ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ହସ୍ତତନ୍ତର ଅଭିନବ ୱେବ୍ସାଇଟ୍ ‘ଆର୍ଟସ୍ ଅଫ୍ ଉଇଭିଙ୍ଗ୍'ର ଲୋକାର୍ପଣ
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ହସ୍ତତନ୍ତର ଉତ୍କର୍ଷକୁ ବିଶ୍ଵ ବଜାରରେ ପହଞ୍ଚାଇବା, ହସ୍ତତନ୍ତ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଏବଂ ବୁଣାକାରମାନଙ୍କୁ ସଶକ୍ତ କରିବା ଆଭିମୁଖ୍ୟ ନେଇ ଆରମ୍ଭ ହୋଇଥବା 'ଆର୍ଟସ୍ ଅଫ୍ ଉଇଭିଙ୍ଗ୍' (Arts of Weaving) ହସ୍ତତନ୍ତ ୱେବ୍ସାଇଟ୍ ଲୋକାର୍ପିତ ହୋଇଛି । ସ୍ଥାନୀୟ ଭୁବନେଶ୍ଵର କ୍ଲବ୍ରେ ଆୟୋଜିତ ଏହି ଆକର୍ଷଣୀୟ ଲୋକାର୍ପଣ କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳା ଅଧୂରୀ, ଶିକ୍ଷାବିତ୍, ଇଂଜିନିୟର, ଚିକିତ୍ସକ, କଳାକାର, ନୃତ୍ୟଶିଳ୍ପୀ ଏବଂ ଗୃହିଣୀମାନେ ଯୋଗଦେଇ ଓଡ଼ିଶା ହସ୍ତତନ୍ତର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।
ଉତ୍ସବରେ ଅତିଥି ଭାବେ ଯୋଗଦେଇ ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ କହିଥିଲେ, ଆମେ ଓଡ଼ିଆଣୀମାନେ ଓଡ଼ିଶା ହସ୍ତତନ୍ତ ପରିଧାନରେ ସବୁଠାରୁ ଅଧିକ ଆକର୍ଷଣୀୟ ଲାଗିଥାନ୍ତି । ହସ୍ତତନ୍ତ ପରିଧାନ ବିନା ଓଡ଼ିଆ ନାରୀଙ୍କର ଶାଢ଼ିସମ୍ଭାର ପରିପୂର୍ଣ୍ଣ ହୁଏନି । ଶହ ଶହ ବର୍ଷଧରି ଆମ ବୁଣାକାରମାନେ ହସ୍ତତନ୍ତ ମାଧ୍ୟମରେ ଓଡ଼ିଆ କଳା-ସଂସ୍କୃତିକୁ ଉଜ୍ଜୀବିତ କରି ରଖୁଛନ୍ତି । ସଂପ୍ରତି ଆଜିର ପ୍ରତିଯୋଗିତାମୂଳକ ବଜାରରେ ତିଷ୍ଠି ରହିବା ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଓଡ଼ିଶା ହସ୍ତତନ୍ତର ଚାହିଦା ଓ ଆଦରକୁ ପରିପୂରଣ କରିବା ଦିଗରେ ଏହି ୱେବ୍ସାଇଟ୍ ସହାୟକ ହେବ ବୋଲି ସେ ମତପ୍ରକାଶ କରିଥିଲେ ।

'ଆର୍ଟସ୍ ଅଫ୍ ଉଇଭିଙ୍ଗ୍'ର ପ୍ରତିଷ୍ଠାତା ଦୀଶ ଦାସ ଏହି ୱେବ୍ସାଇଟ୍ ପରିକଳ୍ପନାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଉଚ୍ଚଶିକ୍ଷା ପାଇଁ ବହୁରାଷ୍ଟ୍ରୀୟ କମ୍ପାନୀର ଆଇଟି ଚାକିରି ଛାଡ଼ି ଆମେରିକାର ଜର୍ଜିଆଟେକ୍ ବିଶ୍ଵବିଦ୍ୟାଳୟରେ ଏମ୍ସ୍ କରୁଥିବା ସମୟରେ ହିଁ ସେଠାରେ ହେଉଥିବା ବିଭିନ୍ନ ସାମାଜିକ ଉତ୍ସବରେ ଓଡ଼ିଶା ହସ୍ତତନ୍ତ ପ୍ରତି ଲୋକଙ୍କ ମନରେ ଆଗ୍ରହ ଲକ୍ଷ୍ୟ କରିଥିଲେ । କିନ୍ତୁ ସେଠାର ଲୋକଙ୍କ ପାଖରେ ଉପଯୁକ୍ତ ତଥ୍ୟ, ସୂଚନା ଏବଂ ଶାଢ଼ୀର ପ୍ରସ୍ତୁତି ଓ ଗୁଣବତ୍ତା ସମ୍ପର୍କରେ ଯଥେଷ୍ଟ ଜ୍ଞାନ ନ ଥିବା ଏବଂ ବିଦେଶରେ ହସତନ୍ତ ଶାଢ଼ି ସହଜରେ ଉପଲବ୍ଧ ହେଉ ନଥିବା ଅନୁଭବ କରିଥିଲେ । ତେଣୁ ଉଚ୍ଚଶିକ୍ଷା ପରେ କଣ୍ଟେଣ୍ଟ ରାଇଟିଂ ଏବଂ ୱେବ୍-ଡିଜାଇନିଂରେ ବିଶେଷ ଜ୍ଞାନ ହାସଲ କରିଥିବା ଦୀଶା ଓଡ଼ିଶା ହସ୍ତତନ୍ତର ବିଶ୍ଵସ୍ତରୀୟ ଆଦୃତି ଏବଂ ଚାହିଦାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ୱେବ୍ସାଇଟ୍ ପରିକଳ୍ପନା କରିଥିଲେ । ଦୀର୍ଘ ୬ ମାସର କଠିନ ପରିଶ୍ରମ ପରେ ଏହି ୱେବ୍ସାଇଟ୍ର ଲୋକାର୍ପଣ ହୋଇଛି ଏବଂ ଆଗାମୀ ଦିନରେ ଏହାକୁ ଅଧ୍ବକ ସଂପ୍ରସାରଣ କରିବା ପାଇଁ ସେ ଆପ୍ରାଣ ଉଦ୍ୟମ କରିବେ ବୋଲି ପ୍ରକାଶ କରିଥିଲେ ।












Click it and Unblock the Notifications