ଓଡିଶା କ୍ରୀଡା କ୍ୟାଲେଣ୍ଡର 2020: ଦୂତିଙ୍କୁ ଅର୍ଜୁନଠାରୁ ପ୍ରଜ୍ଞାନଙ୍କ ଅବସର, ସ୍ପୋର୍ଟ କ୍ୟାପିଟାଲକୁ ବି ଦୋହଲାଇଥିଲା କରୋନା
2020 ଓଡିଶା କ୍ରୀଡା ଡାଏରୀରେ ଲେଖିଥିଲା କିଛି ଯୁଗାନ୍ତକାରୀ ଫର୍ଦ । ତେବେ ଆମର ଏହି ବିଶେଷ ଉପସ୍ଥାପନାରେ ଚର୍ଚ୍ଚା କରିବା 2020ରେ ଓଡିଶା କ୍ରୀଡା କ୍ୟାଲେଣ୍ଡର ।
ଉପସ୍ଥାପନା- ପ୍ରବୀର ଶତପଥି
Odisha Sports 2020: ପୂରଣା ବର୍ଷର ପୁରୁଣା ସୃତିକୁ ଭୁଲି ନୂଆ ଆଶାର ଆଲୋକ ନେଇ ଆସିଥିଲା ବର୍ଷ 2020 । ସମସ୍ତ କ୍ଷେତ୍ର ପରି କ୍ରୀଡା ଜଗତର 2020 କ୍ୟାଲେଣ୍ଡର ମଧ୍ୟ ବେସ ଲମ୍ବା ଥିଲା । ମାତ୍ର ବର୍ଷର ପ୍ରଥମ କ୍ବାର୍ଟର ପରେ କରୋନା ପ୍ରହାରରେ ଘାଇଲା ହୋଇଗଲା କ୍ରୀଡା ଜଗତ, ଧିମା ପଡିଗଲେ କ୍ରୀଡାବିତ୍ତ, ଦର୍ଶକ ଶୂନ୍ୟ ହୋଇଗଲା ପଡିଆ । ବନ୍ଦ ହେଲା ଆଲମ୍ପିକ, ବିଦେଶକୁ ଗଲା ଆଇପିଏଲ । ତେବେ ଜାତୀୟ କ୍ରୀଡା ପରି ଓଡିଶା କ୍ରୀଡା କ୍ୟାଲେଣ୍ଡରରେ ମଧ୍ୟ ମହାମାରୀ କରୋନା ପ୍ରଭାବ ଦେଖିବାକୁ ମିଳିଥିଲା । ମାତ୍ର ଏହା ସତ୍ୱେ ବର୍ଷ 2020 ଓଡିଶା କ୍ରୀଡା ଡାଏରୀରେ ଲେଖିଥିଲା କିଛି ଯୁଗାନ୍ତକାରୀ ଫର୍ଦ । ତେବେ ଆମର ଏହି ବିଶେଷ ଉପସ୍ଥାପନାରେ ଯାହାକୁ ଆଜି ଆମେ ଓଲଟାଇ ଚର୍ଚ୍ଚା କରିବା 2020ରେ ଓଡିଶା କ୍ରୀଡା କ୍ୟାଲେଣ୍ଡର ।

ଓଡିଶା କ୍ରିକେଟରେ ସଂସ୍କାର:
3ଟି ଋତୁ ପରେ ଚଳିତ ବର୍ଷ ରଣଜୀ ଟ୍ରଫିରେ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଥିଲା ଓଡିଶା କ୍ରିକେଟ ଟିମ । ଆଉ ଘରୋଇ ଗ୍ରାଉଣ୍ଡରେ ବେଙ୍ଗଲ କ୍ରିକେଟ ଟିମଠାରୁ ହାରି ଟାଇଟଲ ସ୍ୱପ୍ନ ବି ଧୂଳିସାତ ହୋଇଥିଲା ଦଳର । ତେବେ ମହାମାରୀ କରୋନା ପାଇଁ ଅନେକ ଘରୋଇ ଲିଗ ବାତିଲ ହେବାରୁ ଓସିଏର ଭିଜନ 2024 ଯେମିତି ବିଫଳ ଭଳି ଲାଗିଲା। ଅନ୍ୟପଟେ ଅଣ୍ଡର-19 ମହିଳା କ୍ରିକେଟର ସୁଶ୍ରୀ ଦିବ୍ୟଦର୍ଶିନ ପ୍ରଧାନଙ୍କ ପୁଣିଥରେ ୟୁଏଇ ମହିଳା ଟି-20 ଚାଲେଞ୍ଜର ଟ୍ରଫିରେ ଚୟନ ହେବା ଓ ପୂର୍ବତନ ମହିଳା କନେଷ୍ଟବଳ ଋତୁ ସିଂଙ୍କ ଓଏସସ ପାଇବା ଭଳି ଭଲ ଖବର ମଧ୍ୟ ଦେଇଥିଲା ବର୍ଷ 2020 ।
ପ୍ରଜ୍ଞାନଙ୍କ ଅବସର:
ଓଡିଶାର ଅନ୍ୟତମ ଅନ୍ତର୍ଜାତୀୟ କ୍ରିକେଟର ପ୍ରଜ୍ଞାନ ଓଝା ଚଳିତ ବର୍ଷ ନିଜର ଅବସର ଘୋଷଣା କରିଥିଲେ । ବହୁ ଦିନ ଧିରି କ୍ରିକେଟରୁ ଦୂରେଇ ରହିବା ପରେ ପ୍ରଜ୍ଞାନ ଅବସର ଘୋଷଣା କରିଥିଲେ । ତେବେ ପ୍ରଜ୍ଞାନ ଆଗାମୀ ପାଳିରେ ଜଣେ ଉନ୍ନତ ମାନର କ୍ରିକେଟ ପ୍ରଶିକ୍ଷକ ହେବାର ଇଙ୍ଗିତ ମଧ୍ୟ କରିଥିଲେ ।

ଦୂତୀଙ୍କୁ ଅର୍ଜୁନ:
ବହୁବାର ଚେଷ୍ଟ ପରେ ବର୍ଷ 2020ରେ ଶେଷରେ ଓଡିଶାର ଦୌଡରାଣୀ ଦୂତି ଚାନ୍ଦଙ୍କୁ ମିଳିଥିଲା ସମ୍ମାନ ଜନକ ଅର୍ଜୁନ ପୁରଷ୍କାର । ଦୌଡ଼କୁଦ ଦୁନିଆରୁ ଦୂତି ଏକମାତ୍ର ଖେଳାଳିଭାବେ ଚୂଡାନ୍ତ ତାଲିକାରେ ସ୍ଥାନ ପାଇଥିଲେ । ଏ କ୍ଷେତ୍ରରେ ଦୂତି ରାଜ୍ୟ ଦ୍ବିତୀୟ ଧାବିକା ଏବଂ ନବମ ଓଡ଼ିଆ ହୋଇଥିଲେ।

ପଦ୍ମିନୀଙ୍କୁ ସ୍ବର୍ଣ୍ଣ:
ଓଡିଶାର ଚେସ କୁଇନ ପଦ୍ମିନୀ ରାଉତଙ୍କୁ ଏସିୟ ନେସନ୍ସ ମହିଳା ଦଳ ଗତ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ମିଳିଥିଲା । ସେହିପରି ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ଚେସ ବ୍ଲିଜ ବର୍ଗରେ ରୌପ୍ୟ ପଦକ ଜିତିଥିଲେ ଓଡିଶାର ୟାଶିତା ରାଉତ ।
ଅନ୍ତର୍ଜାତୀୟ କ୍ରୀଡାର ଆୟୋଜନ:
ମହାମାରୀ କରୋନା ଓଡିଶାକୁ ପ୍ରବେଶ କରିବା ପୂର୍ବରୁ ଓଡିଶା ଆୟୋଜନ କରି ସାରିଥିଲା ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା । କଳିଙ୍ଗ ହକି କମ୍ପଲେକ୍ସରେ ଏଫଆଇଏଚ ପ୍ରୋ ହକି ଲିଗ, କଟକରେ ମହିଳା ଚାଲେଞ୍ଜର ଟି-20 କ୍ରିକେଟ ଏବଂ ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ ଥିଲା ଏଥି ମଧ୍ୟରୁ ଅନ୍ୟତମ ।
ଖେଲୋ ଇଣ୍ଡିଆରେ ସଫଳତା:

ଗୋହାଟ୍ଟୀରେ ଆୟୋଜିତ ଖେଲୋ ଇଣ୍ଡିଆ ଯୁବହ କ୍ରୀଡାରେ ଓଡିଶା ଖେଳାଳି 5ଟି ସ୍ବର୍ଣ୍ଣ, 8ଟି ରୌପ୍ୟ ଓ 8ଟି କାଂସ୍ୟ ପଦକ ସହ ମୋଟ 21ଟି ପଦକ ଜିତି 17ତମ ସ୍ଥାନରେ ରହିଥିଲେ । ସେହିପରି ଭୁବନେଶ୍ବରରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ପ୍ରଥମ ସଂସ୍କରଣରେ ଓଡିଶାର 4ଟି ବିଶ୍ବ ବିଦ୍ୟାଳୟ ମିଳିତ ଭାବେ 13ଟି ପଦକ ହାତେଇଥିଲେ । ଯେଉଁଠି ଦୂତି ଚାନ୍ଦ ଯୁଗଳ ସ୍ବର୍ଣ୍ଣ ପଦକ ଜିତି ଥିଲେ ।
ଅନୁରାଗଙ୍କ ବିବାହ:
ଓସିଏ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଅନୁରାଗ ଷଡଙ୍ଗୀ ଡିସେମ୍ବର ପହିଲାରେ ବିବାବ ବନ୍ଧନରେ ବାନ୍ଧି ହୋଇଛନ୍ତି । ଇଣ୍ଡିଗୋ ଏୟାର ଲାଇନ୍ସର ଏୟାର ହଷ୍ଟେସ୍ ସ୍ବୀତୃତି ମହାନ୍ତଙ୍କୁ ବିବାହ କରି ନିଜର କ୍ୟାରିଅର 2ୟ ପାଳି ଆରମ୍ଭ କରିଛନ୍ତି ଅନୁରାଗ ।
2020ରେ ଓଡିଶା ଫୁଟବଲ:

ଗତ ସଂସ୍କରଣରେ ଆଇଏସଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପଦାର୍ପଣ କରିଥିବା ଓଡିଶା ଏଫସି ଉଲ୍ଲେଖନାୟ ପ୍ରଦର୍ଶନ କରିଥିଲା । ମାତ୍ର ଚଳିତ ବର୍ଷ ଶେଷ ଆଡକୁ ଗୋଆରେ ଆରମ୍ଭ ହୋଇଥିବା ଆଇଏସଏଲରେ ପ୍ରାରମ୍ଭିକ ବିଫଳତା ପାଇଛି ଦଳ । ସେହିପରି ଓଡିଶା ଫୁଟବଲ ଆସୋସିଏସନ (ଫାଓ)ରେ ସମ୍ପାଦକ ପଦରେ ବସିଛନ୍ତି ଓସିଏର ପୂର୍ତତନ ଓ ସବୁଠାରୁ ସଫଳ ସମ୍ପାଦକ ଆଶୀର୍ବାଦ ବେହେରା ।












Click it and Unblock the Notifications