ଆଜି ଜାତୀୟ କ୍ରୀଡ଼ା ଦିବସ : ଆଧୁନିକ ଭାରତରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି ଖେଳ

କ୍ରୀଡା ଦୁଇ ଅକ୍ଷର ଶବ୍ଦଟିଏ, କିନ୍ତୁ ତାର ମହତ୍ୱ ଏତେ ବ୍ୟାପକ ଯେ ସମସ୍ତଙ୍କୁ ନିଜର କରିନିଏ । ବ୍ୟକ୍ତି ଭିତରେ ଶକ୍ତି ଓ ଉନ୍ମାଦନର ଆଶାକୁ କରିଦିଏ ଜାଗ୍ରତ । ଏହି ହାଡ, ମାଂସର ଶରୀର ଭିତରେ ଢାଳିଦିଏ ଅସରନ୍ତି ଆନନ୍ଦ ଓ ଉଲ୍ଲାସ । ମନୁଷ୍ୟ ଶରୀରକୁ ସୁସ୍ଥ, ଫୁର୍ତି ତଥା ସ୍ୱାସ୍ଥ୍ୟବାନ ରଖିବା ନିମନ୍ତେ କରାଯାଉଥିବା ଖେଳକୁଦ ଓ କସରତକୁ କ୍ରୀଡା କୁହାଯାଏ । ଶରୀରର ଅଙ୍ଗପ୍ରତ୍ୟଙ୍ଗଙ୍କ ସୁସ୍ଥ ରହିବା ପାଇଁ ନିତ୍ୟାନ୍ତ ଆବଶ୍ୟକ ହେଉଛି କ୍ରୀଡା ।

କ୍ରୀଡା ମାନବ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ଏବଂ ଜୀବନର ସମସ୍ତ କ୍ଷେତ୍ରରେ ଏହାର ମହତ୍ୱ ଅଛି । ଜଣେ ବ୍ୟକ୍ତିର ଚରିତ୍ର ଓ ବ୍ୟକ୍ତିତ୍ୱ ଗଠରେ ଏହା ସହାୟକ । ରାଜ୍ୟ ରାଜ୍ୟ ଓ ଦେଶ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ କରିବାର ମାଧ୍ୟମ ହେଇଛି କ୍ରୀଡା ।

କାହିଁକି ଅଗଷ୍ଟ ମାସ ୨୯ ତାରିଖରେ ଜାତୀୟ କ୍ରୀଡା ଦିବସ ?

ଆବହମାନ କାଳରୁ ଏକବିଂଶ ଭାରତରେ କ୍ରୀଡା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରତିବର୍ଷ ଅଗଷ୍ଟ ମାସ ୨୯ ତାରିଖରେ କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସରେ ସାରା ଭାରତରେ ଜାତୀୟ କ୍ରୀଡା ଦିବସ ପାଳିତ ହୁଏ । ତାଙ୍କ ନେତୃତ୍ୱରେ ଭାରତ ୧୯୨୮, ୧୯୩୨ ଏବଂ ୧୯୩୬ ମସିହାରେ ତିନୋଟି ଅଲମ୍ଫିକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ।

ବିଭିନ୍ନ ଖେଳରେ ଶ୍ରେଷ୍ଠତ୍ଵ ଲାଭ କରି ଦେଶକୁ ଗର୍ବିତ କରିଥିବା ଖେଳାଳି ମାନଙ୍କ ସମ୍ମାନର୍ଥେ ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଦିନ ସେମାନଙ୍କୁ ପୁରଷ୍କୃତ କରାଯାଏ । ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଦ୍ୱାରା ପ୍ରତିବର୍ଷ ଏହାର ଆୟୋଜନ କରାଯାଏ ।

sports_day

ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଭାରତରେ କ୍ରିଡା ପାଇଁ ଦିଅ।।ଯାଉଥିବା ଶ୍ରେଷ୍ଠ ପୁରସ୍କାର । ତା ସହ ବିଭିନ୍ନ ଖେଳ ନିମନ୍ତେ ମଧ୍ୟ ଅଲଗା ଅଲଗା ପୁରସ୍କାର ଦିଆଯାଏ । ଭାରତ ବର୍ଷରେ କ୍ରୀଡାର ସ୍ଥାନ ଶିଖରରେ, କ୍ରୀଡାବିତଙ୍କ ଅବଦାନ ଭାରତକୁ ମଧ୍ୟ ଏକ ନୂତନ ପରିଚୟ ଦେଇଛି । ବର୍ତମାନ ଭାରତ କ୍ରୀଡା କ୍ଷେତ୍ରରେ ଏତେ ସଫଳତା ନପାଇଲେ ସୁଦ୍ଧା ସଫଳତା ଆଡକୁ ଆସ୍ତେ ଆସ୍ତେ ଅଗ୍ରଗତି କରୁଛି ।

୨୦୨୦ ଅଲମ୍ଫିକ୍ସରେ ଭାରତର ନିରଜ ଚୋପ୍ରା ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ । ଆଉ ଏହା ଭାରତୀୟ କ୍ରୀଡା ଇତିହାସରେ ଏକ ସୁନାର ଦିନ ଥିଲା । ଆଉ ୨୦୨୩ରେ ବିଶ୍ଵ ଆଥଲେଟିକସ ଚମ୍ପିୟାନସିପରେ ବି ସେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ।

ଭାରତ ଆସ୍ତେ ଆସ୍ତେ ଉନ୍ନତିର ଶିଖର ଆଡକୁ ଅଗ୍ରଗତି କରୁଛି । ସବୁକ୍ଷେତ୍ରରେ ବିଶ୍ୱର ବଳି ନେତୃତ୍ୱ ନେଉଥିବା ରାଷ୍ଟ୍ରଙ୍କ ସହ ପାଦରେ ପାଦ ମିଶାଇ ନିଜର ଶ୍ରେ ତ୍ୱକୁ ପ୍ରତିପାଦନ କରୁଛି । ମାତ୍ର କିଛି ହାତ ଗଣତି ଖେଳକୁ ଛାଡି ଅନ୍ୟ ମାନଙ୍କରେ ନିଜର ଆଧିପତ୍ୟ ବିସ୍ତାର କରିପାରୁ ନାହିଁ । କ୍ରିକେଟ ଏକମାତ୍ର ଖେଳ ଯାହା ଏବେ ଆମ ଦେଶର ଘରେ ଘରେ ପ୍ରତି କୋଣରେ ପହଚିଂଛି । ଭାରତ କ୍ରିକେରଟର ସବୁ ଫର୍ମାଟରେ ବିଶ୍ୱ ବିଜେତା ହୋଇପାରିଛି । ମାତ୍ର ଅନ୍ୟ ସମସ୍ତ ଖେଳ ଏତେମାତ୍ରରେ ପ୍ରଭାବ ପକାଇ ପାରିନାହିଁ । କ୍ରିକେଟକୁ ଛାଡି ଅନ୍ୟସବୁ ଖେଳ କଥା ଜନସାଧାରଣଙ୍କ ପାଖରେ ପହଚିଂ ପାରୁ ନାହିଁ । କ୍ରିକେଟ ଯେପରି ଲୋକପ୍ରିୟ ହୋଇ ଲୋକଙ୍କ ହୃଦୟରେ ଘର କରିଛି ସେହିପରି ଅନ୍ୟ ଖେଳ ମଧ୍ୟ କିପରି ବିକଶିତ ହେବ ସେ ଉପରେ ଯଥାଶୀଘ୍ର ଧ୍ୟାନ ଦେବା ହକି ଆମର ଜାତୀୟ ଖେଳ ହେଲେ ସୁଦ୍ଧା ଏତେ ପ୍ରଭାବ ପକାଇ ପାରୁନାହିଁ ।

କ୍ରିକେଟ ବ୍ୟତୀତ ଅନ୍ୟାନ୍ୟ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଖେଳରେ ଭାରତ ଏତେ ପରିଚିତ ନୁହେଁ । ଏହାର ମୁଖ୍ୟ କାରଣ ହେଇଛି, ଅନ୍ୟ ଖେଳ ଗୁଡିକରେ ବୃତିଗତ ଖେଳାଳିଙ୍କ ପାଇଁ ସ୍ଥାୟୀ ଭବିଷ୍ୟତ ନାହିଁ । ପୁଟବଲ , ହକି ଆଦି ଖେଳ କଣ ପାଇଁ ଲୋକପ୍ରିୟ ହୋଇ ପାରୁନାହିଁ ସେଥିପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ।

ତେବେ ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ଭାରତୀୟ କ୍ରୀଡାରେ ଏକ ନୂତନ ଭୁମିକା ଗ୍ରହଣ କରିଛି । ଆମ ଦେଶରେ ଖେଳାଯାଉଥିବା ସମସ୍ତ ଖେଳକୁ ଏହା ପୁନଃଜୀବିତ କରିଛି । ତୃଣମୂଳ ସ୍ତରରୁ ଏହା ଭାରତୀୟ କ୍ରୀଡାକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ପ୍ରୟାସ କରିଛି । ଏହା ଗ୍ରାମୀଣ ସ୍ତରରୁ ପ୍ରତିଭା ମାନଙ୍କୁ ସମ୍ମାନ ଦେବା ସହ, ସ୍ଥାନୀୟ ତଥା ଜାତୀୟ ସ୍ତରରେ ଭିତିଭୂମିକୁ ସୁଦୃଢ କରିବ ।

କ୍ରୀଡାର ବ୍ୟାପକତା ପ୍ରତି ଏହାର ଦୃଷ୍ଟି ରହିଛି । କ୍ରୀଡା କେବଳ ଆଉ ପ୍ରତିଦୋନ୍ଦୀ ଭାବରେ ସିମୀତ ନାହିଁ, ସମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଦେଶ ପାଇଁ ଏହାର ଅବଦାନ ଅଛି । ଭାରତୀୟ କ୍ରୀଡାର ଉନ୍ନତିରେ ଖେଲୋ ଇଣ୍ଡିଆ ନିଶ୍ଚିତ ଭାବେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିବ । ବିଭିନ୍ନ ଖେଳାଳି ଖେଲୋ ଉଣ୍ଡିଆରୁ ଆସି ଆନ୍ତର୍ଜାତିକ କ୍ରୀଡା ପ୍ରତିଯୋଗିତାରେ ସଫଳତା ହାସଲ କଲେଣି ।

ଆସାମର ହିମା ଦାସ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଅନେକ କୃତିତ୍ୱ ହାସଲ କରିଛନ୍ତୀ । ଖେଲୋ ଇଣ୍ଡିଆର ଭାରତ ପାଇଁ କ୍ରୀଡା କ୍ଷେତ୍ରରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିବ । ତେବେ ଏହା କିପରି ଭାରତର ସବୁଆଡେ ପହଂଚି ପାରିବ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ । ଏହା କିପରି ବିକଶିତ ହେଇ ପାରିବ ସେଥିପ୍ରତି ତୁରନ୍ତ ପଦେକ୍ଷପ ନେବା ଦରକାର ।

ଖେଲୋ ଇଣ୍ଡିଆ

ଖେଲୋ ଇଣ୍ଡିଆର ଆଇ ଏକ ଅବଦାନ ହେଉଛି, ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ । ଏହା ଦ୍ୱାରା ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ପିଲାମାନେ ଏକାଠି ହୋଇ ଖେଳିବା ସହ ନିଜର ପ୍ରତିଭାକୁ ଲୋକଲୋଚନକୁ ଆଣି ପାରୁଛନ୍ତି । ପ୍ରତିଭାବାନ ଖେଳାଳିଙ୍କ ପାଇଁ ଏହା ନୂତନ ଆଶାର କିରଣ । ନିଜ ବିଶ୍ୱବିଦ୍ୟାଳୟକୁ ସେମାନେ ଉପସ୍ଥାପିତ କରିବା ସହ ଭାରତର କ୍ରୀଡା ଭବିଷ୍ୟତ ପାଇଁ ପଥ ତିଆରି କରୁଛନ୍ତି ।

ତେବେ ଏହି ଖେଳ ବିଶ୍ୱବିଦ୍ୟାଳୟର ସମସ୍ତ ପିଲାଙ୍କ ପାଖରେ ପହଂଚି ପାରିଛୁ କି ନାହିଁ ସେଥିପାଇଁ ପ୍ରତି ବିଶ୍ୱବିଦ୍ୟାଳୟରେ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ରଖିବା ଦରକାର । ଆମ ରାଜ୍ୟରେ ହାତ ଗଣତି ମହାବିଦ୍ୟାଳୟକୁ ଓ ବିଶ୍ୱବିଦ୍ୟାଳୟକୁ ଛାଡି ଅନ୍ୟ ମାନଙ୍କରେ କ୍ରୀଡା ପ୍ରଶିକ୍ଷକ ନାହାନ୍ତି, ସେଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ଜରୁରୀ । ଯଦି ସମ୍ବବ ଖେଲୋ ଇଣ୍ଡିଆ ଏଥିରେ ହସ୍ତେକ୍ଷପ କରିବା ଦରକାର । ବିଦ୍ୟାଳୟ ମାନଙ୍କରେ ମଧ୍ୟ କ୍ରୀଡା ପ୍ରଶିକ୍ଷକଙ୍କ ଅଭାବ, ଯାହା ଦ୍ୱାରା କ୍ରୀଡା ସମସ୍ୟା ଦେଖାଯାଇଛି । ପିଲାଦିନୁ କ୍ରୀଡା ପ୍ରତି ଆତ୍ମୀୟତାକୁ ଛାତ୍ରଛାତ୍ରୀଙ୍କ ମନରେ ଜାଗ୍ରତ ହୋଇ ପାରୁନାହିଁ, ଯାହା ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି ।

କେତେକାଂଶରେ କ୍ରୀଡା ପ୍ରଶିକ୍ଷକ ଥାଇ ମଧ୍ୟ ଅଭିଭାବକ ମାନେ କେବଳ ପାଠ ପଢିବା ହେତୁ ପିଲାଙ୍କ ଉପରେ ଚାପ ପକାଇ ପାରୁଛନ୍ତି । ଏସବୁ ସମସ୍ୟାର ସମାଧାନ ଯଥାଶିଘ୍ର କରିବା ଆବଶ୍ୟକ ।

ଶରୀରକୁ ସୁସ୍ଥ ରଖେ

ସରକାର ଏବେ ଆମ ଦେଶରେ କ୍ରୀଡାକୁ ଅଗ୍ରାଧିକାର ଦେବାକୁ ଏବେ ଫିଟ ଇଣ୍ଡିଆ ମୁଭମେଂଟ ମଧ୍ୟ ନେଇଛନ୍ତ । ଏହାର ଅର୍ଥ ହେଇଛି କ୍ରୀଡାକୁ ପ୍ରୋତ୍ସାହିତ କରିବା ଏବଂ ସୁସ୍ଥ ଜୀବନଶୈଳୀରେ ବଂଚିବା । ଏହା ଆମକୁ ସୁସ୍ଥ ରହିବାକୁ ସାହାଯ୍ୟ କରିବ । ଶାରୀରିକ ପରିଶ୍ରମ ହେତୁ ଆମ ଶରୀରର ନମନୀୟତା ବୃଦ୍ଦି ପାଇବ । ଶରୀରକୁ ଫିଟ ରଖିବା ପାଇଁ ଏହା ଏକ ଉକୃôଷ୍ଟ ଉପକରଣ । କ୍ରୀଡା ଆମ ହୃଦୟକୁ ଶକ୍ତିଶାଳି କରେ । ହୃଦରୋଗ ଜନିତ ରୋଗକୁ ଏହା ଦୂରୀକରଣ କରେ । ଶରୀରରେ କୋଲେଷ୍ଟ୍ରଲ ଓ ଚର୍ବିର ପରିମାଣକୁ କମାଇଥାଏ ।

ଫୁସଫୁସର କ୍ଷମତା ଏବଂ ଦକ୍ଷତା ମଧ୍ୟ ବୃଦ୍ଦି କରିଥାଏ । କ୍ରୀଡା ବ୍ୟକ୍ତିକୁ ସମ୍ପୁର୍ଣ୍ଣ ଫିଟ କରିଥାଏ । କ୍ରୀଡା ବ୍ୟକ୍ତିର ସାମାଜିକ ଜୀବନକୁ ସୁଦୃଢ କରେ । ଅନେକ ରୋଗର ପ୍ରତିରୋଧକ ହେଇଛି କ୍ରୀଡା । ଆମ ଶରୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏହାର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ତେବେ ଫିଟ ଇଣ୍ଡିଆ ମୁଭମେଂଟ ଆମକୁ ସୁସ୍ଥ ରଖିବା ସହ ଭାରତକୁ ଏକ ନୂତନ ଦିଗନ୍ତ ଦେବ ।

ତେବେ ମହିଳା ମାନଙ୍କ କ୍ଷେତ୍ରରେ ଅନେକ ଚ୍ୟାଲେଂଜ ଦେଖାଯାଏ । ଆମ ରହୁଥିବା ପରିବେଶରେ ଲିଙ୍ଗଗତ ଦୃଷ୍ଟିକୋଣରୁ ସେମାନେ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ପୁରୁଷ ପ୍ରାଧାନ୍ୟ ସମାଜରେ ଖେଳ ପ୍ରତି ରୁଚି ରଖୁଥିବା ଝିଅଟିକୁ କୁତ୍ସିତ ମନୋଭାବ ରଖୁଥିବା ପରିବାରୁ ନିନ୍ଦା ଅପମାନ ସହିବାକୁ ପଡୁଛି । ଗ୍ରାମୀଣ ବାଳିକା ମାନେ ପାରମ୍ପାରିକ ଖେଳ କବାଡି ଆଦି ଖେଳନ୍ତି, ମାତ୍ର ଏତେ ସୁଯୋଗ ପାଇପରନ୍ତି ନାହିଁ । ସେହିପରି ସହରାଞ୍ଚଳରେ ମଧ୍ୟ ହାତ ଗଣତି ଖେଳ ଖେଳିବାର ସୁଯୋଗ ମହିଳା ମାନଙ୍କୁ ମିଳେ । ଆମେ ରହୁଥିବା ସମାଜ ପୁରୁଷ କେନ୍ଦ୍ରିକ ହୋଇଥିବାରୁ ମହିଳା ମାନେ ବିଭନ୍ନ ଖେଳରେ ନିଜର ପାରିଦର୍ଶିତା ଦେଖାଇ ପାରନ୍ତି ନାହିଁ ।

ତେବେ ସେଥିପାଇଁ ମହିଳା ମାନଙ୍କର ଏକ ସ୍ୱତ୍‌ନ୍ତ୍ର ବ୍ୟବସ୍ଥା କରିବାକୁ ପଡିବ । ଭାରତର ଅନେକ ମହିଳା କ୍ରୀଡାବିତ ଆମ ଦେଶକୁ ଗୌରାବନ୍ୱିତ କରିଛନ୍ତି । ପି.ଭି ସିନ୍ଧୁ, ପିଟି ଉଷା, ମେରୀ କମ୍‌, ମିଥାଲି ରାଜ ଆଦି ଆମ ଦେଶକୁ ବିଶ୍ୱ ଦରବାରରେ ଉଚ୍ଚାସ୍ଥାନରେ ରଖିଛନ୍ତ । ଅଲମ୍ପିକ୍ , ରାଜ୍ୟଗୋଷ୍ଟି କ୍ରୀଡା ଆଦିରେ ସେମାନେ ନିଜର ପାରିଦର୍ଶିତା ଦେଖାଇଛନ୍ତି । ବ୍ୟାଟ ମିଂଟନ, ବକ୍ସିଂ. କ୍ରିକେଟ, କବାଡି , ଭାର ଉତୋଳନ ଆଦିରେ ଭାରତର ମହିଳା କ୍ରୀଡାବିତ ମାନଙ୍କ ସ୍ଥାନ ବହୁ ଉଚ୍ଚରେ । ତେବେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଦ୍ୱାରା ସେମାନେ ଆହୁରୁ ଉନ୍ନତି କରିପାରିବେ ।

ଜନଜାତି ସମ୍ପ୍ରଦାୟର ପିଲାମାନେ ଉନ୍ନତ ମାନର ଖେଳ ପଦର୍ଶନ କରନ୍ତି, ମାତ୍ର ପ୍ରୋତ୍ସାହନର ଅଭାବ ତାଙ୍କୁ ଏ ଦିଗରେ ସଫଳ କରିପାରେ ନାହିଁ । ଜନଜାତି ଛାତ୍ରବାସ ମାନଙ୍କରେ ପିଲାଙ୍କୁ କ୍ରୀଡା ପ୍ରତି ଆକୃଷ୍ଟ କରିବା ନିହାତି ଆବଶ୍ୟକ । ବିଭିନ୍ନ ସ୍ଥାନରେ ସ୍ପୋଟର୍ସ ହଷ୍ଟେଲ ମାନ ମଧ୍ୟ ଅଛି, ମାତ୍ର ସେଗୁଡିକ ସୁପରିଚାଳନା ହେଇ ପାରୁନାହିଁ । ତୃଣମୂଳ ସ୍ତରରୁ କିପରି କ୍ରୀଡାର ଉନ୍ନତି ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଅଛି ।

ଏକବିଂଶ ଶତାଦ୍ଧୀର ଭାରତରେ କ୍ରୀଡାର ସ୍ଥାନ ଶିଖରରେ ପହଂଚିଛି । ତେବେ ଏହାକୁ ଆହୁରି ଅଗ୍ରଗତି କରିବା ନିହାତି ଆବଶ୍ୟକ । କ୍ରୀଡାର ବ୍ୟାପକତା ବୃଦ୍ଦି କରିବା ଉଦେଶ୍ୟରେ ହେଉଥିବା ପ୍ଲାଟଫର୍ମ ଯେମିତିକି ଖେଲୋ ଇଣ୍ଡିଆ. ଫିଟ ଇଣ୍ଡିଆ ଆଦିରେ କିପରି ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆସିବ ସେଥିପ୍ରତି ତୁରନ୍ତ ପଦକ୍ଷେପ ନେବା ଜରୁରୀ । ତା ସହ ମହିଳା କ୍ରୀଡାବିତ୍ ମାନଙ୍କୁ ପ୍ରୋତ୍ସାହନ କରିବା ଦରକାର । ଭାରତ ସମସ୍ତ କ୍ଷେତ୍ରରେ ଏବେ ଅଗ୍ରଗତି କରୁଛି, କ୍ରୀଡା ମଧ୍ୟ ଆମ ଦେଶର ଉନ୍ନତିରେ ନୂତନ ଅଧ୍ୟାୟ ସୃଷ୍ଟି କରିବ । ନୂତନତାର ବାର୍ତା ଦେବା ସହ ବିକଶିତ ଭାରତର ମେରୁଦଣ୍ଡ ହୋଇ ମଥା ଟେକି ଠିଆ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+