ସବୁ ବାଟ ବନ୍ଦ, ଏସିଆ କପ-୨୦୨୩ରୁ ପାକିସ୍ତାନ ଆଉଟ୍ !
ନୂଆଦିଲ୍ଲୀ: ଏସିଆ କପ-୨୦୨୩ରୁ ପାକିସ୍ତାନ ଆଉଟ୍ । ପଡୋଶୀ ପାକିସ୍ତାନକୁ ଲାଗିଛି ବଡ ଝଟକା । ଏକା ସାଙ୍ଗରେ ୩ଟି ଦେଶ ପାକିସ୍ତାନର ପ୍ରସ୍ତାବକୁ ବିରୋଧ କରିଛନ୍ତି । ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବ ପାକିସ୍ତାନ।
ଏସିଆ କପର ଆୟୋଜନ ଦାୟିତ୍ୱ ପାଇଥିବା ପାକିସ୍ତାନ ଏବେ ପୂରା ଟୁର୍ଣ୍ଣାମେଣ୍ଟରେ ହିଁ ଭାଗ ନେଇ ନପାରେ । ପାକିସ୍ତାନରେ ଏସିଆ କପ ଖେଳିବାକୁ ଭାରତ ମନା କରିବା ପରେ ପୂରା ବିବାଦ ସୃଷ୍ଟି ହୋଇଥିଲା । ପିସିବି ମୁଖ୍ୟ ନଜାମ ସେଠୀ ଏସିଆ କପ ପାଇଁ ହାଇବ୍ରିଡ ମଡେଲର ପ୍ରସ୍ତାବ ଦେଇଥିଲେ । ଏଥିରେ ସେ କହିଥିଲେ ଯେ ଏସିଆ କପର ୩ରୁ ୪ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ । ଭାରତ ଓ ଅନ୍ୟ ମ୍ୟାଚ୍ ଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ଖେଳାଯାଉ ।

କିନ୍ତୁ ଏହି ମଡେଲରେ ଖେଳିବା ପାଇଁ ମନା କରି ଦେଇଛନ୍ତି ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ । ଏହାପରେ ବଡ ଅଡୁଆରେ ପଡିଯାଇଛି ପାକିସ୍ତାନ କ୍ରିକେଟ ବୋର୍ଡ । ତେବେ ବର୍ତ୍ତମାନ ପାକିସ୍ତାନ ପାଖରେ ମାତ୍ର ଦୁଇଟି ରାସ୍ତା ବାକି ରହିଛି । ଏହାପରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ଓହରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ମିଳିଥିବା ସୂଚନା ଅନୁସାରେ, ଏସିଆନ କ୍ରିକେଟ କାଉନସିଲର କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟଙ୍କ ବୈଠକ ଚଳିତ ମାସରେ ବସିବ। ଏଥିରେ ପାକିସ୍ତାନ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା ହେବ। କିନ୍ତୁ ବୈଠକ ପୂର୍ବରୁ ହିଁ ଅନଔପଚାରିକ ଭାବେ ପାକିସ୍ତାନ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦିଆଯାଇଛି । କେବଳ ଏହାକୁ ବୈଠକରେ ଘୋଷଣା କରାଯିବ। ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପିସିବି ପ୍ରସ୍ତାବରେ ରାଜି ନଥିବା ସ୍ପଷ୍ଟ ହୋଇଛି ।
ସେପଟେ ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ନହେଲେ ଶ୍ରୀଲଙ୍କା ଏହାର ଆୟୋଜନ କରିବା ପାଇଁ ପ୍ରସ୍ତୁତ ରହିଛି । କିନ୍ତୁ ଶ୍ରୀଲଙ୍କାର ଏହି ନିଷ୍ପତ୍ତି ପାକିସ୍ତାନକୁ ଝଟକା ଦେଇଛି । ସେଥିପାଇଁ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ରଦ୍ଦ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ତେବେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ହଟିଲେ, ଏସିଆ କପରେ ୬ ଜାଗାରେ ୫ଟି ଦେଶକୁ ନେଇ ଖେଳାଯିବ । ଏହା ପୂର୍ବରୁ ୧୯୯୦-୯୧ରେ ମଧ୍ୟ ଭାରତରେ ଆୟୋଜିତ ଏସିଆ କପରେ ପାକିସ୍ତାନ ଭାଗ ନେଇ ନଥିଲା ।












Click it and Unblock the Notifications