Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାକୁ ଶ୍ରେଷ୍ଠ କ୍ରୀଡ଼ା ପ୍ରେତ୍ସାହନକାରୀ ରାଜ୍ୟର ମାନ୍ୟତା

କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି।

naveen patnaik

ଭୁବନେଶ୍ୱର: କ୍ରୀଡା ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ଆଜି ମୁମ୍ବାଇରେ ଆୟୋଜିତ 'Sportstar Aces-2023 Awards' କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର "Best State for Promotion of Sports" ଗ୍ରହଣ କରିଛନ୍ତି। ଚତୁର୍ଥ ଥର ପାଇଁ ଓଡିଶା ଏହି ମର୍ଯ୍ୟଦାଜନକ ପୁରସ୍କାର ପାଇଛି। କ୍ରୀଡା କ୍ଷେତ୍ରରେ ଓଡିଶାର ଅନନ୍ୟ କାର୍ଯ୍ୟକ୍ରମ ପାଇଁ ଏହି ପୁରସ୍କାର ମିଳିଛି । କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟତା, ପ୍ରତିଯୋଗୀତା, କୋଚିଂ, ଭିତ୍ତିଭୂମି ଓ ପ୍ରତିଭାଧର କ୍ରୀଡାବିତ୍‌ଙ୍କ ପାଇଁ କଲ୍ୟାଣ ଯୋଜନାର ମିଳିତ ଭୂମିକାରେ ପ୍ରତିଷ୍ଠା ପାଇଥିବା ଓଡିଶାର 'ସ୍ପୋର୍ଟସ ମଡେଲ' ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ।

ମୁଖ୍ୟମନ୍ତ୍ରୀ ଆଜି ମୁମ୍ବାଇ ଠାରେ ହିନ୍ଦୁ ଗ୍ରୁପ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦ ହିନ୍ଦୁର ସଂପାଦକ ସୁରେଶ ନମ୍ବଥ ଓ ପ୍ରସିଦ୍ଧ କ୍ରିକେଟ ଖେଳାଳୀ ସୁନିଲ ଗାଭାସ୍କରଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ପୁରସ୍କାର ପାଇଁ ବିଚାରକମଣ୍ଡଳୀରେ ପୂର୍ବତନ ଭାରତୀୟ କ୍ରିକେଟ କ୍ୟାପଟେନ ସୁନିଲ ଗାଭାସ୍କରଙ୍କ ନେତୃତ୍ବରେ ଅନେକ ବିଶିଷ୍ଟ କ୍ରୀଡାବିତ ଅଭିନବ ବିନ୍ଦ୍ରା, ଅପର୍ଣ୍ଣା ପୋପଟ, ଅଞ୍ଜଳୀ ଭଗବତ, ବାଇଚୁଙ୍ଗ ଭୂତିଆ, ଏମ.ଏମ ସୌମ୍ୟା ଓ ବିଶ୍ବନାଥନ ଆନନ୍ଦ ପ୍ରମୁଖ ସଦସ୍ୟ ରହିଥିଲେ । ପୁରସ୍କାର ପାଇଁ ହିନ୍ଦୁ ଗ୍ରୁପ ତଥା ସ୍ପୋର୍ଟସ ଷ୍ଟାରକୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ଓଡିଶାର ଜନସାଧାରଣଙ୍କୁ ଉତ୍ସର୍ଗ କରିଥିଲେ ।

କ୍ରୀଡାବିତ୍‌ ମାନଙ୍କୁ ସମ୍ମାନିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସ୍ପୋର୍ଟସ ଷ୍ଟାର କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ବିଶ୍ବ କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍‌ ମାନଙ୍କ ଅବଦାନକୁ ମର୍ଯ୍ୟଦା ପ୍ରଦାନ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ଲାଟଫର୍ମ। ଏହା ଆମର ଆଗାମୀ ଦିନର ପ୍ରତିଭାବାନ କ୍ରୀଡାବିତ୍‌ ମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରିବ। କ୍ରୀଡାବିତ ମାନେ ହେଉଛନ୍ତି ଆମର ପ୍ରକୃତ ରାଷ୍ଟ୍ରଦୂତ। ସେମାନଙ୍କୁ ସହଯୋଗ ଯୋଗାଇଦେବା ଏବଂ ସେମାନଙ୍କୁ ସବୁ କ୍ଷେତ୍ରରେ ଉତ୍ସାହିତ କରିବା ଆମର ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, କ୍ରୀଡା କ୍ଷେତ୍ରରେ ଆମେ ବିପୁଳ ସମ୍ବଳ ବିନିଯୋଗ କରୁଛୁ । କାରଣ ଯୁବସମାଜ ପାଇଁ ସମ୍ବଳ ବିନିଯୋଗ କରିବା ଅର୍ଥ ହେଉଛି ଆମ ଭବିଷ୍ୟତ ପାଇଁ ସମ୍ବଳର ବିନିଯୋଗ। ଗତ ୫ ବର୍ଷ ମଧ୍ୟରେ ଆମ କ୍ରୀଡା ବଜେଟ ୧୦ ଗୁଣ ବଢିଛି। ଆସନ୍ତା ଆର୍ଥିକ ବର୍ଷରେ ଏହା ୧୨୦୦ କୋଟିରୁ ଅଧିକ ରହିଛି । ହକି ବିଶ୍ବ କପ ସହିତ ଆମେ ଅନେକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଛୁ । ଖେଳାଳୀ ମାନଙ୍କ ପାଇଁ ଆମେ ବିଶ୍ବସ୍ତରୀୟ ଭିତ୍ତିଭୂମି ସୁବିଧା ନିର୍ମାଣ କରିବା ସହିତ ବିଭିନ୍ନ High Performance Centre ଓ ପ୍ରତିଯୋଗୀତା ଜରିଆରେ ଖେଳାଳୀ ମାନଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ଉଦ୍ୟମ କରୁଛୁ । କ୍ରୀଡା କ୍ଷେତ୍ରରେ ଓଡିଶାର ଜୟଯାତ୍ରାରେ ସାମିଲ ହେବା ପାଇଁ ଆପଣମାନଙ୍କୁ ନିବେଦନ କରୁଛି ଏବଂ ଆମେ ସମସ୍ତେ ମିଶି ଭାରତୀୟ କ୍ରୀଡା ପାଇଁ ବିଶ୍ବସ୍ତରରେ ଗୌରବ ହାସଲ କରିପାରିବା ବୋଲି ସେ କହିଥିଲେ। ଅଲମ୍ପିକ୍‌ସରେ ଦେଶର ପତାକାକୁ ଉଚ୍ଚ ରଖିବା ହେଉଛି ସବୁ ଭାରତୀୟ ମାନଙ୍କର ସାମୁହିକ ସ୍ବପ୍ନ। ଏଥିପାଇଁ ଆମେ ସମସ୍ତେ ମିଶି ଉଦ୍ୟମ କରି ଏହାକୁ ବାସ୍ତବତାରେ ପରିଣତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

୨୦୨୨ରେ ଓଡିଶାର କ୍ରୀଡାବିତ୍‌ମାନେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗୀତାରେ ମେଡାଲ ଜିତି ଗୌରବ ଆଣିଥିଲେ । ଏହାସହିତ ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ FIH ଓଡିଶା ପୁରୁଷ ବିଶ୍ବକପ୍‌ ହକି-୨୦୨୩ର ସଫଳ ଆୟୋଜନ ଯୋଗୁ କ୍ରୀଡା ଦୁନିଆରେ ଓଡିଶା ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ହେବା ସହିତ ସମ୍ମାନର ପାତ୍ର ହୋଇପାରିଛି । ୨୦୨୨ରେ ଓଡିଶା ଅନେକ ଆନ୍ତର୍ଜାତିକ ପ୍ରତିଯୋଗୀତା ଆୟୋଜନ କରିଥିଲା । ସେଗୁଡିକ ହେଉଛି - Odisha Open, SAAF U20, FIFA U17 Women's World Cup, FIBA-2022 (SABA Qualifiers), FIH Hockey Pro League ଏବଂ ଅନେକ ଜାତୀୟ ପ୍ରତିଯୋଗୀତା ଯଥା - Indian Women's League, Aquatic Junior Nationals, IWLF Youth Juniors and Senior National Weight Lifting Championship-2022, Para Athletic Championship and Para Badminton Nationals ଓ ଆହୁରି ଅନେକ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶାରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ପ୍ରାଥମିକତା ଦିଆଯାଉଛି। ଓଡିଶାରେ ଅତ୍ୟାଧୁନିକ କ୍ରୀଡା ସୁବିଧା ପ୍ରସ୍ତୁତ କରାଯାଇ ପ୍ରତିଭାଧର କ୍ରୀଡାବିତ୍ ମାନଙ୍କ ପାଇଁ ସର୍ବଶ୍ରେଷ୍ଠ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଉଛି । ଆମ ଦେଶର ସର୍ବଶ୍ରେଷ୍ଠ କ୍ରୀଡା ଭିତ୍ତିଭୂମି ମଧ୍ୟରେ ପ୍ରତିଷ୍ଠିତ କଳିଙ୍ଗ ସ୍ପୋର୍ଟସ କମ୍ଲେକ୍‌ସ ସ୍ଥାନ ପାଇଛି । ଏହାର ପରିସର ମଧ୍ୟରେ ଅନେକ ବୃହତ କ୍ରୀଡା ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି । ସେଥିମଧ୍ୟରେ ରହିଛି ଦେଶର ପ୍ରଥମ ଆଥଲେଟିକ୍‌ସ ସେଣ୍ଟର, ଟେନିସ କୋର୍ଟ, ଇଣ୍ଡୋର ଆକ୍ବାଟିକ୍‌ସ ସେଣ୍ଟର, ହକି ହାଇ ପରଫରମାନ୍‌ସ ସେଣ୍ଟର । ଏହା ସହିତ ଏକ ବିଶାଳ ସ୍ପୋର୍ଟସ ସାଇନସ ସେଣ୍ଟରର ନିର୍ମାଣ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଦେଶ ପାଇଁ ଆଗାମୀ ଦିନର କ୍ରୀଡା ଚମ୍ପିଆନ ସୃଷ୍ଟି କରିବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ରାଉରକେଲାରେ ପ୍ରତିଷ୍ଠିତ ବିର୍ସାମୁଣ୍ଡା ହକି ଷ୍ଟାଡିଅମ ଦେଶର ସର୍ବ ବୃହତ (ବସିବା)ଆସନ ବିଶିଷ୍ଟ ହକି ଷ୍ଟାଡିଅମ ଭାବରେ ନିକଟରେ ଗିନିଜ ବୁକ୍‌ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇଛି । ମହାମାରୀ ଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହେବା ସତ୍ତ୍ବେ ଏହି ଷ୍ଟାଡିଅମ ମାତ୍ର ୧୫ ମାସ ମଧ୍ୟରେ ସଂପୂର୍ଣ୍ଣ ହୋଇଥିଲା । ଏହା ସହିତ ଏଥିରେ ଅଲମ୍ପିକ୍ ପରି ୨୨୫ କୋଠରୀ ବିଶିଷ୍ଟ ହକି ଭିଲେଜ ମଧ୍ୟ ନିର୍ମାଣ କରାଯାଇଛି ।

ସେହିପରି ସାଧାରଣ ଲୋକଙ୍କ ମଧ୍ୟରେ କ୍ରୀଡା ଓ ସୁସ୍ଥତାର ପ୍ରୋତ୍ସାହନ ପାଇଁ ଓଡିଶାର ସବୁ ସହରାଞ୍ଚଳରେ ୯୦ଟି ବହୁମୁଖୀ ଇଣ୍ଡୋର ହଲ୍‌ ନିର୍ମାଣ କରାଯାଉଛି। ଏଥିରେ ଅନେକ କ୍ରୀଡା ପାଇଁ ଭିତ୍ତିଭୂମି ମଧ୍ୟ ସୃଷ୍ଟି କରାଯାଉଛି। ଏଥିରେ ରହିଛି ସୁଇମିଂ ପୁଲ୍‌ ଟ୍ରେନିଂ ସେଣ୍ଟର, ଫୁଟବଲ ଟ୍ରେନିଂ ସେଣ୍ଟର, ହକି ଟ୍ରେନିଂ ସେଣ୍ଟର ଓ ସ୍ପୋର୍ଟସ କମ୍ପ୍ଲେକ୍‌ସ ।

ଦେଶରେ କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନକୁ ସମ୍ମାନିତ କରିବାରେ Sportstar Aces Award ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଏହା ଏକ ମର୍ଯ୍ୟଦାଜନକ ପୁରସ୍କାର । କ୍ରୀଡା ପାଇଁ ଓଡିଶାର ପ୍ରତିବଦ୍ଧତାର ଏହା ଏକ ପ୍ରକୃଷ୍ଟ ନିଦର୍ଶନ। କ୍ରୀଡାବିତ୍‌ ମାନଙ୍କୁ ସଫଳ ହେବା ପାଇଁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଦେବାରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । କ୍ରୀଡା କ୍ଷେତ୍ରରେ ଓଡିଶାର ଉଦ୍ୟମକୁ ମାନ୍ୟତା ମିଳିବାରେ ଏହା ଏକ ଉପଯୁକ୍ତ ପୁରସ୍କାର ଏବଂ ବିଶ୍ବସ୍ତରୀୟ କ୍ରୀଡା ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାର ଶ୍ରେଷ୍ଠ ନିଦର୍ଶନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+