ଲିଜେଣ୍ଡ୍ ଲିଗ୍ କ୍ରିକେଟରେ ଓଡ଼ିଶା ଟିମ୍ ‘କୋଣାର୍କ ସୂର୍ୟାଜ୍'; କ୍ୟାପ୍ଟେନ୍ ହେଲେ ଇର୍ଫାନ୍ ପଠାନ୍
ଲିଜେଣ୍ଡ୍ ଲିଗ୍ କ୍ରିକେଟରେ ସାମିଲ ହେଲା ଟିମ୍ ଓଡ଼ିଶା। ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଟିମ ଏଥିରେ ସାମିଲ ହୋଇଛି । ଆଉ ଏହାର ନାଁ ରହିଛି କୋଣାର୍କ ସୂର୍ୟାଜ୍ । ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ଟିମ୍ ଲଞ୍ଚ ହୋଇଥିବା ବେଳେ, ଏହାର କ୍ୟାପଟେନ୍ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ୍ ପଠାନ।
ଲିଜେଣ୍ଡ କ୍ରିକେଟରଙ୍କୁ ନେଇ ଟି-୨୦ ଫର୍ମାଟରେ ଅନୁଷ୍ଠିତ ହେବ । ଏହା ଓଡ଼ିଶା ପାଇଁ ଏକ ଗୌରବମୟ ପଦକ୍ଷେପ ଯାହା ମାଧ୍ୟମରେ ଓଡ଼ିଶାର ସଂସ୍କୃତି, କ୍ରୀଡା ପ୍ରତିଭା ଓ ଦକ୍ଷତାକୁ ଦେଶ ବିଦେଶରେ ଦର୍ଶାଇବ। ଟିମ୍ 'କୋଣାର୍କ ସୂର୍ଯ୍ୟସ' ଦଳର କ୍ୟାପଟେନ ଭାବରେ ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ତାରକା ଇରଫାନ ପଠାନ ନିଯୁକ୍ତ ହୋଇଛନ୍ତି । ଯାହାଙ୍କର ଅଭିଜ୍ଞତା ଓ ନେତୃତ୍ଵ ଓଡ଼ିଶା ପାଇଁ ଖୁବ୍ କାମରେ ଆସିବ।

ଟିମ୍ ଲଞ୍ଚ ଅବସରରେ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ଦଳରେ ବିନୟ କୁମାର, ରାଜେଶ ବିଷ୍ଣୋୟୀ ଓ ଶାହାବାଜ୍ ନଦୀମଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଯୋଗଦେଇଥିବା ବେଳେ ଅଲିମ୍ପିୟାନ ଅନୁରାଧା ବିଶ୍ୱାଳ, ଦୁତି ଚାନ୍ଦ, ପାରା ଅଲିମ୍ପିୟାନ ପ୍ରମୋଦ ଭଗତ, ପୂର୍ବତନ କ୍ରିକେଟର ସତ୍ୟରଞ୍ଜନ ଶତପଥୀ, କଣ୍ଠଶିଳ୍ପୀ କ୍ରିଷ୍ନା ବେହୁରା, ସୁସ୍ମିତା ଦାସ, ଅଭିନେତା ସବ୍ୟସାଚି, ଅଭିନେତ୍ରୀ ଅର୍ଚିତା ପ୍ରମୁଖ ସାମିଲ ହୋଇଥିଲେ ।
ଏହି ପ୍ରୟାସରେ ସାନପ୍ରିୟା ଗ୍ରୁପ, ଆସୋଟେକ ସହିତ ମିଳିତ ଭାବରେ ଓଡ଼ିଶାରେ ବିଶ୍ବସ୍ତରୀୟ କ୍ରୀଡା ପ୍ରତିଷ୍ଠାନ ସୃଷ୍ଟି କରିବା ତଥା ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସହାୟତା କରିବାର ଲକ୍ଷ୍ୟ ନେଇଛି। ଅସୋଟେକ୍ ଖେଳାଳିମାନଙ୍କ ପାଇଁ ପ୍ରଶିକ୍ଷଣ ଏବଂ ଉନ୍ନତି ସହିତ ଜଣାଶୁଣା ମାଲ୍ଟି-ସ୍ପୋର୍ଟ୍ସ ସେଣ୍ଟର ଅଫ୍ ଏକ୍ସଲେନ୍ସ ଗଠନ କରିବାକୁ ଯାଉଛି ଯାହା ଭୁବନେଶ୍ୱରରେ ଅସୋଟେକ୍ ୱାର୍ଲ୍ଡ ଟାଉନସିପରେ ଥିବା ସ୍ପୋର୍ଟ୍ସ ହବରେ ରହିବ।
ତେବେ ଏହି ଅବସରରେ ସବ୍ୟସାଚୀଙ୍କ ସହ ଆଲୋଚନା ବେଳେ ଇରଫାନଙ୍କ ମୁହଁରେ ଓଡ଼ିଆ ଡାଏଲଗ୍ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା ।












Click it and Unblock the Notifications