Paris Olympics 2024: ତୃତୀୟ ଦିନରେ ଭାରତକୁ ମିଳିଲାନି ପଦକ, ଆଜି ମନୁଙ୍କ ଉପରେ ଆଶା

Paris Olympics 2024: ପ୍ୟାରିସ୍ ଅଲିମ୍ପିକ୍ସରେ ତୃତୀୟ ଦିନରେ ଭାରତକୁ ପଦକ ନିରାଶା ହେବାକୁ । ଗୋଟେ ବି ମେଡାଲ ଭାରତ ହାତରେ ଲାଗିନି । ବନ୍ଧୁକଚାଳନାରୁ ଆଉ ଏକ ପଦକ ଅଳ୍ପକେ ହାତଛଡ଼ା ହୋଇଛି । ମନୁଙ୍କ ପରେ ଦୁଇ ଭାରତୀୟ ସୁଟର ରମିତା ଜିନ୍ଦଲ ଓ ଅର୍ଜୁନ ବାବୁତା ନିଜ ନିଜ ଇଭେଣ୍ଟର ଫାଇନାଲରେ ପ୍ରବେଶ କରି ଦେଶ ଲାଗି ପଦକ ଆଶା ଉଜ୍ଜୀବିତ ରଖିଥିଲେ ।

ପୁରୁଷ ୧୦ ମିଟର ଏୟାର ରାଇଫଲ୍ ଫାଇନାଲରେ ଅର୍ଜୁନ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାତଛଡ଼ା କରିଛନ୍ତି । ଏହି ୨୫ ବର୍ଷୀୟ ଅର୍ଜୁନ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରି ୧୦.୭, ୧୦.୨ ଓ ୧୦.୫ ପଏଣ୍ଟ ଅର୍ଜନ କରି ଚତୁର୍ଥ ସ୍ଥାନରେ ରହିଥିଲେ। ଚତୁର୍ଥ ପ୍ରୟାସରେ ସେ ୧୦.୪ ପଏଣ୍ଟ୍‌ ପାଇ ତୃତୀୟକୁ ଉଠିଥିଲେ। ପ୍ରଥମ ସିରିଜ୍‌ର ଶେଷ ସଟ୍‌ ୧୦.୬ ଛୁଇଁଥିଲା। ଦ୍ବିତୀୟ ସିରିଜ୍‌ ତଥା ପ୍ରଥମ ଇଲିମିନେଟ୍‌‌ରେ ଅର୍ଜୁନ ୧୦.୭, ୧୦.୫, ୧୦.୮ ସ୍କୋର୍‌ ସହ ଭଲ କରିଥିଲେ। ଯହାକି ତାଙ୍କୁ ଦ୍ବିତୀୟରେ ପହଞ୍ଚାଇଥିଲା।

ସେ ବିଶ୍ବ କୀର୍ତ୍ତିମାନଧାରୀ ଚୀନ୍‌ର ସେଙ୍ଗ ଲିହାଓଙ୍କଠାରୁ ମାତ୍ର ୦.୧ ପଏଣ୍ଟ୍‌ ପଛରେ ରହିଥିଲେ। ଗୁରୁତ୍ବପୂର୍ଣ୍ଣ ସମୟରେ କିନ୍ତୁ ଅର୍ଜୁନ ବିଫଳ ହେଲେ। ସେ ୯.୫ ସ୍କୋର୍‌ କରିଥିଲା ବେଳେ କ୍ରୋଏସିଆ ମିରାନ ମାରିସିକ୍‌ ୧୦.୭ ସ୍କୋର୍‌ କରିବାରୁ ଅର୍ଜୁନଙ୍କ ପୋଡିୟମ୍‌ ଆଶା ମଉଳି ଯାଇଥିଲା। ‌ଅର୍ଜୁନ ମୋଟ ୨୦୮.୪ ପଏଣ୍ଟ୍‌ ପାଇଥିଲେ ମଧ୍ୟ ଏହା ପଦକ ଦେଇପାରି ନଥିଲା। ସେଙ୍ଗ ଲିହାଓ (୨୫୨.୨ ପଏଣ୍ଟ୍‌) ସ୍ବର୍ଣ୍ଣ ଜିତିଥିଲା ବେଳେ ସ୍ବିଡେନ୍‌ର ଭିକ୍ଟର ଲିଣ୍ଡଗ୍ରେନ୍‌ (୨୫୧.୪ ପଏଣ୍ଟ୍‌) ରୌପ୍ୟ ଓ ମାରିସିକ୍‌ (୨୩୦ ପଏଣ୍ଟ୍‌) କାଂସ୍ୟ ପାଇଥିଲେ। ଗତକାଲି ପୁରୁଷ ୧୦ ମିଟର ଏୟାର ରାଇଫଲ୍‌ ଇଭେଣ୍ଟ୍‌ କ୍ବାଲିଫିକେସନ୍‌ ରାଉଣ୍ଡରେ ଅର୍ଜୁନ ୬୩୦.୧ ପଏଣ୍ଟ୍‌ ସହ ସପ୍ତମ ସ୍ଥାନରେ ରହି ଫାଇନାଲ୍‌ରେ ପହଞ୍ଚିଥିଲେ। ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାତଛଡ଼ା କରିବାରେ ଅର୍ଜୁନ ତୃତୀୟ ଭାରତୀୟ ସୁଟର ହୋଇଛନ୍ତି। ତାଙ୍କ ପୂର୍ବରୁ ଜୟଦୀପ କର୍ମକାର (୨୦୧୨ ଲଣ୍ଡନ) ଓ ଅଭିନବ ବିନ୍ଦ୍ରା (୨୦୧୬ ରିଓ)ରେ ଏଭଳି ଦୁଃଖଦ ମୁହୂର୍ତ୍ତ ଦେଖିଥିଲେ। ଅନ୍ୟପକ୍ଷରେ ମହିଳା ୧୦ ମିଟର ଏୟାର ରାଇଫଲ୍‌ ଇଭେଣ୍ଟ୍‌ କ୍ବାଲିଫିକେସନ୍‌ ରାଉଣ୍ଡରେ ପଞ୍ଚମ ସ୍ଥାନରେ ରହି ଫାଇନାଲ୍‌ରେ ପହଞ୍ଚିଥିଲେ ରମିତା। ହେଲେ ଫାଇନାଲ୍‌ରେ ସେ ୧୪୫.୩ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହି ପଦକ ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି।

Paris Olympics 2024

ସୋମବାର ମନୁ ଓ ତାଙ୍କ ସାଥୀ ସରବଜୋତ ସିଂହ ପଦକ ଆଶା ସଂଚାର କରିଛନ୍ତି। ମଙ୍ଗଳବାର ଏହି ଭାରତୀୟ ଯୋଡ଼ି ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଟିମ୍‌ ଇଭେଣ୍ଟ୍‌ରେ କାଂସ୍ୟ ପାଇଁ ଦକ୍ଷିଣ କୋରିଆ ଯୋଡ଼ି ଓୟି ଜିନ୍‌ ଓ ଲି ଓନୁଙ୍କୁ ଭେଟିବେ। ମନୁ ଓ ସରବ‌ଜୋତ କ୍ବାଲିଫିକେସନ ରାଉଣ୍ଡ୍‌ରେ ୫୮୦ ପଏଣ୍ଟ ପାଇ ତୃତୀୟ ଏବଂ କୋରିଆ ଯୋଡ଼ି (୫୭୯ ପଏଣ୍ଟ୍‌) ଚତୁର୍ଥରେ ରହିଛନ୍ତି। ଆଉ ଏକ ଭାରତୀୟ ଯୋଡ଼ି ରିଦିମ ସାଙ୍ଗୱାନ ଓ ଅର୍ଜୁନ ସିଂହ ଚିମା (୫୭୬) ଦଶମରେ ପଦକ ଦୌଡ଼କୁ ବାଦ୍‌ ପଡ଼ିଛନ୍ତି ।

ପ୍ରି-କ୍ୱାର୍ଟରରେ ମନିକା ବାତ୍ରା

ଏପଟେ ପଦକ ଆଶା ଉଜ୍ଜୀବିତ କରିଛନ୍ତି ଟେବୁଲ ଟେନିସ ତାରକା ମନିକା ବାତ୍ରା। ଫ୍ରାନ୍ସର ପ୍ରତିନିଧିତ୍ୱ କରୁଥିବା ଭାରତୀୟ ବଂଶୋଦ୍ଭବ ପ୍ରୀତିକା ପ୍ରଭାଡେଙ୍କୁ ପରାସ୍ତ କରି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି।

ତୀରନ୍ଦାଜି: ମହିଳାଙ୍କ ପରେ ପୁରୁଷ ଟିମ ଅଲିମ୍ପିକ୍ସରୁ ଆଉଟ୍‌

ଅଲିମ୍ପିକ୍ସରେ ଦୀର୍ଘ ୩୬ ବର୍ଷ ହେଲା ତୀରନ୍ଦାଜିରୁ ପଦକ ଆଶା ରଖିଥିବା ଭାରତକୁ ଜୋରଦାର ଝଟକା ଲାଗିଛି। ପ୍ରଥମେ ମହିଳା ତୀରନ୍ଦାଜି ଟିମ ଅପ୍ରତ୍ୟାଶିକ ଭାବେ କ୍ୱାର୍ଟର ଫାଇନାଲରେ ହାରିଥିଲା। ଆଜି ପୁରୁଷ ଟିମ ମଧ୍ୟ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି। ଦଳ ତୁର୍କୀ ଠାରୁ ୬-୨ରେ ହାରି ପଦକ ରେସ୍‌ରୁ ଆଉଟ ହୋଇଯାଇଛି।

ପ୍ରବୀଣ ଯାଦବ, ଧୀରଜ ଓ ତରୁଣଦୀପ ରାୟଙ୍କୁ ନେଇ ଗଠିତ ଭାରତୀୟ ଟିମ ଆଶା ଅନୁସାରେ ଆଦୌ ପ୍ରଦର୍ଶନ କରି ନଥିଲେ। ପ୍ରଥମ ସେଟକୁ ତୁର୍କୀ ୫୭-୫୩ରେ ଜିତି ନେଇଥିଲା। ଦ୍ୱିତୀୟ ସେଟ ମଧ୍ୟ ୫୫-୫୨ ପଏଣ୍ଟରେ ତୁର୍କୀ ସପକ୍ଷରେ ଯାଇଥିଲା।

ରୋହନଙ୍କ ଅବସର ଘୋଷଣା

ଭେଟେରାନ ଭାରତୀୟ ଟେନିସ ଖେଳାଳି ରୋହନ ବୋପାନ୍ନ ସୋମବାର ଟେନିସରୁ ଅବସର ଘୋଷଣା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ବୋପାନ୍ନା ଏବଂ ଏନ୍‌ ଶ୍ରୀରାମ ବାଲାଜୀଙ୍କ ଦଳ ପୁରୁଷ ଡବଲ୍ସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ୭-୫, ୬-୨ରେ ପରାଜୟର ସମ୍ମୁଖୀନ ହୋଇଥିଲେ। ପରେ ରୋହନ ଏହା ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ବୋଲି କହିଥିଲେ। ରୋହନ ୨୨ ବର୍ଷ ଧରି ଅନ୍ତର୍ଜାତୀୟ ଟେନିସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ବର୍ତ୍ତମାନ ସେ ତାଙ୍କର ଐତିହାସିକ କ୍ୟାରିୟରକୁ ସମାପ୍ତ କରିଛନ୍ତି।

ଅବସର ଘୋଷଣା ସମୟରେ ସେ କହିଛନ୍ତି, 'ଏହା ମୋର ଟେନିସ କ୍ୟାରିୟରର ଶେଷ ଟୁର୍ନାମେଣ୍ଟ। ଏବେ ବୁଝିପାରୁଛି ମୁଁ ଜଣେ ଖେଳାଳି ଭାବେ କେଉଁଠାରେ ପହଞ୍ଚିଛି। ଯେଉଁଠାରେ ଅଛି ମୋ ପାଇଁ ଏହା ଏକ ବଡ଼ ସଫଳତା। କେବେ ଭାବି ନ ଥିଲି ଯେ, ମୁଁ ଭାରତର ପ୍ରତିନିଧିତ୍ୱ କରିବି।'

ଲକ୍ଷ୍ୟ ସେନଙ୍କ ଦବଦବା ଜାରି

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଷ୍ଟାର ଶଟଲର ଲକ୍ଷ୍ୟ ସେନଙ୍କ ଦବଦବା ଜାରି ରହିଛି। ପ୍ୟାରିସ ଅଲିମ୍ପିକ୍ସରେ ସେ ପ୍ରଥମ ମ୍ୟାଚ୍‌ ଗୁଏତଲାମା ଖେଳାଳିଙ୍କ ଠାରୁ ଜିତିଥିଲେ ହେଁ ଏହାକୁ ଡିଲିଟ କରି ଦିଆଯାଇଥିଲା। ଗୁଏତମାଲାର ଖେଳାଳି ଅଲିମ୍ପିକ୍ସରୁ ଓହରି ଯିବାରୁ ଲକ୍ଷ୍ୟଙ୍କ ବିଜୟକୁ ରେକର୍ଡ ବୁକରୁ ହଟାଇ ଦିଆଯାଇଥିଲା।

ତେଣୁ ସେ ପୁଣି ମୂଳରୁ ନିଜର ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଥିଲେ। ଆଜିର ମ୍ୟାଚ୍‌ରେ ସେ ବେଲଜିୟର ଜୁଲିଏନ କାରାଗିଙ୍କୁ ବେଶ ଚମତ୍କାର ଢଙ୍ଗରେ ୨-୦ରେ ହରାଇ ଦେଇଛନ୍ତି। ଏଥିସହ ନିଜର ଦ୍ୱିତୀୟ ଗ୍ରୁପ ମ୍ୟାଚ୍‌ ଖେଳିବାକୁ ଆଗକୁ ବଢ଼ିଛନ୍ତି।

ଡ୍ର ରଖିବାକୁ ସକ୍ଷମ ହେଲେ ପୁରୁଷ ହକି

କଡ଼ା ସଂଘର୍ଷ କରି ଭାରତୀୟ ପୁରୁଷ ହକି ଟିମ ଆର୍ଜେଣ୍ଟିନା ସହ ମ୍ୟାଚ୍‌ ଡ୍ର ରଖିବାକୁ ସକ୍ଷମ ହୋଇଛି। ଆରମ୍ଭରୁ ୦-୧ରେ ପଛରେ ପଡ଼ିଥିବା ଭାରତୀୟ ହକି ଟିମ ଶେଷ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତି ୧-୧ କରିବାକୁ ସକ୍ଷମ ହୋଇଛି। ଏଥିସହ ପ୍ୟାରିସ ଅଲିମ୍ପିକ୍ସରେ ଆଗକୁ ଯିବା ପାଇଁ ଆଶା ଉଜ୍ଜୀବିତ ରଖିଛି।

ପ୍ରଥମେ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ହରାଇଥିବା ଭାରତୀୟ ଟିମକୁ ଆର୍ଜେଣ୍ଟିନା ଟିମ ଆଜି ପାଣି ପିଆଇ ଦେଇଥିଲା। ଭାରତ ପାଖରେ ବଲ ପୋଜିସନ ଅଧିକ ରହିଥିଲେ ହେଁ ଆର୍ଜେଣ୍ଟିନା ସୁଯୋଗ ପାଇବା ମାତ୍ରେ କାଉଣ୍ଟର ଆଟାକ କରିବାକୁ ପଛାଇ ନଥିଲା। ଏପରି ସ୍ଥିତିରେ ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା।

କ୍ବାର୍ଟରରେ ସାତ୍ତ୍ବିକ-ଚିରାଗ:

ଭାରତର ତାରକା ପୁରୁଷ ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଅଲିମ୍ପିକ୍ସ କ୍ବାର୍ଟରଫାଇନାଲ୍ ଯୋଗ୍ୟତା ଅର୍ଜନ କରିବାରେ ଏହି ଯୋଡ଼ି ପ୍ରଥମ ଭାରତୀୟ ଦଳ ହୋଇଛନ୍ତି। ସୋମବାର ବିଶ୍ବର ଏହି ୩ ନମ୍ବର ଯୋଡ଼ି ଜର୍ମାନୀର ମାର୍କ ଲାମ୍ସଫୁସ ଓ ମାର୍ଭିନ ସିଡେଲଙ୍କୁ ଭେଟି ଥା'ନ୍ତେ। ଲାମ୍ସଫୁସ ଆହତ ଯୋଗୁଁ ଓହରି ଯିବାରୁ ମ୍ୟାଚ୍‌ ବାତିଲ ହୋଇଥିଲା। ସାତ୍ତ୍ବିକ-ଚିରାଗ ପ୍ରଥମ ଗ୍ରୁପ୍‌ ମ୍ୟାଚ୍‌ରେ ୪୦ ମାନ୍ୟତାପ୍ରାପ୍ତ ଫ୍ରାନ୍ସର ଲୁକାସ କୋର୍ଭି ଓ ରୋନାନ ଲାବରଙ୍କୁ ହରାଇ ଅଭିଯାନ ଆରମ୍ଭ କରିଥିଲେ। କୋର୍ଭି ଓ ଲାବର ସୋମବାର ବିଶ୍ବର ୭ ନମ୍ବର ଇଣ୍ଡୋନେସିଆ ଯୋଡ଼ି ମହମ୍ମଦ ରିଆନ୍‌ ଆର୍ଡିଆଣ୍ଟୋ ଓ ଫଜର ଅଲ୍‌ଫିଆନ୍‌ଙ୍କଠୁ ହାରି ଯାଇଥିଲେ। ଚିରାଗ-ସାତ୍ତ୍ବିକ ଏବଂ ଆର୍ଡିଆଣ୍ଟୋ-ଅଲ୍‌ଫିଆନ୍‌ ଗ୍ରୁପ୍‌-ସ'ର ଶୀର୍ଷ ଦୁଇ ସ୍ଥାନରେ ରହି କ୍ବାର୍ଟରଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛନ୍ତି। ମଙ୍ଗଳବାର ଏହି ଦୁଇ ଯୋଡ଼ିଙ୍କ ମଧ୍ୟରେ ଖେଳାଯିବାକୁ ଥିବା ଶେଷ ମ୍ୟାଚ୍‌ ଗ୍ରୁପ୍‌ ଟପ୍ପର୍‌ ନିଶ୍ଚିତ କରିବ।

ତେବେ ଭାରତୀୟ ମହିଳା ଯୋଡ଼ି ତନୀଶା କ୍ରାଷ୍ଟୋ ଓ ଅଶ୍ବିନୀ ପୋନ୍ନାପ୍ପାଙ୍କ ଅଭିଯାନ ଶେଷ ହୋଇଛି। ପ୍ରଥମ ଗ୍ରୁପ୍‌ ମ୍ୟାଚ୍‌ରେ ହାରିଥିବା ଏହି ଯୋଡ଼ି ‌ସୋମବାର ବିଶ୍ବର ୪ ନମ୍ବର ଜାପାନର ନାମି ମାସୁୟମା ଓ ଚିହାରୁ ଶିଦାଙ୍କଠୁ ୨୧-୧୧, ୨୧-୧୨ରେ ପରାସ୍ତ ହୋଇଛନ୍ତି। ଫଳରେ ତନୀଶା ଓ ଅଶ୍ବିନୀ ଗ୍ରୁପ୍‌-ସି'ରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ବିଶ୍ବର ୧୯ ନମ୍ବର ଏହି ଯୋଡ଼ି ଶେଷ ଗ୍ରୁପ୍‌ ମ୍ୟାଚ୍‌ ମଙ୍ଗଳବାର ଅଷ୍ଟ୍ରେଲିଆର ସେତ୍ୟାନା ମାପାସା ଓ ଆଞ୍ଜେଲା ୟୁଙ୍କ ବିପକ୍ଷରେ ଖେଳିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+