Paris Olympics 2024: ଆଜି ବ୍ୟାଡମିଣ୍ଟନ ସେମି ଫାଇନାଲ ଖେଳିବେ ଲକ୍ଷ୍ୟ ସେନ୍
ଲକ୍ଷ୍ୟ ସେନ୍ ପ୍ରଥମ ଭାରତୀୟ ପୁରୁଷ ବ୍ୟାଡ୍ମିଣ୍ଟନ୍ ଖେଳାଳି ଭାବେ ଅଲିମ୍ପିକ୍ସର ସେମିଫାଇନାଲ୍ରେ ପ୍ରବେଶ କରିସାରିବା ପରେ ଇତିହାସରେ ନାଁ ଲେଖାଇସାରିଛନ୍ତି । ଶୁକ୍ରବାର ଦ୍ବାଦଶ ସିଡ୍ ତାଇୱାନ୍ର ଚୋଉ ତାଇନ୍ ଛେନ୍ଙ୍କୁ ହରାଇ ସେ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ପଦକ ନିଶ୍ଚିତ କରିବାକୁ ହେଲେ ତାଙ୍କ ଆଗରେ ଏବେ ଦୁଇଟି ମ୍ୟାଚ୍ ରହିଛି ଓ ସେଥିରୁ ଗୋଟିଏ ମ୍ୟାଚ୍ ଜିତିବା ଆବଶ୍ୟକ ହୋଇପଡ଼ିଛି। ଭାରତୀୟ ସମୟ ଅନୁସାରେ ଦିବା 3:30 ରେ ମ୍ୟାଚ ହେବ ।
ଉଭୟ ଲକ୍ଷ୍ୟ ଓ ଭିକ୍ଟର ପରସ୍ପରର ଖେଳ ବିଷୟରେ ବହୁତ ଭଲଭାବେ ଜାଣିଛନ୍ତି। ଦୁହେଁ ଦୁବାଇରେ ଏକାଠି ପ୍ରଶିକ୍ଷଣ ନେଇଥିଲେ। ପ୍ରଶିକ୍ଷଣ ସମୟରେ ଭିକ୍ଟର ସବୁବେଳେ ପେସାଦାର ଆଭିମୁଖ୍ୟ ରଖୁଥିଲେ। ଏପରିକି ତାଙ୍କ ଅଭ୍ୟାସ ଲମ୍ବା ସମୟ ଧରି ଚାଲିଥାଏ ଓ ସେ ସବୁବେଳେ ଏକାଗ୍ରତା ରଖିଥାନ୍ତି ବୋଲି ଲକ୍ଷ୍ୟ କହିଛନ୍ତି। ତେଣୁ ସେମିଫାଇନାଲ୍ରେ ତାଙ୍କର ପ୍ରକୃତ ପରୀକ୍ଷା ଆରମ୍ଭ ହେବ ଏବଂ ଭିକ୍ଟର ସବୁଠୁ ବଡ଼ ବାଧା ଭାବେ ତାଙ୍କ ଆଗରେ ରହିବେ ବୋଲି ଲକ୍ଷ୍ୟ ସ୍ବୀକାର କରିଛନ୍ତି।

ଲକ୍ଷ୍ୟ ଓ ଭିକ୍ଟରଙ୍କ ମଧ୍ୟରେ ଖେଳାଯାଇଥିବା ପୂର୍ବ ମୁକାବିଲାଗୁଡ଼ଇକରେ ମଧ୍ୟ ଡେନମାର୍କ ଖେଳାଳି ସବୁବେଳେ ଆଗରେ ରହିଆସୁଛନ୍ତି। ଉଭୟଙ୍କ ମଧ୍ୟରେ ୮ଥର ଏକକ ମ୍ୟାଚ୍ ହୋଇଥିଲା ବେଳେ ଭିକ୍ଟର ୭ ଥର ବିଜୟୀ ହୋଇଛନ୍ତି। ୨୦୨୨ ଜର୍ମାନ୍ ଓପନ୍ ସେମିଫାଇନାଲ୍ରେ ହିଁ ଲକ୍ଷ୍ୟ ଗୋଟିଏ ଥର ଭିକ୍ଟରଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍ରେ ଲକ୍ଷ୍ୟ ୨୧-୧୩, ୧୨-୨୧, ୨୨-୨୦ ରେ ବିଜୟୀ ହୋଇଥିଲେ। ଶେଷ ଥର ପାଇଁ ଚଳିତ ବର୍ଷ ସିଙ୍ଗାପୁର ଓପନ୍ରେ ହୋଇଥିବା ଭେଟରେ ଭିକ୍ଟର ୨୧-୧୩, ୧୬-୨୧, ୨୧-୧୩ରେ ବିଜୟୀ ହୋଇଥିଲେ।
ତେବେ ପଦକ ଦୌଡ଼ରେ ଲକ୍ଷ୍ୟଙ୍କ ସାମ୍ନାରେ ବଡ଼ ବାଧା ହେଉଛନ୍ତି ଡେନମାର୍କର ଭିକ୍ଟର ଆକ୍ସେଲସେନ୍। ରବିବାର ହେବାକୁ ଥିବା ସେମିଫାଇନାଲ୍ରେ ଯଦି ଭିକ୍ଟରଙ୍କୁ ଲକ୍ଷ୍ୟ ହରାଇ ଦେଉଛନ୍ତି, ତାହେଲେ ଫାଇନାଲ୍କୁ ଯିବା ସହ ପଦକ ନିଶ୍ଚିତ କରିବେ। ନଚେତ୍ କାଂସ୍ୟ ମୁକାବିଲା ପାଇଁ ତାଙ୍କ ପାଖରେ ଆଉ ଏକ ସୁଯୋଗ ରହିବ।












Click it and Unblock the Notifications