ଓଡିଶା କ୍ରିକେଟ ଋତୁରେ 'ଶେଷ ବସନ୍ତ' !
ଦୀର୍ଘ ଦେଢ଼ ଦଶନ୍ଧି ଧରି ଓଡିଶା କ୍ରିକେଟ ଦଳରେ ପେସ୍ ଆଟାକ୍ ର ମଙ୍ଗ ଧରିଥିବା ବସନ୍ତ ମହାନ୍ତି ଗତକାଲି କ୍ରିକେଟକୁ ବାଏ ବାଏ କହିଛନ୍ତି ।

ଭୁବନେଶ୍ୱର: ଶୀର୍ଷକଟି ଆପଣଙ୍କୁ ରୋଚକ ଲାଗିଥାଇ ପାରେ । ହେଲେ ଓଡିଶା କ୍ରିକେଟ୍ ପ୍ରେମୀଙ୍କ ମନରେ ଏହି ବାକ୍ୟଟି ଏବେ ଗୁଞ୍ଜରିତ ହେଉଥିବ । କାରଣ ଦୀର୍ଘ ଦେଢ଼ ଦଶନ୍ଧି ଧରି ଓଡିଶା କ୍ରିକେଟ ଦଳରେ ପେସ୍ ଆଟାକ୍ ର ମଙ୍ଗ ଧରିଥିବା ବସନ୍ତ ମହାନ୍ତି ଗତକାଲି କ୍ରିକେଟକୁ ବାଏ ବାଏ କହିଛନ୍ତି ।
କୋଲ୍କାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଚଳିତ ରଣଜୀ ଟ୍ରଫିରେ ଗତକାଲି ଓଡିଶା ବେଙ୍ଗଲକୁ ୭ ୱିକେଟରେ ପରାସ୍ତ କରିଛି । ଏହି ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ୩୬ ବର୍ଷୀୟ ବସନ୍ତ ମହାନ୍ତି ଏକ ସ୍ମରଣୀୟ ବିଦାୟ ନେଇଛନ୍ତି ।
ପଦାର୍ପଣ ଓ ଅନ୍ତିମ ୱିକେଟ୍ ମନୋଜ ତିୱାରୀ
ଅପୂର୍ବ ସଂଯୋଗ ବଶତଃ ବେଙ୍ଗଲ ଅଧିନାୟକ ତଥା ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ମନୋଜ ତିୱାରୀଙ୍କୁ ବସନ୍ତ ତାଙ୍କ ପ୍ରଥମ ଓ ଅନ୍ତିମ ୱିକେଟ୍ ଭାବେ ପାଇଛନ୍ତି । ୨୦୦୭ରେ ସିଲିଗୁଡ଼ିଠାରେ ବସନ୍ତ ସେହି ବେଙ୍ଗଲ୍ ବିପକ୍ଷରେ ପଦାର୍ପଣ ମ୍ୟାଚରେ ମନୋଜ ତିୱାରୀଙ୍କୁ ଆଉଟ୍ କରିଥିଲେ । ସେତେ ବେଳେ ୱିକେଟରକ୍ଷକ ହଳଧର ଦାସ ନେଇଥିଲେ କ୍ୟାଚ୍। ଶୁକ୍ରବାର ବେଙ୍ଗଲର ଦ୍ବିତୀୟ ପାଳି ତଥା ବସନ୍ତଙ୍କ ଅନ୍ତିମ ୱିକେଟ୍ ମଧ୍ୟ ଥିଲା ମନୋଜ ତିୱାରୀଙ୍କର। ଏଥର ଦ୍ବିତୀୟ ସ୍ଲିପ୍ରେ କ୍ୟାଚ୍ ନେଇଥିଲେ ଶାନ୍ତନୁ ମିଶ୍ର । ଏଥି ସହ ବସନ୍ତ ନିଜର ପ୍ରଥମ ଓ ୪୦୩ତମ ୱିକେଟ୍ ମଧ୍ୟ ମନୋଜଙ୍କୁ ଶିକାର କରିଛନ୍ତି ।
A tribute tweet 4 a champion bowler who says goodbye 2 cricket in his last game against us here at Eden. 400 first class wicket at an average of 20 is a remarkable achievement. He reminded me yesterday that I was his debut wkt nd he wants 2 finish it with my wkt.
— MANOJ TIWARY (@tiwarymanoj) January 25, 2023
Basant Mohanty pic.twitter.com/aoj8lILGUD
କେବଳ ସେତିକି ନୁହେଁ ବେଙ୍ଗଲ ବିପକ୍ଷରେ ମଧ୍ୟ ଓଡ଼ିଶା ବିଜୟ ପାଇଁ ସଂଘର୍ଷ କରୁ୍ଥିବା ବେଳେ ବସନ୍ତଙ୍କ ଏହି ପଦାର୍ପଣ ଓ ବିଦାୟୀ ମ୍ୟାଚ୍ରେ ସଫଳ ହୋଇ ଆଉ ଏକ ଅଦ୍ଭୂତ ସଂଯୋଗ ରଖିଛନ୍ତି। ସିଲିଗୁଡିରେ ବସନ୍ତ ମୋଟ ୮ ୱିକେଟ୍ ନେଇଥିବା ବେଳେ ଇଡେନ୍ ବିଦାୟୀରେ କିନ୍ତୁ ୩ ୱିକେଟ୍ ଓ ଗୁରୁତ୍ବପୂର୍ଣ୍ଣ ୧୫* ରନ୍ ପାଳି ଖେଳିଥିଲେ।
ଅଧା ରହିଗଲା ଅନ୍ତର୍ଜାତୀୟ ଡେବ୍ୟୁ ଆଶା
ଓଡିଶା କ୍ରିକେଟ ଋତୁରେ 'ଶେଷ ବସନ୍ତ' ହୋଇଗଲା ସିନା । ହେଲେ ଅଧା ରହିଗଲା ଅନ୍ତର୍ଜାତୀୟ ଡେବ୍ୟୁ ଆଶା । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାଇଁ ଡେବ୍ୟୁ କରିବାର ସୁଯୋଗ ମିଳିପାରିଲା ନାହିଁ । ପ୍ରତିଭାକୁ ପ୍ରସ୍ଫୁଟିତ ହେବାର ସୁଯୋଗ ନ ମିଳିବା ବା ରାଜ୍ୟ କ୍ରିକେଟ୍ ବୋର୍ଡର ଅବହେଳା କହିପାରନ୍ତି । ମାତ୍ର ଯେତେବେଳେ ଭାରତୀୟ ଦଳରେ ସୁଇଙ୍ଗ ଆଟାକ୍ ର ଆବଶ୍ୟକତା ରହିଥିଲା । ସେତେବେଳେ ଘରୋଇ ପିଚ୍ ରେ ସୁଇଂ କରି କରି ଘରେ ରହି ଯାଇଥିଲେ ସୁଇଂ ମାଷ୍ଟର ବସନ୍ତ ମହାନ୍ତି ।

ବସନ୍ତ ମହାନ୍ତି ଓଡିଶା ପକ୍ଷରୁ ପ୍ରତିନିଧିତ୍ୱ କରି ୧୦୫ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ । ଏଥିରେ ସେ ମୋଟ ୪୦୩ଟି ସଫଳତା ହାସଲ କରିଥିଲେ । ପ୍ରଥମ ଶ୍ରେଣୀ ମ୍ୟାଚରେ ତାଙ୍କର ଇକନୋମି ୨.୨୮ ପ୍ରତିଶତ ଥିଲା । ୩୧ଟି ଲିଷ୍ଟ ଏ ମ୍ୟାଚ ଏବଂ ୨୧ ଟି-୨୦ରେ ସେ ଯଥାକ୍ରମେ ୪୩ ଏବଂ ୨୦ ଟି ସଫଳତା ପାଇଛନ୍ତି । କ୍ୟାରିୟର ଶେଷ ମ୍ୟାଚ ବେଙ୍ଗଲ ବିରୋଧରେ ଖେଳି ଥିବା ବେଳେ ଦଳ ତାଙ୍କୁ ବିଜୟ ସହ ବିଦାୟ ଦେଇଛି ।












Click it and Unblock the Notifications