ୍ଗରେ ଆରମ୍ଭ କରିଛନ୍ତି । ମହିଳା ୫୦ କେଜି ବର୍ଗରେ ଅଂଶଗ୍ରହଣ କରିଥିବା ନିଖତ ରବିବାର ରାଉଣ୍ଡ ୩୨ରେ ଜର୍ମାନିର ମାକ୍ସି କାରିନା କ୍ଲୋଏଜରଙ୍କୁ ମାତ୍ ଦେଇଛନ୍ତି । ସେ ଏହି ବାଉଟ୍କୁ ୫-୦ରେ ଜିତିଛନ୍ତି । ଗୁରୁବାର ପରବର୍ତ୍ତୀ ରାଉଣ୍ଡରେ ତାଙ୍କ ମୁକାବିଲା ଶୀର୍ଷ ମାନ୍ୟତାପ୍ରାପ୍ତ ତଥା ୫୨ କେଜି ବର୍ଗର ବିଶ୍ବବିଜୟିନୀ ଚୀନ୍ର ଉ ୟୁଙ୍କ ସହ ହେବ । ନିଖତ ଟ୍ରାଏଲ୍ସରେ ମେରି କମ୍ଙ୍କଠୁ ହାରି ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାରେ ବଞ୍ଚିତ ହୋଇଥିଲେ । ପରେ ସେ ୫୨ କେଜି ବର୍ଗରେ ଦୁଇ ଥର ବିଶ୍ବବିଜୟିନୀ ହୋଇଛନ୍ତି । ୫୪ କିଲୋଗ୍ରାମ ମୁଷ୍ଟିଯୁଦ୍ଧରେ ଭାରତର ପ୍ରୀତି ପାୱାର ମଧ୍ୟ ପ୍ରିକ୍ବାର୍ଟରରେ ପହଞ୍ଚିଛନ୍ତି ।












Click it and Unblock the Notifications