Get Updates
Get notified of breaking news, exclusive insights, and must-see stories!

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଉଦ୍‌ଯାପିତ: ଆମେରିକା ଏକ ନମ୍ବର, ଭାରତ ୭୧ତମ, ଲସଏଞ୍ଜେଲ୍‌ସରେ ପରବର୍ତ୍ତୀ ଅଲିମ୍ପିକ୍ସ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଉଦଯାପିତ । ଅଭୁଲା ଅଭିଜ୍ଞତା ତଥା ଚାରି ବର୍ଷ ପରେ ଲସଏଞ୍ଜେଲ୍‌ସରେ ଦେଖା ହେବାର ଆଶା ନେଇ ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ 'ଅଲିମ୍ପିକ୍ସ' ରବିବାର ରାତିରେ ଉଦ୍‌ଯାପିତ ହୋଇଯାଇଛି । ବିଭିନ୍ନ ଦେଶର ଖେଳାଳି, ପ୍ରଶଂସକ, ଅଧିକାରୀ, ହଜାର ହଜାର ଘରୋଇ ଦର୍ଶକ, ସ୍ବେଚ୍ଛାସେବୀ ତଥା ଆୟୋଜକ ଦେଶ ଫାନ୍ସର ରାଷ୍ଟ୍ରମୁଖ୍ୟ ଇମାନୁଏଲ ମାକ୍ରନ୍, ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ସଭାପତି ଥୋମାସ ବାକ୍‌ଙ୍କ ଉପସ୍ଥିତିରେ ସମାପନ ସମାରୋହ ଅନୁଷ୍ଠିତ ହୋଇଛି।

ଗତ ଦୁଇ ସପ୍ତାହ ହେବ ମିନି ବିଶ୍ବରେ ପରିଣତ ହୋଇଥିବା ପ୍ୟାରିସ୍‌ ଆବେଗଭରା ପରିବେଶରେ ଅଲିମ୍ପିଆନ୍‌ଙ୍କୁ ବିଦାୟ ଦେଇଛି। ସମସ୍ତେ ନିଆରା ସ୍ମୃତି ଏବଂ ବିଶ୍ବ ଭାତୃତ୍ବର ସଂକଳ୍ପ ସହ ଅଶ୍ରୁଳ ଆଖିରେ ପ୍ୟାରିସ୍‌କୁ ଅଲବିଦା କହିଛନ୍ତି। ଖେଳାଳିମାନେ ‌ଶେଷ ଥର ପାଇଁ ଏକାଠି ‌ହୋଇ ଅଲିମ୍ପିକ୍ସ ଦେଇଥିବା ଉତ୍କର୍ଷ, ସମ୍ମାନ ଓ ବନ୍ଧୁତ୍ବର ବାର୍ତ୍ତା ବାଣ୍ଟିଛନ୍ତି। ପ୍ୟାରିସ୍‌ ଅଲିମ୍ପିକ୍ସର ଉଦ୍‌ଘାଟନ ‌ସେନ୍‌ ନଈ ମଝିରେ ହେଇଥିଲା। ଶେଷ କିନ୍ତୁ ଷ୍ଟାଡିୟମ୍ ଭିତରେ ‌ହୋଇଛି।

Paris Olympics 2024

ଜୁଲାଇ ୨୬ରେ ଉଦ୍‌ଘାଟିତ ପ୍ୟାରିସ୍ ଅଲିମ୍ପିକ୍ସ ସମାପନ ହେବା ସହ ବିଶ୍ବ କ୍ରୀଡ଼ା ଇତିହାସରେ ଅନେକ ନୂଆ ଏବଂ କିଛି ବିତର୍କିତ ଅଧ୍ୟାୟ ଯୋଡ଼ି ହୋଇଛି। ଷ୍ଟାଡି ଡି' ଫ୍ରାନ୍ସରେ ଆୟୋଜିତ ଏହି ମନ୍ତ୍ରମୁଗ୍ଧକର ଉଦ୍‌ଯାପନୀ ଉତ୍ସବରେ ବିଲି ଇଲିସ୍, ସ୍ନୁପ୍ ଡଗ୍, ରେଡ୍ ହଟ୍ ଚିଲି ପିପର୍ସ ଏବଂ ପାଞ୍ଚ ଥର ଗ୍ରାମୀ ପୁରସ୍କାର ବିଜୟିନୀ ଏଚ୍‌. ଇ.ଆର୍‌ଙ୍କ ଭଳି ପ୍ରତିଷ୍ଠିତ ଅନ୍ତର୍ଜାତୀୟ ସଂଗୀତକାରଙ୍କ ପରିବେଷଣ ଖେଳାଳି ଓ ଦର୍ଶକଙ୍କ ଉଲ୍ଲସିତ କରିଥିଲା। ଇନ୍ଦ୍ରଧନୁର ସପ୍ତରଙ୍ଗ ଭଳି ଭ୍ରମ ସୃଷ୍ଟି କରୁଥିବା ଝଲମଲ ଲେଜର ଲାଇଟ୍, ଆଖି ଝଲସେଇ ଦେଲା ଭଳି ଆତସବାଜି ସହ ୧୦୦ରୁ ଅଧିକ କଳାକାରଙ୍କ ରଙ୍ଗବେରଙ୍ଗ ତଥା ନିଆରା ନୃତ୍ୟ, ସର୍କସ ଦୋଳିରେ ଦୁଃସାହସିକ କଳା କୌଶଳର ପ୍ରଦର୍ଶନ ଓ ଆକ୍ରୋବେଟିକ୍ ମୁଭ୍‌ରେ କମ୍ପି ଉଠିଥିଲା ଏକ ବିଶାଳ କନସର୍ଟ ହଲ୍‌ର ରୂପ ନେଇଥିବା ଷ୍ଟାଡି ଡି' ଫ୍ରାନ୍ସ।

ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ୮୦,୦୦୦ ଭାଗ୍ୟଶାଳୀ ଦର୍ଶକ ଝୁମି ଉଠିଥିଲେ। ସାଧାରଣ ଜୀବନରେ ଅଲିମ୍ପିକ୍ସ ଖେଳଗୁଡ଼ିକର ପ୍ରଭାବ ଓ ମହତ୍ତ୍ବକୁ ନିଖୁଣ ଭାବେ ପରିବେଷଣ କରିଥିଲେ କଳାକାରମାନେ। ହଲିଉଡ୍ ଅଭିନେତା ଟମ୍ କ୍ରୁଜ୍‌ଙ୍କ ଦୁଃସାହସିକ ମୋଟର ସାଇକେଲ୍ ଜମ୍ପ୍‌ ଦର୍ଶକଙ୍କୁ ନୁଆ ଦୁନିଆକୁ ନେଇ ଯାଇଥିଲା। ଦୁଇ ସପ୍ତାହର ଘମାଘୋଟ କ୍ରୀଡ଼ା ଲଢ଼େଇ ପରେ ଆମେରିକା ପୁଣି ଥରେ ପଦକ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଭାରତ ୪୮ରୁ ୭୧ତମ ସ୍ଥାନକୁ ଖସିବା ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ କିଛିଟା ନିରାଶ କରିଛି। ହେଲେ ଖେଳାଳିଙ୍କ ଲଢ଼ୁଆ ପ୍ରଦର୍ଶନ ୨୦୨୮ ଲସ୍‌ଏଞ୍ଜେଲ୍‌ସ ଅଲିମ୍ପିକ୍ସରେ ଭାରତ ଆହୁରି ଭଲ କରିବାର ଆତ୍ମବିଶ୍ବାସ ଜାଗ୍ରତ ହୋଇଛି। ଫ୍ରାନ୍ସର ପ୍ରତିଷ୍ଠିତ ଅଭିନେତା ଓ କଳା ନିର୍ଦ୍ଦେଶକ ଥୋମାସ ଜୋଲିଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ବ ହକି ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେଶ ଏବଂ ସଫଳ ସୁଟର୍ ମନୁ ଭାକର ନେଇଥିଲେ। ପାରମ୍ପରିକ ପୋଷାକରେ ଭାରତୀୟ ଖେଳାଳି ଓ ଅଧିକାରୀମାନେ ପରେଡ୍‌ରେ ଅଂଶଗ୍ରହଣ କରିଥିଲେ।

ଅଲିମ୍ପିକ୍ସ ମଶାଲର ଷ୍ଟାଡିୟମ୍ ପ୍ରବେଶ ତଥା ଫ୍ରାନ୍ସର ଜାତୀୟ ସଂଗୀତ ଗାନ ସହ ରବିବାରର ଉତ୍ସବ ଆରମ୍ଭ ହୋଇଥିଲା। ଆୟୋଜକ ରାଷ୍ଟ୍ରର ଜାତୀୟ ପାତାକା ମଧ୍ୟ ଫରଫର ଉଡ଼ିଥିଲା। ୨୦୬ ଦେଶର ପତାକାଧାରୀ ମୁଖ୍ୟ ଆକର୍ଷଣ ପାଲଟିଥିଲେ। ଏହା ପରେ ଖେଳାଳିମାନେ ପରେଡ୍‌ରେ ଆସି ସେମାନଙ୍କୁ ଯୋଗଦେଇଥିଲେ। ଶେଷ ପଦକ ବିତରଣ ଉତ୍ସବ ସହ ମହିଳା ମାରାଥନକୁ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପ୍ରଥମ ଲିଙ୍ଗ ସମାନତା ଅଲିମ୍ପିକ୍ସର ମାନ୍ୟତା ପାଇଥିବା ପ୍ୟାରିସ୍ ଅଲିମ୍ପିକ୍ସକୁ ସଫଳତାର ସହ ଶେଷ କରିବାରେ ପ୍ରମୁଖ ଭୂମିକା ନେଇଥିବା ୪୫୦୦୦ ସ୍ବେଚ୍ଛାସେବୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ମାନବିକତାର ମୂଳଦୁଆ ଆଧାରିତ ତଥା ସ୍ବପ୍ନର ଯାତ୍ରା ଥିମ୍‌ରେ ମୋନରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ପରବର୍ତ୍ତୀ ଅଲିମ୍ପିକ୍ସର ଆୟୋଜକ ସହର ଲସ୍‌ ଏଞ୍ଜେଲ୍‌ସକୁ ବାଟନ ହସ୍ତାନ୍ତର କରାଯାଇଥିଲା। ଗାୟିକା ୟୁଲ୍ଟଙ୍କ ମାଇଁ ୱେ ଗୀତର ତାଳେତାଳେ ଓ ଭାବବିହ୍ବଳ ପରିବେଶରେ ଅଲିମ୍ପିକ୍ସ ବହ୍ନି ଲିଭାଯାଇଥିଲା। ତା ସହ ପ୍ୟାରିସ୍‌ ଅଲିମ୍ପିକ୍ସ ଆନୁଷ୍ଠାନିକ ଭାବେ ‌ଶେଷ ହୋଇଥିଲା। ଆମେରିକା ଓ ଚୀନ ପ୍ରତ୍ୟେକ ସମାନ ୪୦ ଲେଖାଏଁ ସ୍ବର୍ଣ୍ଣ ଜିତି ସମ୍ମାନକୁ ବାଣ୍ଟିଥି‌ଲେ ମଧ୍ୟ ମୋଟ ପଦକ ଦୃଷ୍ଟିରୁ ଆମେରିକା (୧୨୬) ଏସୀୟ ମହାଶକ୍ତି ‌ଚୀନ (୯୧)କୁ ପଛରେ ପକାଇଛି। ଆୟୋଜକ ଫ୍ରାନ୍ସ କିନ୍ତୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ (୧୬ ସ୍ବର୍ଣ୍ଣ ସହ ୬୪ ପଦକ) ଦେଇ ଆଶା ମୁତାବକ ସଫଳତା ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+