ରଣଜୀ ସିଜିନ ଆରମ୍ଭରୁ ନିରାଶ କଲା ଓଡିଶା, ବାରବାଟୀ ଲଢେଇ ଜିତିଲା ବରୋଦା
ପ୍ରତିବର୍ଷ ଭଳି ଚଳିତ ରଣଜୀ ସିଜିନ ଆରମ୍ଭରୁ ନିରାଶ କଲା ଓଡିଶା । ବାରବାଟୀ ରଣଜୀ ମୁକାବିଲାରେ ବରୋଦା ବିପକ୍ଷ ମ୍ୟାଚରେ ୭ ୱିକେଟରେ ପରାସ୍ତ ହୋଇଛି ଓଡିଶା ଟିମ୍ । ଉଭୟ ବ୍ୟାଟିଂ ଓ ବୋଲିଂରେ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଘରୋଇ ଦଳ ।
ଟସଜିତି ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୧୦ ୱିକେଟରେ 271 ରନ କରିଥିବାବେଳେ ବରୋଦା ପ୍ରଥମ ଇନିଂସରେ 7 ୱିକେଟରେ 413 ରନ କରି ପାଳି ଘୋଷଣା କରିଥିଲା ।
ଓଡିଶା ଦଳ ୨ୟ ଇନିସଂ ରେ ମାତ୍ର ୧୭୪ କରି ଅଲ୍ଆଉଟ ହେବାସହ ମାତ୍ର ୩୩ ରନର ଟାର୍ଗେଟ ଦେଇଥିଲା । ପୁଣି ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ବରୋଦା ୩ ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରିନେଇଥିଲା । ମ୍ୟାଚ ଜିତିବା ସହ ୬ ପଏଣ୍ଟ ପାଇଛି ବରୋଦା ।

ଆଜି ଖେଳର ଶେଷ ଦିନରେ ଓଡିଶା ଏହି ମ୍ୟାଚକୁ ଡ୍ର ରଖିବ ବୋଲି ଆଶା କରା ଯାଉଥିଲା । ମାତ୍ର ଶେଷରେ ନିରାଶ ହେବାକୁ ପଡିଥିଲା । ଓଡିଶା ଖେଳାଳିଙ୍କ ମଧ୍ୟରୁ କେବଳ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ବ୍ୟତୀତ ଆଉ କୌଣସି ବ୍ୟାଟ୍ସମ୍ୟାନ ମାନେ ଭଲ ପ୍ରଦର୍ଶନ କରି ପାରି ନଥିଲେ ।
ବରୋଦାଠାରୁ ପରାଜିତ ହେଲା ଓଡିଶା-
ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଓଡିଶା । ଅଧିନାୟକ ଶୁଭ୍ରାଂଶୁଙ୍କ ନିଷ୍ପତ୍ତିକୁ ସଠିକ୍ ସାବ୍ୟସ୍ତ କରି ଭଲ ଆରମ୍ଭ ଦେଇଥିଲେ ଦୁଇ ଓପନର ସ୍ୱସ୍ତିକ ସାମଲ ଏବଂ ଗୌରବ ଚୌଧୁରୀ । ଦୁହେଁ ଓପନିଂ ଯୋଡିରେ 49 ରନ ଯୋଡିଥିବା ବେଳେ ପ୍ରଥମ ଓ୍ବିକେଟ ପଡିଥିଲା । ଏହା ପରେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । 49ରେ ପ୍ରଥମ ଓ୍ବିକେଟ ପଡିଥିବା ବେଳେ ଲଗାତାର 3ଟି ଓ୍ବିକେଟ ମଧ୍ୟ ସମାନ ସ୍କୋରରେ ହରାଇଥିଲା ଓଡିଶା । ଏକଦା 49 ରନରେ 4ଟି ଓ୍ବିକେଟ ହରାଇଥିବା ଓଡିଶା ଦଳ ପୁଣି ଥରେ କମବ୍ୟାକ୍ କରି 205 ରନରେ 5ମ ଓ୍ବିକେଟ ହରାଇଥିଲା ହେଲେ ପରେ ମଧ୍ୟକ୍ରମ ବ୍ୟାଟର ପୁଣି ନିରାଶ କରି 271 ରନରେ ଅଲଆଉଟ୍ ହୋଇଥିଲେ ।
ଏପଟେ ବରୋଦା ଓପନର ଶିବଲିକ୍ ଶର୍ମା ଏବଂ ଓ୍ବିକେଟ କିପର ବ୍ୟାଟର ମିତେଶ ପଟେଲଙ୍କ ଆକର୍ଷଣୀୟ ଶତକ ବଳରେ ପ୍ରଥମ ଇନିଂସରେ ଲିଡ ନେବା ସହିତ ବିଶାଳ ସ୍କୋର ଠିଆ କରିଥିଲା । 7ଟି ଓ୍ବିକେଟ ହରାଇ 413 ରନ ସ୍କୋର କରି 142 ରନର ଲିଡ ନେଇଥିଲା । ତେବେ ଦ୍ୱିତୀୟ ଇନିଂସରେ ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ମାତ୍ର 174 ରନରେ ଓଡିଶା ଅଲଆଉଟ୍ ହୋଇଥିଲା । ପରେ ବରୋଦା 4ର୍ଥ ଇନିଂସରେ ମାତ୍ର 3 ଓ୍ବିକେଟ ହରାଇ 36 ରନ ସଂଗ୍ରହ କରି ମ୍ୟାଚ ବିଜୟୀ ହୋଇଥିଲା ।
ନିରାଶ କଲେ ବୋଲର-
ଓଡିଶାର ଉଭୟ ପେସର ଏବଂ ସ୍ପିନର ନିରାଶ କରିଛନ୍ତି ପ୍ରଥମ ମ୍ୟାଚରେ । ଅନ୍ୟପଟେ ଦମଦାର ବୋଲିଂ କରିଥିଲେ ବରୋଦା ବୋଲର । ଓଡିଶାର ପ୍ରଥମ ଇନିଂସରେ ବରୋଦାର ପେସର ତଥା କ୍ୟାପଟେନ୍ ଅତିଥ ସେଠ 4ଟି ଓ୍ବିକେଟ ନେଇଥିବା ବେଳେ ଓଡିଶାର ଦ୍ୱିତୀୟ ଇନିଂସରେ ମହେଶ ପିଥିଆ 6ଟି ଓ୍ବିକେଟ ନେଇଥିଲେ ।
ଶେଷ ଦିନରେ ସ୍ପିନରଙ୍କ ଯାଦୁରେ ଘାଇଲା ହେଲେ ଓଡିଶା ବ୍ୟାଟର-
ଶେଷ ଦିନରେ ଓଡ଼ିଶା ବ୍ୟାଟରମାନେ ବରୋଦା ସ୍ପିନ୍ ଟେଷ୍ଟରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଫଳରେ ବରୋଦା ବିପକ୍ଷରେ ରଣଜୀ ଟ୍ରଫି ସିଜିନର ପ୍ରଥମ ମ୍ୟାଚ୍ 7 ୱିକେଟରେ ହାରିଲା ଓଡିଶା ।
ଆଗାମୀ ମ୍ୟାଚରେ କମବ୍ୟାକ୍ କରିବୁ-
ତେବେ ପରାଜୟ ପରେ ଓଡିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି କହିଛନ୍ତି ଆମେ ଆଗାମୀ ମ୍ୟାଚରେ କମବ୍ୟାକ କରିବୁ । ସିଜିନର ପ୍ରଥମ ମ୍ୟାଚରେ ଖେଳାଳି ଫର୍ମକୁ ଫେରିପାରିନାହାଁନ୍ତି । ତେବେ ଆଗାମୀ ମ୍ୟାଚରେ ଆଶା କରିବି ସମସ୍ତ ଖେଳାଳି ଉତ୍ତମ ପ୍ରଦର୍ଶନ କରିବେ । ତେବେ ପରବର୍ତ୍ତୀ ମ୍ୟାଚ ଓଡିଶା କାନପୁରରେ ଉତ୍ତର ପ୍ରଦେଶ ବିପକ୍ଷରେ ଆସନ୍ତା 25 ତାରିଖରେ ଖେଳିବ ।












Click it and Unblock the Notifications