ମହିଳା ହକି ଇଣ୍ଡିଆ ଲିଗ, ଓଡ଼ିଶା ୱାରିଅର୍ସ ଚାମ୍ପିୟନ
ମହିଳା ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣରେ ଇତିହାସ ରଚିଲା ଓଡ଼ିଶା ଓ୍ବାରିଅର୍ସ । ରବିବାର ଝାଡଖଣ୍ଡ ରାଜ୍ୟର ରାଞ୍ଚିସ୍ଥିତ ଜୟପାଲ ସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୨-୧ ଗୋଲରେ ଜେଏସଡବ୍ଲ୍ୟୁ ସୁରମା ହକି କ୍ଲବକୁ ହରାଇ ଚାମ୍ପିୟନ ହୋଇଛି ଓଡ଼ିଶା ମହିଳା ଟିମ୍ ।
ମହିଳା ହକି ଇଣ୍ଡିଆ ଲିଗରେ ଇତିହାସ ରଚିଲା ଓଡ଼ିଶା ଓ୍ବାରିଅର୍ସ:
ହିରୋ ମହିଳା ହକି ଇଣ୍ଡିଆ ଲିଗର ଫାଇନାଲ ମ୍ୟାଚର ପ୍ରଥମ କ୍ୱାଟରରେ ଉଭୟ ପକ୍ଷରୁ କୌଣସି ଗୋଲ ହୋଇନଥିଲା । ଏହାପରେ ଓଡ଼ିଶା ଓ୍ବାରିଅର୍ସର ରୁତୁଜା ପିସାଲ ଦମଦାର ଖେଳ ଦେଖିବାକୁ ମିଳିଥିଲା । ଦ୍ୱିତୀୟ କ୍ୱାଟରରେ ସେ ୨୦ ମିନିଟରେ ଦଳ ପାଇଁ ପ୍ରଥମ ଗୋଲ ହାସଲ କରିଥିଲେ । ଏହାପରେ ୨୮ ମିନିଟରେ ସୁରମା ହକି କ୍ଲବର ପେନି ସ୍କ୍ବିବ ଗୋଟିଏ ଗୋଲ କରି ନିଜ ଟିମ ଖାତାରେ ୧-୧ ଯୋଡିଥିଲେ ।
ଶେଷ କ୍ୱାଟରର ୫୬ ମିନିଟରେେ ପୁଣି ଆକ୍ରମଣାତ୍ମକ ଢଙ୍ଗରେ ରୁତୁଜା ଆଉ ଏକ ଗୋଲ କରି ଓଡ଼ିଶା ଓ୍ବାରିଅର୍ସକୁ ବିଜୟ ବାଟକୁ କଢାଇ ନେଇଥିଲେ । ଏଥିସହ ୨-୧ ଗୋଲରେ ଟାଇଟଲ ହାସଲ କରିଛି ଓଡ଼ିଶା ଓ୍ବାରିଅର୍ସ ।

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ:
ଅନ୍ୟପଟେ ଏହି ଅବସରରେ ଟିମ ଓଡ଼ିଶା ଓ୍ବାରିଅର୍ସକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡିଆରେ ଖେଳାଳିଙ୍କ ଫଟୋ ସେୟାର କରିବା ସହ ସେ ଲେଖିଛନ୍ତି," ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣରେ ଓଡ଼ିଶା ଓ୍ବାରିଅର୍ସର ଐତିହାସିକ ବିଜୟ ପାଇଁ ହୃଦୟରୁ ଅଭିନନ୍ଦନ । ତୁମର ଏହି ସାହସ ଓ ଆବେଗ ପାଇଁ ସମଗ୍ର ରାଜ୍ୟ ଗର୍ବିତ ।" ସେହିଭଳି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।
ବିଜେତା ଟିମକୁ ଏକ କୋଟି ପଚାଶ ଲକ୍ଷ ପୁରସ୍କାର ରାଶି ଦିଆଯାଇଛି । ତେବେ ମହିଳା ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହୋଇଥିଲା । ଏହି ଲିଗରେ ୪ଟି ଟିମ ଅଂଶଗ୍ରହଣ କରିଥିଲେ ।












Click it and Unblock the Notifications