ଭାରତୀୟ ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା: ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ, ଅମିତ୍ଙ୍କୁ ୪ କୋଟି
ଭୁବନେଶ୍ବର ହୋଇଥିଲା ଉତ୍ସବ ମୁଖରିତ । ବିଶ୍ବ ବିଜୟୀ ଭାରତୀୟ ହକି ଦଳର ହିରୋ ମାନଙ୍କୁ ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଆଜି ସମସ୍ତ ଖେଳାଳୀ ଓ ସହାୟକ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ଉଚ୍ଛସିତ ସ୍ବାଗତ କରାଯାଇଥିଲା ଏବଂ ଲୋକସେବା ଭବନର କନ୍ଭେନସନ ହଲ୍ ଠାରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ ।
ଓଡିଆ ଖେଳାଳୀ ଅମିତ୍ ରୋହିଦାସଙ୍କୁ ସ୍ବତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ଟିମ୍ର ଗୋଲକିପର ପି.ଆର. ଶ୍ରୀଜେସ୍ଙ୍କୁ ସ୍ବତନ୍ତ୍ର ଭାବେ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୪ ଜଣ ସପୋର୍ଟିଂ ଷ୍ଟାଫ୍ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ "ଭାରତୀୟ ହକି ଦଳର ଏହି କାଂସ୍ୟ ପଦକ, ଏକ ଦୃଢନିଷ୍ଠ ସ୍ୱର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଆହ୍ୱାନ ପ୍ରଦାନ କରିଛି। ଭାରତୀୟ ହକିର ପୁନର୍ଜନ୍ମରେ ଓଡିଶାର ମହତ୍ବପୂର୍ଣ୍ଣ ଭୂମିକା ପାଇଁ ମୁଁ ଗର୍ବିତ । ଓଡିଶା ସବୁ ସମୟରେ ଭାରତୀୟ ହକି ଦଳ ସହିତ ଜଣେ ସୁଖଦୁଃଖର ସାଥି ଭଳି ରହିଆସିଛି ।" ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲସ୍ ଏଞ୍ଜେଲେସ୍ ଅଲମ୍ପିକ୍ସ ସହିତ ଜାତୀୟ ହକି ଦଳର ଆଗାମୀ ସମସ୍ତ ଅଭିଯାନରେ ଦଳ ପ୍ରତି ଓଡିଶା ଏବଂ ଓଡିଶାବାସୀଙ୍କର ଦୃଢ ସମର୍ଥନ ଜାରି ରହିବ। ସେ କହିଥିଲେ ଯେ ଆମ ସରକାର ସଂପୂର୍ଣ୍ଣ ଭାବରେ ଆମର ଖେଳାଳୀ ମାନଙ୍କ ସହିତ ଅଛନ୍ତି। ଆଗାମୀ ଦିନରେ ସେମାନେ ଯେପରି ଆହୁରି ବଡ ସଫଳତା ହାସଲ କରିବେ, ସେଥିପାଇଁ ସେମାନଙ୍କୁ ସବୁପ୍ରକାର ସୁବିଧା ଓ ପ୍ରୋତ୍ସାହନ ଦିଆଯିବ। ହକିର ବିକାଶ ପାଇଁ ଆମେ ଆହୁରି ନୂଆ ନୂଆ ପଦକ୍ଷେପ ନେବୁ। ଆମର ଖେଳାଳୀ ମାନେ ଯେପରି ବିଶ୍ବସ୍ତରରେ ଶୀର୍ଷରେ ରହିବେ, ତାହା ଆମେ ସୁନିଶ୍ଚିତ କରିବୁ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଖେଳ କେବଳ ଏକ ପ୍ରତିଯୋଗିତା ନୁହେଁ, ଏହା ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ମାଧ୍ୟମ । ଏହା ଆମକୁ ଏକତା, ଅନୁଶାସନ ଓ ସଂଘର୍ଷର ଶିକ୍ଷା ଦେଇଥାଏ ।
ହକି ଭଳି ଖେଳ ଆମକୁ ଏହି ପ୍ରେରଣା ଦିଏ ଯେ ଆମେ ଜୀବନର ସବୁକିଛି ଆହ୍ବାନର ମୁକାବିଲା କରି ନିଜର ପରିଚୟ ସୃଷ୍ଟି କରିପାରିବୁ। ଭାରତୀୟ ଟିମ୍ର ସଫଳତାର ଅନୁପ୍ରେରଣା ହେଉଛି ଯେ ଆମେ ଯଦି ଏକଜୁଟ ହୋଇ ନିଜର ଲକ୍ଷ୍ୟ ହାସଲରେ ଲାଗିପଡିବୁ, ତେବେ ଯେକୌଣସି କଠିନ ପରିସ୍ଥିତିର ମୁକାବିଲା କରିପାରିବୁ । କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ ଯାହା ବିଶ୍ବ ପାଇଁ କାଂସ୍ୟ, ତାହା ଆମ ପାଇଁ ସ୍ବର୍ଣ୍ଣ। ଟୋକିଓରୁ ପ୍ୟାରିସ ପର୍ଯ୍ୟନ୍ତ ଆମ ଖେଳାଳୀ ମାନେ ଆମକୁ ଯେଉଁଭଳି ଗର୍ବ ଅନୁଭବ କରିବାକୁ ଦେଇଛନ୍ତି, ସେଥିପାଇଁ ଆମେ ସମସ୍ତେ ସେମାନଙ୍କ ପ୍ରତି କୃତଜ୍ଞ। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଏବଂ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଓ କ୍ରୀଡାବିତ୍ମାନେ ଉପସ୍ଥିତ ଥିଲେ ।












Click it and Unblock the Notifications