ମୁମ୍ବାଇ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୪ରେ ଚାମ୍ପିଅନ
ମୁମ୍ବାଇ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୪ରେ ଚାମ୍ପିଅନ ହୋଇଛି। ଫାଇନାଲରେ ମଧ୍ୟ ପ୍ରଦେଶକୁ ୫ ଓ୍ଵିକେଟରେ ହରାଇଛି । ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ, ଆଜିଙ୍କ୍ୟ ରାହାଣେ ଓ ସୂର୍ଯ୍ୟାଂଶ ଶେଡ଼ଗେ ଦମଦାର ପ୍ରଦର୍ଶନ କରିଛନ୍ତି । ସୂର୍ଯ୍ୟାଂଶ ୩୬ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ଜିତାଇଛନ୍ତି ।
ପ୍ରଥମେ ବ୍ୟାଟିଂ କରିଥିବା ମଧ୍ୟ ପ୍ରଦେଶ ଅଧିନାୟକ ରଜତ ପାଟିଦାରଙ୍କ ବିସ୍ଫୋରକ ଅପରାଜିତ ୮୧ ରନ ବଳରେ ୮ ଓ୍ଵିକେଟ୍ ହରାଇ ୧୭୪ ରନ କରିଥିଲା। ଆଉ ଏହାର ଜବାବରେ ମୁମ୍ବାଇ ସୂର୍ଯ୍ୟକୁମାର ଯାଦବଙ୍କ ୪୮ ରନ, ଆଜିଙ୍କ୍ୟ ରାହାଣେଙ୍କ ୩୭ ରନ ଓ ସୂର୍ଯ୍ୟାଂଶ ହେଗଡ଼େଙ୍କ ଅପରାଜିତ ଧୂଆଁଧାର ୩୬ ରନ ବଳରେ ୧୭.୫ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ।

ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ପାଇଁ ପୃଥ୍ଵୀ ଶ ଓ ଆଜିଙ୍କ୍ୟ ରାହାଣେ ଓପନିଂ କରିଥିଲେ। ପୃଥ୍ଵୀ ଶ ନିରାଶଜନକ ୧୦ ରନ କରି ଆଉଟ୍ ହୋଇଥିଲେ। ମାତ୍ର ରାହାଣେ ୩୦ ବଲ୍ରୁ ୪ ଚୌକା ସହ ୩୭ ରନର ଇନିଂସ ଖେଳିଥିଲେ। ଅଧିନାୟକ ଶ୍ରେୟସ ଆୟର ୧୬ ରନ କରିଥିଲେ। ଶିବମ ଦୁବେ ମାତ୍ର ୯ ରନ କରି ପାଭିଲିୟନ ଫେରିଥିଲେ ।
୪ ନମ୍ବରରେ ବ୍ୟାଟିଂ କରିଥିବା ସୂର୍ଯ୍ୟକୁମାର ଯାଦବ ୩୫ ବଲ୍ରୁ ୪୮ ରନର ଗୁରୁତ୍ଵପୂର୍ଣ୍ଣ ପାଳି ଖେଳିଥିଲେ। ଏଥିରେ ୪ ଚୌକା ଓ ୩ ଛକା ସାମିଲ। ଆଉ ଦୁଇ ରନ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ତେବେ ଅଥର୍ବ ଆଙ୍କୋଲେକର ଓ ସୂର୍ଯ୍ୟାଂଶ ଦଳକୁ ଜିତାଇଛନ୍ତି। ସୂର୍ଯ୍ୟାଂଶ ୧୫ ବଲ୍ରୁ ୩ ଚୌକା ଓ ୩ ଛକା ସହ ୩୬ ରନ ଓ ଅର୍ଥବ ଆଙ୍କୋଲେକର ୬ ବଲ୍ରୁ ୧୬ ରନ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ମଧ୍ୟପ୍ରଦେଶ ୮ ଓ୍ଵିକେଟ୍ ହରାଇ ୧୭୪ ରନ କରିଥିଲା। ଏହି ସମୟରେ ଅଧିନାୟକ ରଜତ ପାଟିଦାର ବିସ୍ଫୋରକ ଇନିଂସ ଖେଳିଛନ୍ତି। ସେ ୪୦ ବଲ୍ରୁ ୬ ଚୌକା ଓ ୬ ଛକା ସହ ୮୧ ରନ କରିଥିଲେ। ସୁଭ୍ରାଂଶୁ ସେନାପତି ୧୭ ବଲ୍ରୁ ୨ ଛକା ସହ ୨୩ ରନର ଇନିଂସ ଖେଳିଛନ୍ତି। ଭେଙ୍କଟେଶ ଆୟର ୧୭ ରନ କରି ଆଉଟ୍ ହୋଇଥିଲେ। ଫାଇନାଲ୍ରେ ମୁମ୍ବାଇ ପାଇଁ ଶାର୍ଦ୍ଦୁଳ ଠାକୁର ୪ ଓଭରରେ ୪୧ ରନ ଦେଇ ୨ ଓ୍ଵିକେଟ୍ ହାସଲ କରିଛନ୍ତି। ରୟଷ୍ଟନ ଡାଏସ ୩୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।












Click it and Unblock the Notifications