ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍ କ୍ରିକେଟ୍
ଆଇସିସି ପୁରୁଷ ଟି୨୦ କ୍ରିକେଟ ବିଶ୍ୱକପ୍ର ୧୦ମ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମେଗା ପ୍ରତିଯୋଗିତାରେ ଗତଥରର ଚାମ୍ପିୟନ ଭାରତ ନିଜର ପ୍ରଥମ ମ୍ୟାଚରେ ଆମେରିକାକୁ ଭେଟିବ। ଟାଇଟଲ ବଜାୟ ରଖିବା ଲକ୍ଷ୍ୟରେ ଥିବା ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ରହିଛି। ଗ୍ରୁପ୍ 'ଏ'ରେ ଭାରତ ଓ ଆମେରିକା ବ୍ୟତୀତ ନାମ୍ବିୟା, ନେଦରଲାଣ୍ଡ୍ସ ଓ ପାକିସ୍ତାନ ସ୍ଥାନ ପାଇଛି।

ଯଶପ୍ରୀତ୍ ବୁମ୍ରା ଭାରତୀୟ ବୋଲିଂ ବିଭାଗର ନେତୃତ୍ୱ ନେବେ। ଇଞ୍ଜୁରି ମ୍ୟାନେଜମେଣ୍ଟକୁ ଦୃଷ୍ଟିରେ ରଖି ତାଙ୍କ ଯନତ୍ ନିଆଯାଉଛି। ଅର୍ଶଦୀପ ସିଂ ତାଙ୍କ ସହ ନୂଆବଲ ପାର୍ଟନର ହେବା ଆଶା କରାଯାଉଛି। ଆହତ ସମସ୍ୟା ଦୃଷ୍ଟିରୁ ଅନ୍ୟତମ ଦ୍ରୁତ ବୋଲର ହର୍ଷିତ ରାଣା ଖେଳିବେ ନାହିଁ ବୋଲି ସୂଚନା ମିଳିଛି। ଦଳରେ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ରୂପରେ ବିଶ୍ୱର ଦୁଇ ଶ୍ରେଷ୍ଠ ସ୍ପିନର ଅଛନ୍ତି। ତେବେ ପିଚ୍ କଣ୍ଡିଶନକୁ ଦୃଷ୍ଟିରେ ରଖି ଚୂଡ଼ାନ୍ତ ଏକାଦଶରେ କିଏ ସ୍ଥାନ ପାଇବେ କିମ୍ବା ଦୁଇଜଣ ଖେଳିବେ ତାହା ନିର୍ଭର କରିବ। ଦଳରେ ଶୁବମନ ଗିଲ୍ କିମ୍ବା ଯଶସ୍ବୀ ଜୟସ୍ବାଲ ନ ଥିବାରୁ ସଞ୍ଜୁ ସାମସନଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିପାରେ।
ଆଗାମୀ ମ୍ୟାଚରେ ୟୁଏସ ଜର୍ସି ପରିହିତ କେତେକ ପରିଚିତ ଖେଳାଳିଙ୍କୁ ସମ୍ମୁଖୀନ ହେବେ ସୂର୍ଯ୍ୟକୁମାର। ଏକଦା ସୂର୍ଯ୍ୟକୁମାର ଓ୍ବାଙ୍ଖ୍ଡେ ଷ୍ଟାଡିୟମରେ ଶୁଭମ୍ ରଞ୍ଜନେ, ହରମିତ ସିଂ ଓ ସୌରମ ନେତ୍ରାଭଲକରଙ୍କ ସହ ଡ୍ରେସିଂରୁମ୍ ଶେୟାର କରିଥିଲେ। ପଡ଼ିଆ ଓ ପିଚ୍ ସମ୍ପର୍କରେ ଅଭିଜ୍ଞତା ଥିବାରୁ ଏହି ତିନି ଭ୍ରମଣକାରୀ 'ମୁମ୍ବାଇକର'ଙ୍କୁ ଆମେରିକା ଚୂଡ଼ାନ୍ତ ଦଳରେ ସ୍ଥାନ ମିଳିପାରେ। ଆମେରିକା ବିପକ୍ଷ ମ୍ୟାଚକୁ ଭାରତ ହାଲ୍କାଭାବେ ନେଇ ପାରିବନି। କାରଣ ଏହି ଦଳ ଗତବର୍ଷ ଖେଳିଥିବା ୯ ମ୍ୟାଚରୁ ୮ଟି ବିଜୟ ସହ ବିଶ୍ୱକପ ଖେଳିବାକୁ ଆସିଛି। ଶ୍ରୀଲଙ୍କାରେ ଏହି ଦଳ ୩ ସପ୍ତାହଧରି କ୍ୟାମ୍ପ ମଧ୍ୟ କରିଛି। ଅଧିନାୟକ ମୋନାଙ୍କ ପଟେଲ ଦଳର ମୁଖ୍ୟ ବ୍ୟାଟର ହୋଇଥିବାବେଳେ ସାଇତେଜା ମୁକ୍କାମାଲ୍ଲା ଓ ମିଲିନ୍ଦ କୁମାର ତାଙ୍କୁ ସହଯୋଗ କରିବେ। ନେତ୍ରାଭଲକର, ହରମିତ ଓ ରଞ୍ଜନେ ବୋଲିଂ ବିଭାଗର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଓ୍ବାଙ୍ଖ୍ଡେ ଷ୍ଟାଡିୟମ ଶର୍ଟ ବାଉଣ୍ଡରି ବିଶିଷ୍ଟ ହୋଇଥିବାରୁ ଭାରତକୁ ହରାଇ ବିପର୍ଯ୍ୟୟ ସୃଷ୍ଟି ଲକ୍ଷ୍ୟରେ ରହିବ ଆମେରିକା।
ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଇଶାନ କିଶନ, ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ରିଙ୍କୁ ସିଂ, ଅକ୍ଷର ପଟେଲ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ଯଶ୍ରପୀତ୍ ବୁମ୍ରା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ।
ଆମେରିକା ଦଳ: ମୋନାଙ୍କ ପଟେଲ (ଅଧିନାୟକ), ଆନ୍ଦ୍ରେସ ଗୋଉସ, ସାଇତେଜା ମୁକ୍କାମାଲ୍ଲା, ଶାୟନ ଜାହାଙ୍ଗୀର, ହରମିତ ସିଂ, ଶୋହାନ ଜୟସୂରିୟା, ସଞ୍ଜୟ କ୍ରିଷ୍ଣାମୂର୍ତ୍ତୀ, ମିଲିନ୍ଦ କୁମାର, ମହମ୍ମଦ ମୋହସିନ, ଶୁଭମ ରଞ୍ଜନେ, ଶେଡଲେ ଭାନ୍ ଶାଲକଓ୍ବିକ, ଅଲି ଖାଁ, ଯଶଦୀପ ସିଂ, ନୋସ୍ଥୁଶ କେଞ୍ଜିଗେ, ସୌରମ ନେତ୍ରାଭଲକର।












Click it and Unblock the Notifications