କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ଦେହାନ୍ତ
ବ୍ରାଜିଲର କିମ୍ବଦନ୍ତୀ ଫୁଟ୍ବଲ ଖେଳାଳି ତଥା ୩ଥରର ଫିଫା ବିଶ୍ୱକପ୍ ବିଜେତା ପେଲେଙ୍କ ପରଲୋକ । ଗୁରୁବାର ବିଳମ୍ବିତ ରାତି ତଥା ବ୍ରାଜିଲ ସମୟ ରାତି ୩.୨୭ରେ ତାଙ୍କର ଦେହାନ୍ତ ହୋଇଛି ।
ବ୍ରାସିଲିଆ: ବ୍ରାଜିଲର କିମ୍ବଦନ୍ତୀ ଫୁଟ୍ବଲ ଖେଳାଳି ତଥା ୩ଥରର ଫିଫା ବିଶ୍ୱକପ୍ ବିଜେତା ପେଲେଙ୍କ ପରଲୋକ । ଗୁରୁବାର ବିଳମ୍ବିତ ରାତି ତଥା ବ୍ରାଜିଲ ସମୟ ରାତି ୩.୨୭ରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।

ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଝିଅ କେଲି ନାସିମେଣ୍ଟୋଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଗତ କିଛିଦିନ ହେବ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଶତାବ୍ଦୀର ଏହି ମହାନ ଫୁଟ୍ବଲ ଖେଳାଳିଙ୍କ ବିୟୋଗରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି । ତେବେ ଦୁଇ ବର୍ଷ ଧରି କ୍ୟାନସର ଭଳି ଭୟଙ୍କର ରୋଗରେ ପୀଡ଼ିତ ଥିବା ପେଲେ ନିୟମିତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପୁଣିଥରେ ସୁସ୍ଥ ହୋଇ ଫେରିଥିଲେ।
ପେଲେ ତାଙ୍କ ୨୧ ବର୍ଷର ଲମ୍ବା କ୍ୟାରିୟରରେ ବ୍ରାଜିଲ ପାଇଁ ୯୨ ମ୍ୟାଚରେ ପ୍ରତିନିଧିତ୍ୱ କରିଥିଲେ। ଯେଉଁଥିରେ ସେ ୭୭ ଗୋଲସ୍କୋର କରିଥିଲେ। ସେହିଭଳି ବିଶ୍ୱର ଏକମାତ୍ର ଖେଳାଳି ଭାବେ ସେ ୩ଥର ଫିଫା ବିଶ୍ୱକପ୍ ଟ୍ରଫି ଜିତିବାର ବିରଳ ସୌଭାଗ୍ୟ ଲାଭ କରିଛନ୍ତି। ୧୯୫୮, ୧୯୬୨ ଓ ୧୯୭୦ ଫିଫା ବିଶ୍ୱକପ୍ ବିଜୟୀ ଦଳର ପେଲେ ପ୍ରମୁଖ ସଦସ୍ୟ ରହିଥିଲେ। ୨୦୦୦ ମସିହାରେ ବିଶ୍ୱ ଫୁଟ୍ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ତାଙ୍କୁ ଶତାବ୍ଦୀର ଶ୍ରେଷ୍ଠ ଫୁଟ୍ବଲ ଖେଳାଳି ଭାବେ ବିବେଚିତ କରାଯାଇଥିଲା। ୧୯୫୮ ବିଶ୍ୱକପ୍ ଫାଇନାଲ ଖେଳିବା ସମୟରେ ତାଙ୍କ ବୟସ ୧୭ ବର୍ଷ ୨୪୯ ଦିନ ହୋଇଥିଲା। ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ସେ ଫିଫା ବିଶ୍ୱକପ୍ ଫାଇନାଲ ଖେଳିବାର ରେକର୍ଡ ବହନ କରୁଛନ୍ତି ।
୨୩ ଅକ୍ଟୋବର ୧୯୪୦ରେ ଜନ୍ମଗ୍ରହଣ କରିଥିବା ପେଲେଙ୍କ ପୁରା ନାମ ଏଡସନ୍ ଆରାଣ୍ଟେସ ନାସକେମିଣ୍ଟୋ। ମାତ୍ର ୧୭ଚ ବର୍ଷ ବୟସରେ ଫିଫା ବିଶ୍ୱକପ୍ ଟ୍ରଫି ଜିତି ସେ ବିଶ୍ୱସ୍ତରୀୟ ତାରକା ବନିଯାଇଥିଲେ। ପେଲେ ତାଙ୍କ ଜୀବନରେ ୩ଜଣଙ୍କୁ ବିବାହ କରିଥିବାବେଳେ ୭ଜଣ ସନ୍ତାନ ରହିଛନ୍ତି।
ତାଙ୍କ ବିୟୋଗରେ ବ୍ରାଜିଲର ବିଦାୟୀ ରାଷ୍ଟ୍ରପତି ଜାରି ବୋଲସୋନାରୋ ଶୋକ ପ୍ରକାଶ କରିବା ସହ ପେଲେଙ୍କ ସମ୍ମାନାର୍ଥେ ଦେଶର ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ୩ ଦିନ ଯାଏ ବ୍ରାଜିଲରେ କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ହେବନି । ସେହିପରି ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିବ । ବୋଲସୋନାରୋ କହିଛନ୍ତି ଯେ ପେଲେ ହିଁ ବ୍ରାଜିଲକୁ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ।
ସେହିପରି ନବ ନିର୍ବାଚିତ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି ଯେ ପେଲେଙ୍କ ଭଳି ନମ୍ବର ୧୦ ଆଉ କେବେ ହେଲେ ସୃଷ୍ଟି ହେବେନି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରାଜିଲର ଫୁଟବଲ ମହାସଂଘ, କ୍ରିଷ୍ଟିଆନୋ ରୋନାଲ୍ଡୋ, ନେମାରଙ୍କ ଠାରୁ ଆରମ୍ଭ କରି ଏମବାପେଙ୍କ ଭଳି ଷ୍ଟାର ଫୁଟବଲରମାନେ ପେଲେଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।
ପେଲେଙ୍କ ପୂରା ନାଁ ହେଉଛି ଏଡସନ୍ ଅରାଣ୍ଟେସ୍ ଡୁ ନାସ୍କିମେଣ୍ଟୋ। କିନ୍ତୁ ତାଙ୍କୁ ସମସ୍ତେ ପେଲେ ନାଁରେ ଜାଣନ୍ତି। ନଭେମ୍ବର ୨୯ ତାରିଖରେ ସେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସାଓ ପାଓଲସ୍ଥିତ ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ମାସେ କାଳ ତାଙ୍କର ଚିକିତ୍ସା କରୁଥିଲେ। ସେ ଶୀଘ୍ର ସୁସ୍ଥ ହୋଇ ସାଧାରଣ ଜୀବନକୁ ଫେରିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଗୁରୁବାର ତାଙ୍କ ଶରୀର ଆଉ କେମୋଥେରୋପି ଗ୍ରହଣ କରି ନଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।












Click it and Unblock the Notifications