କାଲି ଓଡ଼ିଶା ଆସିବେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍: ସୂଚନା ଦେଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
କାଲି ଓଡ଼ିଶା ଆସିବେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ଭାରତୀୟ ହକି ଦଳ ଆସିବା ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା । ସାଢ଼େ ୧୨ଟାରେ ବିମାନ ବନ୍ଦରରେ ପହଞ୍ଚିବେ ଭାରତୀୟ ହକି ଟିମ୍ । ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡ଼ିୟମ୍ ଯାଏଁ ଶୋଭାଯାତ୍ରା ଆୟୋଜନ । କଳିଙ୍ଗ ଷ୍ଟାଡ଼ିୟମ୍ରେ ସମ୍ବର୍ଦ୍ଧନା ଓ ଘୋଷିତ ପୁରସ୍କାର ରାଶି ଦିଆଯିବ ।

ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ୧୯୬୮ ଓ ୧୯୭୨ ପରେ ଭାରତ ବ୍ରୋଞ୍ଜ ଜିତିଥିଲା। ଏବେ ଟୋକିଓ(୨୦୨୦) ଓ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି।
ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଦିଆଯିବ। ଦଳରେ ଥିବା ସହଯୋଗୀ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ । ତେବେ ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ୪ କୋଟି ଟଙ୍କା ପୁରସ୍କାର ଘୋଷଣା ହୋଇଛି ।
ଭାରତୀୟ ହକିର ମହାନତମ ଗୋଲ୍ରକ୍ଷକ ପିଆର୍ ଶ୍ରୀଜେଶଙ୍କୁ ହକି ଇଣ୍ଡିଆ ସ୍ବତନ୍ତ୍ର ବିଦାୟୀକାଳୀନ ସମ୍ବର୍ଦ୍ଧନା ଦେଇଛି । ଭାରତୀୟ ହକି ପ୍ରତି ସେ ଦେଇଥିବା ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ସେ ପିନ୍ଧୁଥିବା ୧୬ନଂ ଜର୍ସିକୁ ହକି ଇଣ୍ଡିଆ ସବୁଦିନ ପାଇଁ ବରିଷ୍ଠ ସ୍ତରରୁ ଅବସର ଘୋଷଣା କରିଛି। କନିଷ୍ଠ ସ୍ତରୀୟ ହକିରେ ଅବଶ୍ୟ ଏହି ଜର୍ସି ନମ୍ବରର ଉପଯୋଗ ପୂର୍ବଭଳି ଜାରି ରହିବ। ସେହିଭଳି ପାଖାପାଖି ଦୁଇ ଦଶନ୍ଧି ଧରି ଭାରତୀୟ ଗୋଲ୍ପୋଷ୍ଟର ରକ୍ଷାପ୍ରାଚୀର ରହି ଆସିଥିବା ଶ୍ରୀଜେଶଙ୍କୁ ହକି ଇଣ୍ଡିଆ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛି। ଲଗାତାର ଅଲିମ୍ପିକ୍ସ ପଦକ ଜିତିବା ପରେ ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଥିବା ଶ୍ରୀଜେଶ ଭାରତୀୟ କନିଷ୍ଠ ହକି ଦଳର ପ୍ରଶିକ୍ଷକ ଦାୟିତ୍ବ ନେବେ ବୋଲି ହକି ଇଣ୍ଡିଆ ସଂପାଦକ ଭୋଳାନାଥ ସିଂହ ଘୋଷଣା କରିଛନ୍ତି ।












Click it and Unblock the Notifications