ଆସିଲା ନୂଆ ଗାଇଡଲାଇନ, ଅଭ୍ୟାସ ପାଇଁ ପଡିଆକୁ ଫେରିଲେ ଖେଳାଳି
ଗତ 16 ତାରିଖରୁ ରାଜ୍ୟରେ ଜାରି ହୋଇଥିବା ନୂଆ ଲକଡାଉନ ଗାଇଡଲାଇନ ଅନୁସାରେ ଏବେ ପଡିଆରେ ଆରମ୍ଭ ହୋଇଛି ଅଭ୍ୟାସ । ଆସନ୍ତା 25 ତାରିଖରୁ ଓଡ଼ିଶା କ୍ରିକେଟ ଆସୋସିଏସନର ଘରୋଇ ସିଜିନ ଆରମ୍ଭ ହେଉଛି।
ଭୁବନେଶ୍ୱର: କୋହଳ ହେଲା କରୋନା କଟକଣା । ଖୋଲିଲା ଷ୍ଟାଡିୟମ ଗେଟ୍ । ଆରମ୍ଭ ହେଲା ପଡିଆରେ ଖାସ ବଛା । ପ୍ରସ୍ତୁତ ହେଲା ପିଚ୍, ପ୍ରସ୍ତୁତ ହେଲା ଟ୍ରାକ ଓ କୋଟ୍ । ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଆଜିଠୁ ପଡିଆରେ ଜୋରଦାର ଅଭ୍ୟାସ ଆରମ୍ଭ କରି ଦେଲେଣି ଖେଳାଳି ।

ତେବେ ଗତ 16 ତାରିଖରୁ ରାଜ୍ୟରେ ଜାରି ହୋଇଥିବା ନୂଆ ଲକଡାଉନ ଗାଇଡଲାଇନ ଅନୁସାରେ ଏବେ ପଡିଆରେ ଆରମ୍ଭ ହୋଇଛି ଅଭ୍ୟାସ । ଆସନ୍ତା 25 ତାରିଖରୁ ଓଡ଼ିଶା କ୍ରିକେଟ ଆସୋସିଏସନର ଘରୋଇ ସିଜିନ ଆରମ୍ଭ ହେଉଛି। ଏଥି ସହିତ ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ମଧ୍ୟ ବିଭିନ୍ନ କ୍ରୀଡାସୂଚୀ ପ୍ରକାଶ ପାଇଛି। ଦୁଇ ମାସରୁ ଅଧିକ ଦିନ ଲକଡାଉନରେ ରହିବା ପରେ ଖେଳ ପଡ଼ିଆକୁ ଫେରିଛନ୍ତି ଖେଳାଳି।
ରାଜଧାନୀ ଭୁବନେଶ୍ୱରରେ ଥିବା ୧୫ରୁ ଅଧିକ କ୍ରିକେଟ୍ କ୍ଲବ ଏବଂ ୨୦ରୁ ଅଧିକ ଫୁଟବଲ କ୍ଲବର ଖେଳାଳି ଏବେ ଖେଳିବାକୁ ପ୍ରସ୍ତୁତ ଅଛନ୍ତି। ଆଉ ଦୀର୍ଘ ଦିନ ପରେ ଖେଳ ପଡ଼ିଆକୁ ଓହ୍ଲାଇବା ପରେ ଖେଳାଳିଙ୍କ ଖୁସି କହିଲେ ନସରେ। ଆଉଟ୍ଡୋର ସହ ଇନଡୋର ଗେମ୍ସକୁ ବି ମିଳିଛି ଅନୁମତି। ଏହାପରେ ଆରମ୍ଭ ହୋଇଯାଇଛି ଅଭ୍ୟାସ। ବ୍ୟାଡମିଣ୍ଟନ, କରାଟେ, ଜୁଡୋ, ତାଇକୋଣ୍ଡ ଏବଂ ସନ୍ତରଣ ବର୍ଗରେ ଖେଳାଳି ପ୍ରାକ୍ସିସକୁ ଫେରିଛନ୍ତି। ସେହିପରି ଆଗାମୀ ଜିଲ୍ଲା ଏବଂ ଜାତୀୟ ସ୍ତରର ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ ହେଉଛନ୍ତି ଉଦୀୟମାନ କ୍ରୀଡାବିତ।
ତେବେ କୋଭିଡ କଟକଣାକୁ ଆଖି ଆଗରେ ରଖି ରାଜ୍ୟ ସରକାର ସମସ୍ତ ସ୍ପୋର୍ଟସ ହଷ୍ଟେଲର ଅନ୍ତେବାସୀଙ୍କୁ ନିଜ ନିଜ ଘରକୁ ପଠାଇଦେଇଥିଲେ। ଏବେ କଟକଣା କୋହଳ ହେବା ପରେ ଖୁବଶୀଘ୍ର ସମସ୍ତେ ନିଜ ନିଜ ହଷ୍ଟେଲକୁ ଫେରିବେ ଏବଂ ପୁଣି କୋଳାହଳମୟ ହେବ ଷ୍ଟାଡିୟମ୍। ତେବେ କରୋନା ମହାମାରୀ ରାଜ୍ୟରେ ବଢିଥିବା କାରଣରୁ ରାଜ୍ୟ ସରକାର ଲକଡାଉନ୍ କରିବା ସହ ଅନେକ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେଣୁ ଖେଳ ବନ୍ଦ ରହିଥିଲା।












Click it and Unblock the Notifications