ଓଭାଲ୍ ଟେଷ୍ଟ୍: ଇଂଲଣ୍ଡକୁ ୩୫ ରନ୍, ଭାରତକୁ ୪ ୱିକେଟ୍ ଆବଶ୍ୟକ
ଓଭାଲ୍ ଟେଷ୍ଟ୍ ସହ ଶୃଙ୍ଖଳା ଜିତିବା ଦ୍ବାରରେ ପହଞ୍ଚିଯାଇଥିବା ଇଂଲଣ୍ଡକୁ ଭାରତୀୟ ବୋଲରଙ୍କ ସହ ବର୍ଷା ଓ ଖରାପ ଆଲୋକ କରାଇ ଦେଇନାହିଁ। ଫଳରେ ମ୍ୟାଚ୍ ପଞ୍ଚମ ଦିନକୁ ଯାଇଛି। ବିଜୟଠାରୁ ଇଂଲଣ୍ଡ ୩୫ ରନ୍ ଏବଂ ଭାରତ ୪ ୱିକେଟ୍ ଦୂରରେ ରହିଛି।
ଆହତ କ୍ରିସ୍ ଓକ୍ସ ବ୍ୟାଟିଂ ପାଇଁ ନ ଆସିଲେ ଭାରତକୁ ବି ମାତ୍ର ୩ ୱିକେଟ୍ ଆବଶ୍ୟକ ହେବ। ରବିବାର ବର୍ଷା ପାଇଁ ଚତୁର୍ଥ ଦିନର ଖେଳ ଅଟକିବା ସହ ଷ୍ଟମ୍ପ୍ସ ହେବା ପୂର୍ବରୁ ଇଂଲଣ୍ଡ ଶେଷ ୫ ଓଭରରେ ମାତ୍ର ୮ ରନ୍ ସଂଗ୍ରହ କରି ୨ ୱିକେଟ୍ ହରାଇବା ଉତ୍କଣ୍ଠାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି। ଇଂଲଣ୍ଡ ଆଗୁଆ ଷ୍ଟମ୍ପ୍ସ ବେଳକୁ ୩୩୯/୬ କରିଥିଲା।

ରବିବାର ଇଂଲଣ୍ଡ ଏହାର ତୃତୀୟ ଦିନର ସ୍କୋର୍ ୫୦/୧ରୁ ଖେଳିବା ପରେ ବେନ୍ ଡକେଟ୍ ଅର୍ଦ୍ଧଶତକ (୫୪) ପୂର୍ଣ୍ଣ କରି ନେଇଥିଲେ। ଡକେଟ୍ଙ୍କୁ ପ୍ରସିଦ୍ଧ କୃଷ୍ଣ ଏବଂ ଅଧିନାୟକ ଓଲି ପୋପ୍ (୨୭)ଙ୍କୁ ମହମ୍ମଦ ସିରାଜ ପ୍ୟାଭିଲିଅନ୍ ଫେରାଇ ଦେବା ପରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ୧୦୬/୩ରେ ଇଂଲଣ୍ଡ ପହଞ୍ଚିଥିଲେ ମଧ୍ୟ ଏହି ସମୟରେ ଜୋ ରୁଟ୍ ଓ ହ୍ୟାରି ବ୍ରୁକ୍ ଚତୁର୍ଥ ୱିକେଟ୍ ପାଇଁ ୧୯୫ ରନ୍ ଭାଗୀଦାରି କରିବା ଭାରତକୁ ପୁଣି ବ୍ୟାକ୍ଫୁଟ୍କୁ ଠେଲି ଦେଇଥିଲା। ମଧ୍ୟାହ୍ନ ଭୋଜନ ଓ ଚା'ପାନ ବିରତି ଭିତରେ ଏହି ଯୋଡ଼ି ୧୫୩ ରନ୍ ଯୋଡ଼ି ଭାରତ ହାତରୁ ଏକ ପ୍ରକାର ମ୍ୟାଚ୍ ଛଡ଼ାଇ ନେଇଥିଲେ। ବ୍ରୁକ୍ ମାତ୍ର ୯୧ ବଲ୍ରୁ ଚଳିତ ଶୃଙ୍ଖଳାର ଦ୍ବିତୀୟ ଏବଂ କ୍ୟାରିୟର୍ର ଦଶମ ଶତକ ହାସଲ କରିଥିଲେ। ଚା'ପାନ ବିରତି ପୂର୍ବରୁ ଆକାଶ ଦୀପ ତାଙ୍କ ୱିକେଟ୍ ଦଖଲ କରିଥିଲେ। ଇଂଲଣ୍ଡ ବିଜୟ ମୁହାଁ ହେଉଥିବା ବେଳେ ଜ୍ୟାକବ୍ ବେଥେଲ୍ ଓ ଜୋ ରୁଟ୍ଙ୍କୁ କ୍ରମାଗତ ଓଭରରେ ଆଉଟ୍ କରି ପ୍ରସିଦ୍ଧ କୃଷ୍ଣ ପ୍ରସିଦ୍ଧ ହେବା ସୁଯୋଗ ସୃଷ୍ଟି କରିଛନ୍ତି। ରୁଟ୍ କିନ୍ତୁ ହ୍ୟାଟ୍ରିକ୍ ଶତକ କରିବା ସହ ସଚିନ (୫୧), କାଲିସ (୪୫), ପଣ୍ଟିଂ (୪୧)ଙ୍କ ପଛକୁ ଅଗ୍ରଣୀ ଶତକ ତାଲିକାରେ ଚତୁର୍ଥରେ ପହଞ୍ଚିଛନ୍ତି। ରୁଟ୍ ଭାରତ ବିପକ୍ଷରେ ୧୩ ଏବଂ କ୍ୟାରିୟର୍ର ୩୯ତମ ଟେଷ୍ଟ୍ ଶତକ ହାସଲ କରି ମହାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୨୨୪ (କରୁଣ ନାୟର-୫୭, ସାଇ ସୁଦର୍ଶନ-୩୮, ୱାସିଂଟନ୍ ସୁନ୍ଦର-୨୬, ଗସ୍ ଆଟ୍କିନ୍ସନ୍-୫/୩୩, ଜୋସ୍ ଟଙ୍ଗ୍-୩/୫୭)। ଇଂଲଣ୍ଡ ପ୍ରଥମ ପାଳି: ୨୪୭ (ଜ୍ୟାକ୍ କ୍ରଲି-୬୪, ହ୍ୟାରି ବ୍ରୁକ୍-୫୩, ପ୍ରସିଦ୍ଧ କୃଷ୍ଣ-୪/୬୨, ମହମ୍ମଦ ସିରାଜ-୪/୮୬, ଆକାଶ ଦୀପ-୧/୮୦)। ଭାରତ ଦ୍ବିତୀୟ ପାଳି: ୩୯୬ (ଯଶସ୍ବୀ ଜୟସ୍ବାଲ-୧୧୮, ଆକାଶ ଦୀପ-୬୬, ରବୀନ୍ଦ୍ର ଜାଡ଼େଜା-୫୩, ୱାସିଂଟନ୍ ସୁନ୍ଦର-୫୩, ଜୋସ୍ ଟଙ୍ଗ୍-୫/୧୨୫, ଗସ୍ ଆଟ୍କିନ୍ସନ୍-୩/୧୨୭, ଜାମି ଓଭର୍ଟନ୍-୨/୯୮)। ଇଂଲଣ୍ଡ ଦ୍ବିତୀୟ ପାଳି (ଲକ୍ଷ୍ୟ ୩୭୪): ୭୬.୨ ଓଭରରେ ୩୩୯/୬ (ହ୍ୟାରି ବ୍ରୁକ୍-୧୧୧, ଜୋ ରୁଟ୍-୧୦୫, ବେନ୍ ଡକେଟ୍-୫୪, ଓଲି ପୋପ୍-୨୭, ପ୍ରସିଦ୍ଧ କୃଷ୍ଣ-୩/୧୦୯, ମହମ୍ମଦ ସିରାଜ-୨/୯୫, ଆକାଶ ଦୀପ-୧/୮୫)।












Click it and Unblock the Notifications