ରଣଜୀ ଟ୍ରଫି ଜରିଆରେ ପ୍ରତ୍ୟାବର୍ତ୍ତନ କରିବେ ମହମ୍ମଦ ସାମି
Mohammed Shami: ଭାରତର ପ୍ରମୁଖ ପେସ୍ ବୋଲର ମହମ୍ମଦ ସାମି ଆଗାମୀ ରଣଜୀ ଟ୍ରଫି ଜରିଆରେ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେ ବେଙ୍ଗଲର ପ୍ରଥମ ୨ଟି ମ୍ୟାଚ୍ରୁ ଗୋଟିଏରେ ଖେଳିବା ସମ୍ଭାବନା ରହିଛି ।
ବେଙ୍ଗଲ ଆଗାମୀ ଅକ୍ଟୋବର ୧୧ ତାରିଖରେ ଉତ୍ତର ପ୍ରଦେଶ ଏବଂ ୧୮ତାରିଖ ବିହାର ବିପକ୍ଷ ମ୍ୟାଚ୍ ଖେଳିବ । ପାଦ ଗୋଇଠିରେ ଅସ୍ତ୍ରୋପଚାର ପରଠୁ କ୍ରିକେଟରୁ ଦୂରେଇ ରହିଥିଲେ ।
ଆଗକୁ ଅଷ୍ଟ୍ରେଲିଆ ଗସ୍ତ ଥିବାରୁ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ଖେଳି ବିଶ୍ରାମ ନେବେ । ସାମି ଗତ ବର୍ଷ ନଭେମ୍ବର ୧୯ ତାରିଖରେ ଦିନିକିଆ ବିଶ୍ୱକପ୍ ଫାଇନାଲ୍ ଖେଳିବା ପରଠୁ ଆଉ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ଖେଳିନାହାନ୍ତି । ଗତ ଫେବ୍ରୁଆରୀ ମାସରେ ସେ ଇଂଲଣ୍ଡରେ ପାଦ ଗୋଇଠିରେ ଅସ୍ତ୍ରୋପଚାର କରାଇଥିଲେ । ତାଙ୍କୁ ସମ୍ପୂଣ୍ଣ ଫିଟ୍ ହେବାକୁ ୬ମାସ ସମୟ ଲାଗିବ । ଇତିମଧ୍ୟରେ ସେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ବୋଲିଂ ଅଭ୍ୟାସ ଆରମ୍ଭ କରିଛନ୍ତି । ଛୋଟ ରନ୍ ଅପ୍ରେ ବୋଲିଂ କରୁଛନ୍ତି ।

ସାମି ଗୋଟିଏ ମ୍ୟାଚ୍ ଖେଳି ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି କରିବେ । ନ୍ୟୁଜିଲାଣ୍ଡ ଦଳ ଅକ୍ଟୋବରରେ ଭାରତ ଗସ୍ତରେ ଆସି ୩ଟି ଟେଷ୍ଟ ଖେଳିବ । ସାମି ଏହି ସିରିଜ ଜରିଆରେ ଅନ୍ତର୍ଜାତୀୟ ପ୍ରତ୍ୟାବର୍ତ୍ତନ କରିବା ଆଶା କରାଯାଉଛି ।
ଇନ୍ଷ୍ଟାଗ୍ରାମରେ ତାଙ୍କ ଅଭ୍ୟାସ ଭିଡିଓ ଭାଇରାଲ ହୋଇଥିଲା ଏବଂ ସେ ଦୁଲୀପ୍ ଟ୍ରଫି ଖେଳିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ସେ ଦୁଲୀପ୍ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଫିଟ୍ ହେବାର ସମ୍ଭାବନା ବହୁତ କମ୍ ରହିଛି । ସୂଚନାଯୋଗ୍ୟ, ସାମି ୬୪ଟି ଟେଷ୍ଟ ଖେଳି ମୋଟ ୨୨୯ଟି ୱିକେଟ୍ ନେଇ ସାରିଲେଣି । ସେଥିମଧ୍ୟରେ ୬ଥର ୫ ୱିକେଟ୍ ଏବଂ ୧୨ଥର ୪ୱିକେଟ୍ ସଫଳତା ରହିଛି ।












Click it and Unblock the Notifications