କାର୍ଯ୍ୟାନୁଷ୍ଠାନ ଭୟରେ ନିଷ୍ପତ୍ତି ବଦଳାଇଲା ପାକିସ୍ତାନ, ଖେଳାଳିଙ୍କ ପାଇଁ ବୁକିଂ କଲା ଟିକେଟ
ବାଂଲାଦେଶକୁ ନୈତିକ ସମର୍ଥନ ଦେଇ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍ରୁ ଓହରିଯିବା ଧମକ ଦେଇଥିବା ପାକିସ୍ତାନ ଏଭଳି ନିଷ୍ପତ୍ତିର ସୁଦୂର ପ୍ରସାରୀ ପ୍ରଭାବ ଏବଂ ଆଇସିସି ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଭୟରେ ତା'ର ସ୍ବର ବଦଳାଇବା ଆରମ୍ଭ କରିଛି। ଏବେ ବିଶ୍ବକପ୍ ପ୍ରସ୍ତୁତି ଲାଗି ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବାକୁ ଯାଉଛି ପାକିସ୍ତାନ। ସେହିଭଳି ଶ୍ରୀଲଙ୍କା ଗସ୍ତ ଲାଗି ନିଜ ଦଳର ସମସ୍ତ ଖେଳାଳିଙ୍କ ବିମାନ ଟିକେଟ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ବୁକିଂ କରିସାରିଥିବାର ଖବର ମଧ୍ୟ ପାକିସ୍ତାନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ପିସିବି ମୁଖ୍ୟ ମୋହସିନ୍ ନକଭୀ ଏହି ମାମଲାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଚାର ବିମର୍ଶ କରିବା ପରେ ବିଶ୍ବକପ୍କୁ ବର୍ଜନ ନକରିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି। ତେବେ ଫେବ୍ରୁଆରି ୧୫ରେ ଖେଳାଯିବାକୁ ଥିବା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷ ମ୍ୟାଚ୍ ନ ଖେଳିବର ବିକଳ୍ପ ଏବେବି ପିସିବି ପାଇଁ ଖୋଲା ରଖିଛି। ପାକିସ୍ତାନର ବହୁ ପୂର୍ବତନ କ୍ରିକେଟର୍ ମଧ୍ୟ ବିଶ୍ବକପ୍କୁ ବର୍ଜନ କରିବା ଭଳି ଘାତକ ନିଷ୍ପତ୍ତି ନନେବାକୁ ନକ୍ଭୀଙ୍କୁ ପରାମର୍ଶ ଦେଇଛନ୍ତି। ସେମାନେ ଆକଳନ କରିଛନ୍ତି ଯେ ଯଦି ପାକିସ୍ତାନ ବିଶ୍ବକପ୍କୁ ବର୍ଜନ କରେ, ତାହେଲେ କୋଟିକୋଟି ଟଙ୍କାର ଆର୍ଥିକ କ୍ଷତି ସହିବ। ଆଇସିସି ସହ ମଧ୍ୟ ସବୁଦିନ ପାଇଁ ସଂପର୍କ ନଷ୍ଟ ହୋଇଯିବ। ଯାହା ଦୀର୍ଘମିଆଦି ସୂତ୍ରରେ ପାକିସ୍ତାନ କ୍ରିକେଟ୍ ଉପରେ ବ୍ୟାପକ ପ୍ରତିକୂଳ ପ୍ରଭାବ ପକାଇବ।
ସୂଚନାଯୋଗ୍ୟ ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ତା' ପରେ ଭାରତର 'ଅପରେସନ୍ ସୁନ୍ଦର' ପାଇଁ ଭାରତ-ପାକିସ୍ତାନ ସଂପର୍କ ତିକ୍ତ ହୋଇଥିଲା। ଏହାକୁ ଆଳ କରି ବିଶ୍ବକପ୍ ଲାଗି ଭାରତ ନଆସି ନିରପେକ୍ଷ ସ୍ଥାନରେ ବିଶ୍ବକପ୍ ଖେଳିବାକୁ ଆଇସିସି ନିକଟରେ ପିସିବି ଦାବି କରିଥିଲା। ପିସିବି କଥାକୁ ମାନି ଆଇସିସି ତା'ର ସମସ୍ତ ବିଶ୍ବକପ୍ ମ୍ୟାଚ୍କୁ ଶ୍ରୀଲଙ୍କାରେ ରଖିଥିଲା। ତେବେ ଆଇପିଏଲ୍ରୁ ବାଂଲାଦେଶ କ୍ରିକେଟର୍ ମୁସ୍ତାଫିଜୁର ରହମାନ ବିତାଡ଼ିିତ ହେବା ଏବଂ ସୁରକ୍ଷାକାରଣ ଦର୍ଶାଇ ଭାରତ ଗସ୍ତ ନକରିବାକୁ ବାଂଲାଦେଶ କହିବା ପରେ ପିସିବି ପୁଣି ଥରେ ତା'ର ରଙ୍ଗ ବଦଳାଇଥିଲା। ଭାରତ ଗସ୍ତ କରିବାକୁ ଅମଙ୍ଗ ହେବା ପରେ ବାଂଲାଦେଶକୁ ଆଇସିସି ବିଶ୍ବକପ୍ରୁ ବାହାର କରିବା ପରେ ପିସିବି ଏହି ଦଳକୁ ସମର୍ଥନ କରି ବିଶ୍ବକପ୍ ଖେଳିବ ନାହିଁ ବୋଲି ଧମକ ଦେଇଥିଲା। ଆଇସିସି କିନ୍ତୁ ଏଭଳି ନିଷ୍ପତ୍ତି ନେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିବିକୁ ଜଣାଇ ଦେଇଥିଲା। ଏହାରି ଭୟରେ ହିଁ ପାକିସ୍ତାନ ଏବେ ବିଶ୍ବକପ୍ ଖେଳିବା ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଛି।












Click it and Unblock the Notifications