ଖେଳରତ୍ନ ପାଇଁ ୧୧ ଜଣଙ୍କ ନାମ ସୁପାରିଶ, ତାଲିକାରେ ଅଛନ୍ତି ଓଡିଶା ପୁଅ ପ୍ରମୋଦ ଭଗତ
ଓଡ଼ିଶାର ବ୍ୟାଡ୍ମିଣ୍ଟନ ଖେଳାଳୀ ତଥା ପାରାଅଲିମ୍ପିକ୍ ଗୋଲ୍ଡ ବିଜେତା ପ୍ରମୋଦ ଭଗତଙ୍କ ନାମ ମଧ୍ୟ ସାମିଲ ଅଛି ।
ଭୁବନେଶ୍ୱର: ଖେଳରତ୍ନ ଏବଂ ଅର୍ଜୁନ ପରୁସ୍କାର ପାଇଁ ଉଲ୍ଲେଖନୀୟ କ୍ରୀଡ଼ାବିତ୍ଙ୍କ ନାମ ସୁପାରିଶ କରିଛି ନ୍ୟାଶନାଲ୍ ସ୍ପୋର୍ଟସ୍ ଆୱାର୍ଡ କମିଟି । ଖେଳରତ୍ନ ପାଇଁ ମୋଟ ୧୧ ଜଣଙ୍କ ନାମ ସୁପାରିଶ କରିଥିବା ବେଳେ ୩୫ କ୍ରୀଡ଼ାବିତ୍ଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ସୁପାରିଶ କରାଯାଇଥିବା ଜଣାପଡ଼ିଛି । ତେବେ ଏହି ତାଲିକାରେ ଓଡ଼ିଶାର ବ୍ୟାଡ୍ମିଣ୍ଟନ ଖେଳାଳୀ ତଥା ପାରାଅଲିମ୍ପିକ୍ ଗୋଲ୍ଡ ବିଜେତା ପ୍ରମୋଦ ଭଗତଙ୍କ ନାମ ମଧ୍ୟ ସାମିଲ ଅଛି ।

ଯଦି ପ୍ରମୋଦଙ୍କୁ ଏହି ପୁରଷ୍କାର ମିଳେ, ତେବେ ସେ ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ଖେଳରତ୍ନ ପୁରସ୍କାର ପାଇବେ। ଏହା ପୂର୍ବରୁ କୌଣସି ଓଡ଼ିଆଙ୍କୁ 'ଖେଳ ରତ୍ନ'ରେ ସମ୍ମାନିତ କରାଯାଇନଥିଲା। ଚଳିତ ବର୍ଷ ଟୋକିଓରେ ଆୟୋଜିତ ପାରାଲିମ୍ପିକ୍ସରେ ପ୍ରମୋଦ ପୁରୁଷ ସିଙ୍ଗଲ୍ସ ଏସଏଲ୍-୩ ବ୍ୟାଡମିଣ୍ଟନ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଖେଳ ରତ୍ନ ପାଇବାକୁ ଥିବା ବାକି କ୍ରୀଡ଼ାବିତ୍ ହେଲେ ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ରେସଲର୍ ରବି ଦାହିୟା, ଭାରତୀୟ ହକି ଦଳର ଗୋଲକିପର ପିଆର୍ ଶ୍ରୀଜେଶ, ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍, ଫୁଟବଲର ସୁନୀଲ ଛେତ୍ରୀ, ମହିଳା କ୍ରିକେଟର୍ ମିତାଲୀ ରାଜ, ଆଥଲେଟ୍ ସୁମିତ୍ ଅନ୍ତିଲ୍, ପାରା ଶୁଟର୍ ଅବନୀ ଲେଖରା, ପାରା ବ୍ୟାଡମିଣ୍ଟନ୍ ଖେଳାଳି କ୍ରିଷ୍ଣା ନାଗର ଓ ପାରା ଶୁଟର୍ ଏମ୍ ନରୱାଲ୍।
ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶର ସର୍ବୋଚ୍ଚ କ୍ରୀଡା ପୁରଷ୍କାର 'ଖେଳରତ୍ନ ପୁରସ୍କାର'ର ନାଁ ବଦଳାଇ ଦିଆଯାଇଥିଲା। ପୂର୍ବରୁ ଏହାକୁ 'ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର' କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାଁକୁ ହଟାଇ ଦିଆଯାଇଥିବା ବେଳେ ଏବେ ଏହାକୁ 'ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର' ନାଁରେ ନାମିତ କରାଯାଇଥିଲା।












Click it and Unblock the Notifications