ପ୍ରଥମ ଭାରତୀୟ ଡାକ୍ତର ଭାବେ କୀର୍ତ୍ତିମାନ ରଚିଲେ ଓଡିଆ ଡାକ୍ତର ବିଭୁ କଲ୍ୟାଣ ନାୟକ
ପ୍ରଥମ ଭାରତୀୟ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି ଡାକ୍ତର ନାୟକ। ଭୁବନେଶ୍ବର ମୂଳ ଅଧିବାସୀ ଡାକ୍ତର ନାୟକ ସ୍ପୋର୍ଟସ ଟ୍ରମାଲୋଜି ଆଣ୍ଡ୍ ଏକ୍ସରସାଇଜ୍ ଫିଜିଓଲୋଜି ବିଶେଷଜ୍ଞ ଭାବେ ବେଶ ସୁନାମ କମାଇ ସାରିଛନ୍ତି।
ଭୁବନେଶ୍ବର: ଓଡ଼ିଆ ଡାକ୍ତର ବିଭୁ କଲ୍ୟାଣ ନାୟକଙ୍କୁ ମିଳିଛି ଆଉ ଏକ ବଡ଼ ଦାୟିତ୍ବ। ଆସନ୍ତା ଟୋକିଓ ଅଲମ୍ପିକ୍ସ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ତାଙ୍କୁ ମେଡିକାଲ ଅଫିସର ଭାବେ ନିଯୁକ୍ତ ଦେଇଛି । ପ୍ରଥମ ଭାରତୀୟ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି ଡାକ୍ତର ନାୟକ। ଭୁବନେଶ୍ବର ମୂଳ ଅଧିବାସୀ ଡାକ୍ତର ନାୟକ ସ୍ପୋର୍ଟସ ଟ୍ରମାଲୋଜି ଆଣ୍ଡ୍ ଏକ୍ସରସାଇଜ୍ ଫିଜିଓଲୋଜି ବିଶେଷଜ୍ଞ ଭାବେ ବେଶ ସୁନାମ କମାଇ ସାରିଛନ୍ତି।

ପ୍ରାୟ ଏକ ଦଶନ୍ଧୀ ଧରି ଭାରତୀୟ ହକି ସହିତ ଜଡ଼ିତ ଥିବା ବିଭୁ କଲ୍ୟାଣ 2018ରେ ଭୁବନେଶ୍ବର ପୁରୁଷ ହକି ବିଶ୍ବକପ୍ ଲାଗି ମଧ୍ୟ ଏଫ୍ଆଇଏଚ୍ ସ୍ବାସ୍ଥ୍ୟ ସମିତିର ମୁଖ୍ୟ ନିଯୁକ୍ତ ହୋଇଥିଲେ। ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ଡାକ୍ତର ନାୟକ ପୁନେ ସ୍ଥିତ ଆର୍ମି ସ୍ପୋର୍ଟସ ଇନ୍ଷ୍ଟିଚ୍ୟୁଟରେ ୬ ବର୍ଷ କାମ କରିଥିଲେ। 'ଏଭଳି ଏକ ଦାୟିତ୍ବ ପାଇଥିବାରୁ ମୁଁ ଗୌରବାନ୍ବିତ। ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ୨୦୦୭ ମସିହାରୁ ଦେଶର ବିଭିନ୍ନ କ୍ରୀଡ଼ା ଦଳର ଡାକ୍ତର ଭାବେ କାର୍ଯ୍ୟ କରି ଆସୁଥିବା ବିଭୁ କଲ୍ୟାଣ ମୁଷ୍ଟି ଯୁଦ୍ଧ ଦଳରୁ ଅଭିଯାନ ଆରମ୍ଭ କରିଥିଲେ। ୨୦୦୯ ସୁଲତାନ ଆଜଲାନ୍ ସାହା ହକି, ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଏସୀୟ କ୍ରୀଡ଼ା, ୨୦୧୨ ଏସୀୟ ଚାମ୍ପିଅନ୍ସ ଟ୍ରଫି, ଲଣ୍ଡନ୍ ଅଲିମ୍ପିକ୍ସ, ୨୦୧୬ ରିଓ ପାରାଅଲିମ୍ପିକ୍ସ ଆଦିରେ ଭାରତୀୟ ଦଳ ସହ ରହି ଆସିଛନ୍ତି। ଭୁବନେଶ୍ବର ନିବାସୀ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ସୀତାକାନ୍ତ ନାୟକ, ଶିକ୍ଷାବିତ୍ ନୟନା ମଞ୍ଜରୀ ନାୟକଙ୍କ ଏକମାତ୍ର ପୁତ୍ର ବିଭୁକଲ୍ୟାଣ ହେଉଛନ୍ତି ତ୍ରୈଲୋକ୍ୟନାଥ ପଣ୍ଡା ଓ ପୁଷ୍ପଲତା ପଣ୍ଡାଙ୍କ ଜାମାତା।












Click it and Unblock the Notifications